କୋରାପୁଟ ଜିଲ୍ଲା ପଥର କ୍ୱାରି ଦୁର୍ଘଟଣା:୧୪ ଦିନ ପରେ ପହଞ୍ଚିଲା ଘନଶ୍ୟାମଙ୍କ ଶବ

ଝରାକଣ୍ଡଳରେ ଶୋକାକୁଳ ପରିବେଶ

ଦେବଗଡ଼: ସବୁଆଡ଼େ ରଜ ପର୍ବ ପାଇଁ ଉତ୍ସବର ମାହୋଲ ରହିଥିବା ବେଳେ ଜିଲ୍ଲାର ଝରାକଣ୍ଡଳ ଗ୍ରାମରେ ଗୁରୁବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ବରିପୁଟ ନିକଟରେ ଥିବା ଗୁମ୍ମାପଥର କ୍ୱାରି ଧସିବା ଘଟଣାରେ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୪ ଦିନ ପରେ ତାଙ୍କ ଶବ ଗାଁରେ ପହଞ୍ଚିଛି। ଏନେଇ ପରିବାର ବର୍ଗ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବୁଧବାର ପଥର କ୍ୱାରିରେ ଜେସିବି ଅପରେଟର ଭାବେ କାମ କରୁଥିବା ବାରକୋଟ ବ୍ଲକ ଝରାକଣ୍ଡଳ ଗ୍ରାମର ଘନଶ୍ୟାମ ଗୁରୁଙ୍କ ମୃତଦେହ ମିଳିଥିଲା। ତାଙ୍କ ଶବ ଗାଁରେ ପହଞ୍ଚିବା ପରେ ପରିବାର ପକ୍ଷରୁ ଜଣଙ୍କୁ ଚାକିରି ପ୍ରଦାନ, ଘର ପ୍ରଦାନ ସହ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଛି।
ଝରାକଣ୍ଡଳ ଗ୍ରାମର ଦୁର୍ଯ୍ୟୋଧନ ଗୁରୁଙ୍କ ପୁଅ ଘନଶ୍ୟାମ (୨୮) ଗତ ଜାନୁଆରିରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକର ବରିପୁଟ ନିକଟରେ ଥିବା ଗୁମ୍ମାପଥର କ୍ୱାରିକୁ ଜେସିବି ଅପରେଟର କାମ କରିବା ପାଇଁ ଯାଇଥିଲେ। ଗତ ମାସ ୩୧ ତାରିଖ କ୍ୱାରିରେ ପଥର ଖସିବା ଫଳରେ କାର୍ଯ୍ୟରତ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇଯାଇଥିଲେ। ସେହିଦିନ ରାତିରେ ହିଁ ତାଙ୍କ ପରିବାର ବର୍ଗ ଖବର ପାଇବା ପରେ ତାଙ୍କ ବାପା ଓ ସାନଭାଇ ଉକ୍ତ ସ୍ଥାନକୁ ଯାଇଥିଲେ। ସେହି ଦିନଠାରୁ ତାଙ୍କ ଘରେ ଚୁଲି ମଧ୍ୟ ଜଳୁ ନଥିଲା। ୨ ସପ୍ତାହ ପରେ ସେଠାରୁ ଘନଶ୍ୟାମ ଗୁରୁଙ୍କ ମୃତଦେହ ମିଳିଥିଲା । ଗୁରୁବାର ଶୋକାକୁଳ ପରିବେଶ ମଧ୍ୟରେ ଘନଶ୍ୟାମଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ମୃତକଙ୍କ ପରିବାରବର୍ଗକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ଏବଂ ରେଡକ୍ରସ ଫଣ୍ଡରୁ ୧ ଲକ୍ଷ ଟଙ୍କା କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର