ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଅହଲ୍ୟାଛକ ଗାଁର ବୃଦ୍ଧ ଦମ୍ପତି ମାଛ ମାରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ ସେଠାରେ ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ଉଭୟଙ୍କ ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ଗାଁ’ର ବୃଦ୍ଧ ଦମ୍ପତି ଦ୍ବାରୀ ନାଏକ (୬୦) ଓ ଚାନ୍ଦିନୀ ନାଏକ (୫୦) ଗତ ବୁଧବାର ମାଛ ମାରିବାକୁ ରେଙ୍ଗାଳି ନଦୀ ବନ୍ଧର ତୋଡ଼ା ପାଣି ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ସେମାନେ ଡଙ୍ଗାରେ ବସି ମାଛ ମାରୁଥିବା ବେଳେ କୌଣସି କାରଣରୁ ତାହା ବୁଡ଼ି ଯାଇଥିଲା। ମାଛ ମାରିବାକୁ ଯାଇଥିବା ଅନ୍ୟମାନେ ଦୂରରେ ଥିବାରୁ କେହି ବି ସେମାନଙ୍କ ବିଷୟରେ ଜାଣି ପାରିଲେ ନାହିଁ। ତେବେ ପରେ ବୃଦ୍ଧ ଦମ୍ପତିଙ୍କୁ ସେଠାରେ ନ ପାଇ ଅନ୍ୟମାନେ କାଳେ ଘରକୁ ଚାଲି ଯାଇଥିବେ ଭାବି ଦ୍ବାରୀଙ୍କ ପୁଅକୁ ପଚାରିଥିଲେ। ମାତ୍ର ସେ ଘରକୁ ଆସି ନଥିବା ଜାଣିବା ପରେ ଗାଁ ଲୋକେ ମିଶି ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ଗୁରୁବାର ସନ୍ଧ୍ୟାରେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ଦ୍ବାରୀ ଓ ଚାନ୍ଦିନୀଙ୍କ ଶବ ଭାସୁଥିବା ଦେଖି ତାଙ୍କ ଘରକୁ ଓ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ମାଛ ମାରିବାକୁ ଯାଇ ବୃଦ୍ଧ ଦମ୍ପତି ମୃତ, ଶବ ଉଦ୍ଧାର
/sambad/media/post_attachments/wp-content/uploads/2018/10/person-sinking-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)