ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ

ଦେବଗଡ଼: ଦେବଗଡ଼ ଶିଳ୍ପବିହୀନ ଜିଲ୍ଲା ହୋଇଥିବାରୁ ଏଠାରୁ ପ୍ରତି ବର୍ଷ ବହୁ ଗରିବ ଲୋକ କାମ ଧନ୍ଦା ଅନେ୍ଵଷଣରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥାନ୍ତି। ତେବେ ପ୍ରାୟତଃ ସମସ୍ତେ ଗରିବ ଓ ନିରକ୍ଷର ଯୋଗୁଁ ଅଧିକାଂଶ ସମୟରେ ସେମାନେ ଦଲାଲ୍‌ ଓ କାମ କରିବାକୁ ଯାଇଥିବା ସଂସ୍ଥା ମାଲିକଙ୍କ ଦ୍ୱାରା ଶୋଷିତ ଓ ନିର୍ଯାତିତ ହୋଇ ଆସୁଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଅନେକ କାମ କରିବାକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିବା ବେଳେ ଅସହାୟ ପରିବାର ବର୍ଗ ସେମାନଙ୍କ ବାଟ ଚାହିଁ ବସିବା ହିଁ ସାର ହେଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୯ ନମ୍ବର ଓ୍ଵାର୍ଡର ନୀଳବେର୍ଣ୍ଣି ସାହିରେ।

ସାହିର ସାମୁଏଲ କୁଲାଙ୍କ ପୁଅ ମନୋଜ କୁଲା ୫/୬ ମାସ ତଳେ ଜଣେ ଦଲାଲ ସହ କାମ କରିବାକୁ ତାମିଲନାଡ଼ୁ ଯାଇଥିଲେ। ତେବେ ଉକ୍ତ ଦଲାଲ ସହ ପୁଅ ତାମିଲନାଡୁର କେଉଁ ସ୍ଥାନକୁ କାମ କରିବାକୁ ଯାଇଛି ସେ ନେଇ ସେ ନେଇ ତାଙ୍କ ପାଖରେ କୌଣସି ସୂଚନା ନ ନଥିବା ବେଳେ ଯିବା ପରେ ଆଉ ତା’ ସହ ଯୋଗାଯୋଗ ହୋଇପାରି ନାହିଁ। ଫଳରେ ଫେରିବା ବାଟକୁ ଚାହିଁ ଚାହିଁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ସାମୁଏଲ କହିଛନ୍ତି। ଏ ନେଇ ସାମୁଏଲ୍‌ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରାଙ୍କୁ ପଚାରିବାରେ ତାଙ୍କ ପାଖରେ ଅଭିଯୋଗ ହୋଇଥିବା ଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଦାରିଦ୍ର୍ୟ ଓ କାମ ଅଭାବରୁ ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ପ୍ରଶାସନ ଓ ଶ୍ରମ ବିଭାଗ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର