ହେଲେଇ ଗାଁ ଡକାୟତି ପର୍ଦାଫାସ: ଧରା ପଡ଼ିଲା ଆନ୍ତଃଜିଲ୍ଲା ଡକାୟତ ଦଳ :ନୟାଗଡ଼ର ୫ ସମେତ ୭ ଗିରଫ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ହେଲେଇ ଗାଁ ଡକାୟତି ଘଟଣାର ପର୍ଦାଫାସ ହୋଇଛି। ଏଥି ସହିତ ଧରାପଡ଼ିଛନ୍ତି ଆନ୍ତଃଜିଲ୍ଲା ଡକାୟତ ଦଳର ସଦସ୍ୟମାନେ। ସେମାନେ ରେଢ଼ାଖୋଲ, ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା କହିଛନ୍ତି ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ। ଏଥିରେ ନୟାଗଡ଼ର ୫ଜଣଙ୍କ ସମେତ ସମୁଦାୟ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୨ ଶାବଳ, ୧ କେଜି ବାରୁଦ, କଳାମୁଖା, ୪ କଟୁରି, ହେଣ୍ଡ ଗ୍ଲୋବ, ୪୭ ଭରି ସୁନା, ନଗଦ ଅର୍ଥ ୭୧୧୦ ଟଙ୍କା ପୁଲିସ ଜବତ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ନୟାଗଡ଼ ଜିଲ୍ଲା ଡେଙ୍ଗା ଥାନା ଭାଡ଼ିକିଲା ଗାଁର ସତ୍ୟବାଦ ମହାରଣା(୪୨), ଫତେଗଡ଼ ଥାନା ବାଲିଆପଟା ଗାଁର ପ୍ରଭାତ ନାୟକ (୪୦), ନାରାୟଣପାଟଣା ଥାନା ପିଟାମାଟି ଗାଁର ମିଟୁ ଓରଫ ଟିକେ ସ୍ୱାଇଁ(୨୭), ଲେଙ୍କଡ଼ିପଡ଼ା ଗାଁର ବିଶ୍ୱରଞ୍ଜନ ଦାସ(୨୧), ପୁରୁଷୋତ୍ତମପୁରର ବାଙ୍କ ଓରଫ ବିମ୍ବାଧର ସାହୁ(୩୦), ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ହରିଜନ ପଡ଼ାର ମଦନ ନନ୍ଦ ଓରଫ ବାବା(୩୧), ଚାରମାଳ ଥାନା ହେଲେଇ ଗାଁର ସୁନା ଦେହୁରୀ (୪୫)।

ଏମାନେ ସମସ୍ତେ ଫେବ୍ରୁଆରି ୨୬ ତାରିଖ ବିଳମ୍ବିତ ରାତି ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଚାରମାଲ ଥାନା ହେଲେଇ ଗାଁର ବଟକୃଷ୍ଣ ପ୍ରଧାନଙ୍କ ଘରେ ପଶିଥିଲେ। ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ୫୦ ଭରି ସୁନା, ୩୮ ହଜାର ଟଙ୍କା ନଗଦ ଲୁଟି ଫେରାର ହୋଇ ଯାଇଥିବା କହିଛନ୍ତି ଏସଡିପିଓ। ମାମଲାରେ ସଂପୃକ୍ତ ଫେରାର ୫ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଛି। ହେଲେଇ ଗାଁର ଡକାୟତି ସୁନା ଦୁବୃର୍ତ୍ତମାନେ ଲୁଟି ଏହାକୁ ପୁରୁଷୋତ୍ତମପୁରର ବିମ୍ବାଧର ସାହୁଙ୍କ ନିକଟରେ ବିକ୍ରି କରି ଦେଇଥିଲେ। ପୁଲିସ ବିମ୍ବାଧରଙ୍କୁ ମଧ୍ୟ ଗିରଫ କରିଛି। ରେଢ଼ାଖୋଲର କେଲାକଟା, ବୀରମହାରାଜପୁର, ନୟାଗଡ଼, ଫତେଗଡ଼ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଡକାୟତି ମାମଲା ସହିତ ଏହି ଗ୍ରୁପର ସଂପୃକ୍ତି ରହିଛି। ଏମାନଙ୍କ ଗ୍ରୁପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସଦସ୍ୟ ରହିଛନ୍ତି। ସମସ୍ତଙ୍କ କାର୍ଯ୍ୟ ବଣ୍ଟନ କରାଯାଇଛି।

ଡକାୟତି ପୂର୍ବରୁ ରଣନୀତି ପ୍ରସ୍ତୁତ ସହିତ କାହା ଘରେ ଡକାୟତି କରାଯିବ ତାଙ୍କ ଘର ଚିହ୍ନଟ କରାଯାଏ। ରୋଡ଼ ମ୍ୟାପ ପାଇଁ ସ୍ୱତନ୍ତ୍ର ସଦସ୍ୟ ରହିଥାଆନ୍ତି। ରାତିରେ କଳା ମୁଖାଧାରୀ ଡକାୟତମାନେ ପହଞ୍ଚି ଯାଆନ୍ତି। ରେଢ଼ାଖୋଲ ହରିଜନ ପଡ଼ାର ବାବା ଓରଫ ମଦନ ନନ୍ଦ ହେଲେଇ ଗାଁର ଡକାୟତି ଘଟଣାର ଯୋଜନା କରିଥିଲେ। ଏଥିରେ ସେହି ଗାଁର ସୁନା ଦେହୁରୀ ସହଯୋଗ କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା ବେଳେ ଚାରମାଳ ପୁଲିସ ନମ୍ବର ବିହୀନ ବାଇକ ଜବତ କରିଥିଲା। ବାଇକଟି ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ରହିଥିଲା। ଏ ନେଇ ପଚରାଉଚୁରା ପରେ ଡକାୟତମାନଙ୍କ ସୁରାକ ମିଳିବା ଆରମ୍ଭ ହୋଇଥିଲା। ଫୋନ ଟ୍ରାକିଂ ଯୋଗୁଁ ଡକାୟତମାନଙ୍କୁ ଧରିବା ସହଜ ହୋଇଥିଲା। ସମ୍ବଲପୁର ପୁଲିସର ସ୍ପେସାଲ ସ୍କ୍ଵାଡ ଏବଂ ଚାରମାଳ ଥାନା ଅଧିକାରୀ ବସନ୍ତ ଦଳାଇଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରୁ ଚଢାଉ କରାଯାଇଛି। ଏ ନେଇ ପୁଲିସ କେସ ନମ୍ବର ୩୩ ଦଫା ୪୫୭/୩୯୫/(୨୫)(୨୭) ଅସ୍ତ୍ରଶସ୍ତ୍ର ନିରୋଧ ଆଇନ୯(ବି) ବଳରେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର