ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଝରାବେରିଣୀ ଗାଁର ଏସ୍ଏଚ୍ଜି ସଦସ୍ୟାମାନଙ୍କୁ କୁଣ୍ଢେଇଗୋଳା ଥାନାର ଜନୈକ ଏଏସ୍ଆଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସେମାନେ ଶୁକ୍ରବାର ଦେବଗଡ଼ ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଝରାବେରେଣୀ ଗାଁରେ ଗ୍ରାମବାସୀମାନେ ରଖିଥିବା ଏକ ଜାଗାରେ ଚେମରୁ ପାତ୍ର ୨୦୦୩ ମସିହାରେ ଗୁହାଳ ଘର ଓ ଖତ ଗଦା କରିଥିଲେ। ଯେହେତୁ ତାହା ଗ୍ରାମବାସୀଙ୍କ ସଂରକ୍ଷିତ ଜାଗା ତେଣୁ ସେମାନେ ଯେବେ ଚାହିଁବେ ଗୁହାଳ ଓ ଖତଗଦା ଉଠାଇ ଦେବେ ବୋଲି ଶ୍ରୀ ପାତ୍ର ଚୁକ୍ତିନାମା କରଥିଲେ। ମାତ୍ର ତାଙ୍କ ଦୁଇ ପୁଅ ବାପା କରିଥିବା ଚୁକ୍ତିନାମାକୁ ଅସ୍ୱୀକାର କରି ଗ୍ରାମବାସୀଙ୍କୁ ହଇରାଣ କରି ଆସୁଛନ୍ତି। ଅନ୍ୟପଟେ ଅନ୍ୟ ଏକ ଜାଗାରେ ଗାଁର ଅଭିରାମ ସାହୁ ପାଳ ଗଦା ଓ ଖତ ଗଦା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ଗ୍ରାମବାସୀ କୁଣ୍ଡେଇଗୋଳା ଥାନାରେ ଅଭିଯୋଗ କରିଥିଲେ। ତେବେ ଏପ୍ରିଲ ୨୭ ତାରିଖ ଦିନ ଶ୍ରୀ ପାତ୍ରଙ୍କ ଦୁଇ ପୁଅ ଥାନାରେ ପହଞ୍ଚି ଗ୍ରାମବାସୀଙ୍କ ଉପସ୍ଥିତିରେ ୧୫ ଦିନ ଭିତରେ ଗୁହାଳ ଓ ଖତଗଦା ଉଠାଇ ଦେବାକୁ ଆପୋଷ ବୁଝାମଣା କରିଥିଲେ। ମାତ୍ର ଧାର୍ଯ୍ୟ ସମୟରେ ସେମାନେ ତାହା ନ କରିବାରୁ ପୁଣି ଥରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଫଳରେ ପାଳ ଓ ଖତ ଗଦା କରିଥିବା ସଂପୃକ୍ତ ବ୍ୟକ୍ତିମାନେ ଗାଁର ଏସ୍ଏଚ୍ଜି ସଦସ୍ୟାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ସେମାନେ ଗ୍ରାମବାସୀଙ୍କ ନିଷ୍ପତ୍ତି ଅନୁସାରେ ଗୁରୁବାର ଉଭୟ ବ୍ୟକ୍ତିଙ୍କ ପାଳ ଗଦା ଓ ଖତ ଗଦା ଭାଙ୍ଗି ଦେଇଥିଲେ। ତେବେ ଉକ୍ତ ଦିନ ରାତିରେ ଥାନାର ଜନୈକ ଏଏସ୍ଆଇ ରାତି ପ୍ରାୟ ୮ଟା ବେଳେ ଏସ୍ଏଚ୍ଜିର ସଦସ୍ୟାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଏତଲାରେ ଦର୍ଶାଯାଇଛି। ଶୁକ୍ରବାର ଝରାବେରଣୀ ଗାଁର ୧୨ଟି ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଉପରୋକ୍ତ ଅଭିଯୋଗ କରିବା ସହ ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।