ଦେବଗଡ଼:୧୯୪୯ ମସିହାରୁ ଆରମ୍ଭ ହୋଇଥିବା ତଥା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଦେବଗଡ଼ ଜିଲ୍ଲାର ସାର୍ବଜନୀନ ଗଣେଶ ପୂଜା ଆୟୋଜନ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଗତ କିଛି ବର୍ଷ ହେଲା ପୂଜାକୁ ନେଇ ବିବାଦ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ଆରୋପ ପ୍ରତ୍ୟାରୋପକୁ ନେଇ କର୍ମକର୍ତା ଚୟନ ହୋଇ ନପାରିବା ଏହି ଆଶଙ୍କାକୁ ବଢ଼ାଇ ଦେଇଛି। ଆଜି ସ୍ଥାନୀୟ ଗୋପାଳ ଜିଉ ମନ୍ଦିର ପ୍ରାଙ୍ଗଣରେ ବିଗତ ବର୍ଷର ଆୟବ୍ୟୟର ହିସାବ ଏବଂ ନୂତନ କର୍ମକର୍ତ୍ତା ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉତ୍ତେଜନା ଦେଖାଦେବାରୁ କର୍ମକର୍ତ୍ତା ଚୟନ ହୋଇ ପାରି ନଥିଲା।
ସୂଚନା ଅନୁଯାୟୀ, ଦେବଗଡ଼ ସାର୍ବଜନୀନ ଗଣେଶ ମେଳାର ଗତ ବର୍ଷର ଆୟବ୍ୟୟ ହିସାବ ଏବଂ ନୂତନ କର୍ମକର୍ତା ଚୟନ ପାଇଁ ରବିବାର ବୈଠକ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ସଭାପତି ଧର୍ମେନ୍ଦ୍ର ଦେବତା, ସଂପାଦକ ଶଶାଙ୍କ ଶେଖର ଝାଙ୍କର, କୋଷାଧ୍ୟକ୍ଷ ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ଗତ ବର୍ଷର ଆୟ ବ୍ୟୟ ହିସାବ ଦେଇଥିଲେ। ଗତବର୍ଷ ପୂଜାରେ ୨୪ଲକ୍ଷ ୫୯ହଜାର ୯ଶହ ଟଙ୍କା ଆୟ ହୋଇଥିବା ବେଳେ ୨୪ଲକ୍ଷ ୩୭ହଜାର ୯ ଶହ ଟଙ୍କା ବ୍ୟୟ ଓ ୨୧ ହଜାର ୧ଶହ ଟଙ୍କା ବଳକା ଅଛି ବୋଲି ବୈଠକରେ ହିସାବ ଦିଆଯାଇଥିଲା। ପରେ ନୂଆ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ସଭାପତି ଭାବେ ତିନି ଜଣ ଧର୍ମେନ୍ଦ୍ର ଦେବତା, ରାଜକିଶୋର ଦାଶ ଏବଂ ବାପି କପରଦାରଙ୍କ ନାମ ତାଙ୍କର ପ୍ରସ୍ତାବକମାନେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ସମୟରେ ବିଭିନ୍ନ କାରଣକୁ ନେଇ ଉତ୍ତେଜନା ଦେଖାଦେଇଥିଲା। କଥା କଟାକଟିରେ ବୈଠକ ସରିଥିଲେ ମଧ୍ୟ ନୂଆ କର୍ମକର୍ତା ଚୟନ ହୋଇ ପାରି ନଥିଲା।
ସୂଚନାଯୋଗ୍ୟ ଯେ, ୨୦୧୫ରେ ଗଣେଶ ମେଳା କମିଟି ପଞ୍ଜୀକରଣ କରାଯାଇଥିଲା। ତେବେ ପରିଚାଳନା କମିଟି ଦ୍ବାରା କୌଣସି କାର୍ଯ୍ୟ ହେଉ ନଥିବା ଦର୍ଶାଇ ପୂର୍ବ ସଭାପତି ସୁଶୀଲ କପରଦାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ କିଛି ବର୍ଷ ହେଲା ଗଣେଶ ପୂଜା କମିଟିକୁ ନେଇ ଲାଗି ରହିଥିବା ବିବାଦ ଯୋଗଁୁ ପୂଜା ପାଖେଇ ଆସୁଥିବା ବେଳେ ଚଳିତ ବର୍ଷ ପୂଜା ଆୟୋଜନ କି ମୋଡ଼ ନେବ ସେ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ହୋଇପାରିଲା ନାହିଁ କର୍ମକର୍ତା ଚୟନ
ଦେବଗଡ଼ ସାର୍ବଜନୀନ ଗଣେଶ ମେଳା
/sambad/media/post_attachments/wp-content/uploads/2019/07/debagad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)