ରିଆମାଳ: ନିଜ ଛୁଆ ପ୍ରତି ନିର୍ଦ୍ଦୟୀ ହେଲା ମା’। ଆଗରୁ ବାପ ଛେଉଣ୍ଡ ହୋଇଥିଲେ। ଏବେ ମା’ ଛାଡ଼ି ଫେରାର ହୋଇଗଲା। ୪ ଜଣ ଛୁଆ ଏବେ ଅସହାୟ ଅବସ୍ଥାରେ। ଏମିତି ଏକ ଦୁଃଖଦ ଘଟଣା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଅନ୍ତର୍ଗତ ତଲେଇସର ଗ୍ରାମରେ ଦେଖିବାକୁ ମିଳିଛି। ନିଜ ଜନ୍ମିତ ୪ ସନ୍ତାନଙ୍କୁ ଛାଡି ପ୍ରାୟ ୧୫ ଦିନରୁ ଅଧିକ ହେବ ମା’ କୁଆଡ଼େ ଚାଲିଯାଇଛି। ଫଳରେ ଆଗରୁ ବାପ ଛେଉଣ୍ଡ ହୋଇପଡ଼ିଥିବା ୪ ସନ୍ତାନ ଏବେ ବେସାହାରା ହୋଇପଡ଼ିଛନ୍ତି। ଏହି କୁନି କୁନି ଛୁଆମାନେ ଏବେ ଭୋକ ବିକଳରେ ସାହି ପଡିଶାଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଘର ଛାଡି ଯିବା ବେଳେ ମା’ ନିଜ ସମସ୍ତ ସରକାରୀ କାଗଜପତ୍ର ସାଥିରେ ନେଇ ଯାଇଥିବା ପାଖ ପଡ଼ିଶା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତଲେଇସର ଗ୍ରାମର ଭୋଳେଶ୍ଵର ଶବର ପ୍ରାୟ ଅଢେଇ ବର୍ଷ ପୂର୍ବେ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ।
ଭୋଳେଶ୍ଵରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସବିତା ଶବର ନିଜ ୪ ସନ୍ତାନ ବଡ଼ ଝିଅ ପୂର୍ଣ୍ଣିମା, ପୁଅ ପରଦେଶୀ, ଝିଅ ପିଙ୍କି ଓ ୩ ବର୍ଷର ସାନ ପୁଅ ପ୍ରଦୀପକୁ ନେଇ ଭଙ୍ଗା ଦଦରା ଘରେ ରହୁଥିଲେ। ଏଠିସେଠି କାମଧନ୍ଦା କରି ଚଳୁଥିଲେ। ତେବେ ୧୫ ରୁ ୨୦ ଦିନ ହେବ ସବିତା ନିଜ ୪ ସନ୍ତାନଙ୍କୁ ଛାଡି ହଠାତ କେଉଁଆଡ଼େ ଚାଲିଯାଇଛନ୍ତି। ଫଳରେ ଏହି ପିଲାମାନଙ୍କର ଦୁଃଖ ଦ୍ବିଗୁଣିତ ହୋଇପଡ଼ିଛି। ପାଖ ପଡୋଶୀ ସେମାନଙ୍କୁ ଖାଇବାକୁ ଭାତ ଗଣ୍ଡେ ଦେଉଥିବା ବେଳେ ଏମାନେ ସ୍ଥାନୀୟ ସରପଞ୍ଚ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଠାରେ ଗୁହାରି କରିଥିବା ଜଣାପଡିଛି। ସୂଚନା ପାଇ ସରପଞ୍ଚ ଶ୍ରୀ ପ୍ରଧାନ କିଛି ଆର୍ଥିକ ସାହାଯ୍ୟ କରିଥିବା ଜଣାପଡିଛି। ଆର୍ଥିକ ଅନଟନ କାରଣରୁ ନିଜ ଜନ୍ମ କଲା ମା’ ପିଲାମାନଙ୍କ ପ୍ରତି ଏମିତି ନିର୍ଦ୍ଦୟୀ ସାଜିବା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାପ ଛେଉଣ୍ଡ ୪ ଛୁଆଙ୍କୁ ଛାଡ଼ି ମା’ ଫେରାର୍
/sambad/media/post_attachments/wp-content/uploads/2024/03/d2942868-84ff-4ac1-bec4-6849f9f43b9b.jpg)