ଚାହିଦା ଅନୁସାରେ ମିଳୁନି ବିହନ:ଦରକାର ୩୩୧୫ କୁଇଣ୍ଟାଲ ଆସିଛି ୧୯୪୦ କୁଇଣ୍ଟାଲ ବିହନ

ଦେବଗଡ଼: ସାଧାରଣତଃ ଅକ୍ଷୟ ତୃତୀୟା ପରଠାରୁ ଜିଲ୍ଲାରେ ଖରିଫ ଋତୁର ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଆଉ କିଛି ଦିନ ମଧ୍ୟରେ ମୌସୁମୀ ବର୍ଷା ହେବ। ଜିଲ୍ଲାରେ ବିଭିନ୍ନ ପ୍ରକାର ଧାନ ବିହନ ପାଇଁ ଚଳିତ ଖରିଫ ଋତୁରେ ୩୩୧୫ କୁଇଣ୍ଟାଇ ଆବଶ୍ୟକ ପଡୁଥିବା ବେଳେ ଏହାର ପ୍ରତିବଦଳରେ ଆସିଛି ମାତ୍ର ୧୯୪୦ କୁଇଣ୍ଟାଲ ବିହନ। ଦରକାର ଠାରୁ କମ ବିହନ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାକୁ ଆସିଥିବାରୁ କୃଷିବିଭାଗର ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଉପଯୁକ୍ତ ସମୟରେ ଜିଲ୍ଲାରେ ଚାଷୀମାନଙ୍କ ପାଖରେ ଠିକ ଭାବେ ବିହନ ପହଞ୍ଚି ନଥିବାରୁ କିପରି ଚାଷ କାର୍ଯ୍ୟ ଆରମ୍ଭ ହେବ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିଳ୍ପ ବିହୀନ ଦେବଗଡ ଜିଲ୍ଲାରେ ପ୍ରାୟତଃ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାରେ ୬୬,୯୫୦ ଚାଷ ଜମି ମଧ୍ୟରୁ ୩୪,୫୦୦ ହେକ୍ଟର ଜମିରେ ଧାନ ଚାଷ ହେଉଛି।

୩୨,୪୫୦ ହେକ୍ଟରରେ ଚାଷ ଜମିରେ ଅଣ ଧାନ ଚାଷ ହେଉଛି। ବର୍ତ୍ତମାନ ସୁଦ୍ଧା କୃଷି ବିଭାଗ ପକ୍ଷରୁ ଜିଲ୍ଲାରେ ୨୯ଟି ସେବା ସମବାୟ ମଧ୍ୟରୁ ୨୬ଟି ସୋସାଇଟି ମାଧ୍ୟମରେ ବିହନ ବଣ୍ଟନ ହେଉଛି। ହେଲେ, ତାହା ପର୍ଯ୍ୟାପ୍ତ ହେଉ ନଥିବା ଜଣାପଡ଼ିଛି। ବାରକୋଟ ବ୍ଲକରେ ୭୬୦ କୁଇଣ୍ଟାଲ, ରିଆମାଳ ବ୍ଲକରେ ୭୦୦ କୁଇଣ୍ଟାଲ, ତିଲେଇବଣି ବ୍ଲକରେ ୪୮୦ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଛି। ଆବଶ୍ୟକ ପରିମାଣରେ ବିହନ ଆସି ନଥିବାରୁ ଏ ପର୍ଯ୍ୟନ୍ତ ବି ବହୁ ଚାଷୀ ନିକଟରେ ତାହା ପହଞ୍ଚି ପାରୁ ନାହିଁ। କିପରି ଚାଷ କାର୍ଯ୍ୟ ଆରମ୍ଭ କରିବେ ଚିନ୍ତିତ ଅଛନ୍ତି ଚାଷୀକୁଳ। ତେବେ, ଅବଶିଷ୍ଟ ଥିବା ୧୩୭୫ କୁଇଣ୍ଟାଲ ବିହନ ୭ ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେଥିମଧ୍ୟରେ ପୂଜା ଧାନ, ୧୦୦୧ ଧାନ, ସ୍ୱର୍ଣ୍ଣ,୧୦୧୦ କିସମର ଧାନବିହନ ଯୋଗାଇ ଦିଆଯିବ। ଜିଲ୍ଲାର ଲଇମୁରା, ଦଣ୍ଡାସିଂଘା ଓ ଚଢେଇମୋରା ଗ୍ରାମକୁ ଆଗାମୀ ୨ ଦିନ ମଧ୍ୟରେ ବିହନ ଯୋଗାଇ ଦିଆଯିବ ବୋଲି କୃଷି ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର