ବିବାହକୁ ୪ ଦିନ ନପୂରୁଣୁ ନବବଧୂ ମଥାରୁ ସିନ୍ଦୂର ଲିଭିଲା, ବାଇକ୍‌ ନେଇ ବାହାରକୁ ଯାଇ ଆଉ ଫେରିଲେନି ସ୍ବାମୀ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ବିବାହର ୪ ଦିନ ମଧ୍ୟରେ ବରର ହତ୍ୟା ‌ହେବା ଖବର ଏବେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ଘରକୁ ବନ୍ଧୁବାନ୍ଧବ ଡକାଇ ପୁଅକୁ ବେଶ ଧୂମଧାମରେ ବିବାହ କରି ଘରକୁ ବୋହୂ ଆଣିଥିଲେ ପରିବାର ଲୋକ। ବେଶ୍‌ ଆନନ୍ଦିତ ଥିଲେ ନବ ବିବାହିତ ଦମ୍ପତିି। ମାତ୍ର ଖୁସିର ସଂସାରରେ ଯେପରି କାହାର ନଜର ଲାଗିଗଲା। ବିବାହକୁ ୪ ଦିନ ନପୂରୁଣୁ ସ୍ତ୍ରୀର ହାତ ‌ଛାଡ଼ି ଆରପାରିକୁ ଚାଲିଗଲା ସ୍ବାମୀ।

ସୂଚନା ଅନୁଯାୟୀ ଆଜକୁ ୪ ଦିନ ହେବ ଗ୍ରାମର ଖଗେଶ୍ୱର ସାହୁଙ୍କ ସାନ ପୁଅ ଅନୀଲ ସାହୁ ଜମିନକିରାର ଦଶଘରିଆ ଗ୍ରାମର ଦେବାନନ୍ଦ ସାହୁଙ୍କ ଝିଅ ସୁନୀତାକୁ ବିବାହ କରିଥିଲେ । ଗୁରୁବାର ୩ଟାରେ ଅନୀଲ ନିଜ ବାଇକ ଯୋଗେ ଦେବଗଡକୁ ଯାଇଥିଲେ। ୫ଟା ସୁଦ୍ଧା ପରିବାର ଲୋକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଫୋନ କରିଥିଲେ ସୁଦ୍ଧା ଆଉ ଅନୀଲ ସହ ଯୋଗାଯୋଗ କରି ପାରିନଥିଲେ। ଅଧିକ ବିଳମ୍ବ ହେବାରୁ ରାତିରେ ପରିବାର ଲୋକ ତା ଆସିବା ରାସ୍ତାରେ ଖୋଜାଖୋଜି କରିଥିଲେ । ଶେଷରେ କେନ୍ଦୁଘାଟସ୍ଥିତ ମକାମୁଣ୍ଡା ରାସ୍ତାରେ ଏକ ଗଛ ମୂଳେ ଗାମୁଚା, ସାର୍ଟରେ ହାତ ଗୋଡ ବାନ୍ଧାଯାଇଥିବା ତାଙ୍କ ମୃତଦେହ ଚିହ୍ନଟ ହୋଇଥିଲା। ସେଠାରେ  କେହି ତାଙ୍କୁ ଶ୍ୱାସରୁଦ୍ଧ କରି ମାରି ଦେଇଥିବା ଅନୁମାନ କରାଯାଉଛି। କେନ୍ଦୁଘାଟସ୍ଥିତ ମକାମୁଣ୍ଡା ରାସ୍ତାର ଏକ ଗଛ ମୂଳେ ଅନୀଲଙ୍କୁ ହତ୍ୟା କରାଯାଇଥିବା  ନେଇ ବଡ ଭାଇ ସୁନୀଲ ସାହୁ ଆଜି ରିଆମାଳ ଥାନାକୁ ଆସି ଏତଲା ଦେଇଛନ୍ତି ।

ସମ୍ବନ୍ଧିତ ଖବର