ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଆଜି ଆଜି ସକାଳ ୯.୩୦ ମିନିଟ୍ ପର୍ଯ୍ୟନ୍ତ ଫାଟକରେ ତାଲା ଝୁଲୁଥିଲା। ତେବେ ଆଜି ନୁହେଁ ବହୁ ଦିନ ହେଲା ବିଳମ୍ବରେ ଚିକିତ୍ସାଳୟ ଖୋଲୁଥିବା ଚାଷୀ କହିଛନ୍ତି। କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବହୁ ଗୋ ଚାଷୀ,ଛେଳି ଚାଷୀ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥିବା ବେଳେ ଆଉ କିଛି ଅପେକ୍ଷା କରି କରି ଫେରି ଯାଇଥିଲେ। ଚିକିତ୍ସାଳୟ ବନ୍ଦ ଓ କର୍ମଚାରୀ ନ ଥିବାରୁ ପରୀକ୍ଷା ପାଇଁ ଆଣିଥିବା ଗୋବର କବାଟରେ ଲଟକେଇ ଚାଷୀ ପଳେଇ ଆସୁଛନ୍ତି। ବର୍ତ୍ତମାନ ଗୋରୁ ଓ ଛେଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ତୁରନ୍ତ ଚିକିତ୍ସା ନ ଯୋଗାଇଲେ ସମସ୍ୟା ଅଧିକ ଜଟିଳ ହେଉଛି। ଏଭଳି ସ୍ଥିତିରେ ଦୁର୍ଦ୍ଦିନରେ ଚାଷୀ ହନ୍ତସନ୍ତ ହେଉଛନ୍ତି, ଯାହାକି କର୍ମଚାରୀଙ୍କ ଅବହେଳା କାର୍ଯ୍ୟ ଓ ବିଳମ୍ବ ଆସିବା ଚାଷୀ ମହଲରେ ଅଶାନ୍ତି ସୃଷ୍ଟି କରିଛି।
ସକାଳ ୮ଟା ରୁ ଖୋଲିବା ନିୟମ ଥିଲେ ହେଁ ଜଣେ ବି କର୍ମଚାରୀଙ୍କ ଦେଖା ମିଳୁ ନାହିଁ। ସକାଳ ୯ ଟା ୩୦ ଯାଏଁ କେହି ବି କର୍ମଚାରୀ ଆସି ନ ଥିଲେ।ଏ ବାବଦରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ସୁସ୍ମିତା ସେଠୀଙ୍କୁ ପଚାରିବାରୁ ସେ ଭୁବନେଶ୍ୱର ତାଲିମ ପାଇଁ ଯାଇଥିବା କହିଛନ୍ତି। ଅତିରିକ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରମାକାନ୍ତ ଶତପଥୀ ଲୁଲଙ୍ଗ ପଞ୍ଚାୟତ ସିମିଳିତା ଗ୍ରାମକୁ ଫିଲ୍ଡ କାର୍ଯ୍ୟ ଓ ପିଅନ ଦୀପକ ପ୍ରଧାନ ଭୁବନେଶ୍ୱର ଷ୍ଟ୍ରାଇକକୁ ଯାଇଥିବା କହିଛନ୍ତି।
ପ୍ରକାଶ ଥାଉକି ରିଆମାଳ ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପିତ ହେଲା ପରେ ରିଆମାଳ ଅଞ୍ଚଳର ଗୋ ଚାଷୀଙ୍କ ତତ୍ପରତା ପ୍ରକାଶ ପାଇବା ସହିତ ବହୁ ଜନସାଧାରଣ ଗୋ ଚାଷ ପ୍ରତି ମନ ବଳାଇଛନ୍ତି। କ୍ଷୀର ଲିଟର ପିଛା ଭଲ ଆୟ କରି ଏହାକୁ ରୋଜଗାର ପନ୍ଥା ଆପଣେଇଛନ୍ତି।। ସକାଳ ୯.୩୦ ସମୟରେ ଜଣେ ଚାଷୀ ଛେଳି ଆଣି ଅପେକ୍ଷା କରିଥିବା ବେଳେ କିଛି ଗାଈର ଗୋବର କବାଟରେ ଝୁଲୁଥିଲା। ଏପରି ହେଲେ କିଭଳି ଗୋ ଚାଷୀ କ୍ଷୀର ସଂଗ୍ରହ କରି ଶୀତଳୀକରଣ କେନ୍ଦ୍ରରେ ଦେବେ,ଯାହାକି ଚାଷୀଙ୍କ ମନରେ ହତାଶ ଭାବ ସୃଷ୍ଟି ହେଉଅଛି।ଅନ୍ୟ ପକ୍ଷରେ ଦେବଗଡ଼ ଜିଲ୍ଲାପାଳ ଗୋ ଚାଷ ପ୍ରତି ଗୁରୁତ୍ବ ଦେଉଥିବା ବେଳେ ରିଆମାଳ ଗୋଷ୍ଠୀ ପ୍ରାଣୀ ବିଭାଗର ମନମୂଖୀ କାର୍ଯ୍ୟ ପାଇଁ ଗୋ ଚାଷୀ ଓ ଛେଳି ଚାଷୀ ମନରେ ନାନାଦି ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ମନୋବଳ ଭାଙ୍ଗି ଯାଉଅଛି । ସେହିପରି କର୍ମଚାରୀ ଅଭାବରୁ ବର୍ତ୍ତମାନ ଚିକିତ୍ସାଳୟଟି ବହୁ ସମସ୍ୟା ଦେଇ ଗତି କରୁଛି ବୋଲି ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି। ତେବେ ଚିକିତ୍ସାଳୟରେ ଜଣେ କର୍ମଚାରୀ ନିତାନ୍ତ ରହିବା ଆବଶ୍ୟକ ଥିବା ବେଳେ ସମସ୍ତେ କେଉଁ ପ୍ରକାର ଫିଲ୍ଡ କାମ ଦେଖାଉଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଅଧିକ କର୍ମଚାରୀ ନିୟୋଜିତ କରିବାକୁ ଚାଷୀମାନେ ଦାବି କରିଛନ୍ତି।