ଦେବଗଡ଼: ଦେବଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିଡିଏମ୍ଓ ଡା. ସୁଶୀଳ କର, ଏଡିଏମ୍ଓ (ଏଫ୍ଡବ୍ଲୁ) ଡା. ଜଗନ୍ନାଥ ପହି, ଏଡିଏମ୍ଓ (ପିଏଚ୍) ଡା. ଜୟନ୍ତ ଉପାଧ୍ୟାୟ, ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ମନୋଜ ଉପାଧ୍ୟାୟ, ଡବ୍ଲୁଏଚଓ ଏସ୍ଏମ୍ଓ ଡା. ସନ୍ତୋଷ ସାହୁ, ଡିଆଇପିଆର୍ଓ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୨୯ ତାରିଖରୁ ଅଭିଯାନ ଆରମ୍ଭ କରାଯାଇ ୯୪୫୪୯ରୁ ଅଧିକ ଶିଶୁଙ୍କୁ ଟୀକାକରଣ କରାଯିବା ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ସ୍କୁଲ୍, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ୯ ମାସରୁ ୧୫ ବର୍ଷ ବୟସ୍କ ପର୍ଯ୍ୟନ୍ତ ପିଲାଙ୍କୁ ବିନା ମୂଲ୍ୟରେ ଏହି ଟିକା ଦିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ପିଲାଙ୍କ ଡାହାଣ ବାହୁର ଚର୍ମ ତଳେ ୦.୫ ମିଲି ମାତ୍ରାର ଏହି ଟିକା ଦିଆଯିବ। ଏଥି ପାଇଁ ସମସ୍ତ ଶିକ୍ଷକ, ୮୧୩ ଅଙ୍ଗନଓ୍ଵାଡ଼ି କର୍ମୀ, ୩୬୧ ଆଶାକର୍ମୀ, ୯୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେହିପରି ୬୩୩ଟି ସ୍ୱାସ୍ଥ୍ୟକର୍ମୀ ଦଳ, ୨୧୧ଟି ବ୍ଲକ୍ସ୍ତରୀୟ ତଦାରଖକାରୀ ଦଳଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ୭୨୨ଟି ସ୍କୁଲ୍, ୮୧୩ଟି ଅଙ୍ଗନଓ୍ଵାଡ଼ି କେନ୍ଦ୍ର ଓ ୧୧ଟି ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯିବ ବୋଲି ଚିହ୍ନଟ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଥିଲେ। ଉକ୍ତ ଟୀକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ବେଳେ ଯଦି ସେଭଳି କିଛି ଦେଖା ଦିଏ ତେବେ ତୁରନ୍ତ ଡାକ୍ତରଖାନାକୁ ପଠାଇବାକୁ ସଂପୃକ୍ତ ସ୍ଥାନରେ ଗାଡ଼ି ବ୍ୟବସ୍ଥା କରାଯାଇଥିବା, କୌଣସି ଶିଶୁ ଏବଂ କିଶୋର/କିଶୋରୀ ଚିହ୍ନଟ କେନ୍ଦ୍ରଗୁଡ଼ିକରେ ଟୀକା ନେଇ ନପାରିଲେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ସିଏଚ୍ସିରେ ନେଇପାରିବେ ବୋଲି ସିଡିଏମ୍ଓ ଡା. କର ସୂଚନା ଦେଇଛନ୍ତି। ଏସ୍ଏମ୍ଓ ଡା. ସାହୁ ଟୀକାକରଣର ଉପାଦେୟତା, ପାର୍ଶ୍ୱ ପ୍ରତିକ୍ରିୟା, ମାଧ୍ୟମ, କିପରି ଟୀକାକରଣ କରାଯିବ ସେ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏନ୍ଏଚ୍ଏମ୍ ଡିପିଏମ୍ ମନୋରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/debagada.jpg)