ହାତୀ କଚାଡ଼ି ଦେବାରୁ ବୃଦ୍ଧ ମୃତ ଓ ମହିଳା ଆହତ

ଦେବଗଡ଼: ସୋମବାର ସକାଳେ ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସରବ୍ୟ ହୋଇ ଦୁଇଟି ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ଓ ଜଣେ ମହିଳା ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ବୃଦ୍ଧ ହେଉଛନ୍ତି ଲୁଲଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କୁଦର ଗ୍ରାମର ବାସିନ୍ଦା ୬୫ ବର୍ଷିୟ ଶନିଆ କୁଦର। ସକାଳ ପ୍ରାୟ ୮ଟା ପରେ ସେ ବିଲକୁ ଯିବା ରାସ୍ତାରେ ତାଙ୍କ ଅଜାଣତରେ ପଛପଟୁ ଗୋଟାଏ ହାତୀ ଆସି ଥୋଡ଼ପାହାଡ଼ରେ ତାଙ୍କୁ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

ସେହି ଏକା ହାତୀ ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଥିବା ମହିଳାଜଣକ ହେଉଛନ୍ତି କଣ୍ଟାବାହାଳ ଗ୍ରାମପଞ୍ଚାୟତ ଅଞ୍ଚଳର ଶୁଣ୍ଢିନାଳୀ ଗ୍ରାମବାସିନୀ ୫୮ ବର୍ଷୀୟ ସୀତା ସାହୁ। ଆଜି ସକାଳୁ ସୀତା ଶୌଚହେବା ଲାଗି ପଦାକୁ ଯାଇଥିବା ବେଳେ ପଛଆଡୁ ହାତୀଟି ଆସି ତାଙ୍କୁ ଉଠାଇ ନେଇ କଚାଡ଼ି ଦେଇଥିଲା। କଚଡ଼ା ଖାଇ ସୀତାଙ୍କ କମର ଓ ପିଠିରେ ଖୁବ୍‌ ଆଘାତ ଲାଗିଛି।

ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ଲାଗି ସେଠାରୁ ତାଙ୍କୁ ସମ୍ବଲପୁରସ୍ଥିତ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରଯାଇଛି।

ବନବିଭାଗ କର୍ମଚାରୀମାନେ ସେଠାକୁ ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.