ଦେବଗଡ଼ :  ଖାଉଟି ଅଦାଲତରେ ପୋଷ୍ଟମାଷ୍ଟର ଦଣ୍ଡିତ

ଦେବଗଡ଼ : ସେବା ପ୍ରଦାନରେ ଅବହେଳା ଯୋଗୁଁ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ଶାଖାର ପୋଷ୍ଟମାଷ୍ଟରଙ୍କୁ ଜିଲ୍ଲା ଖାଉଟି ଅଦାଲତ ୩୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ରିଆମାଳ ବ୍ଲକର କରଲଗା ଗ୍ରାମର ହୃଷୀକେଶ ନାୟକ ଜିଲ୍ଲା ଜଜ୍‌ଙ୍କ କାର୍ଯ୍ୟାଳୟର ଜୁନିଅର ଟାଇପିଷ୍ଟ ପଦ ନିମନ୍ତେ ଆବେଦନ କରିଥିଲେ। ଉକ୍ତ ପଦରେ ପରୀକ୍ଷା ନିମନ୍ତେ ଗତ ଜାନୁଆରି ମାସ ୫ ତାରିଖ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାଙ୍କ ନିକଟକୁ ଆଡମିଟ କାର୍ଡ ନ ଆସିବାରୁ ବାରମ୍ବାର ପୋଷ୍ଟ ଅଫିସକୁ ଯାଇ ତାଙ୍କ ନାମରେ କୌଣସି ଚିଠି ଆସିଛି କି ନାହିଁ ପଚାରି ବୁଝିଥିଲେ। କିନ୍ତୁ ସଂପୃକ୍ତ ପୋଷ୍ଟମାଷ୍ଟର ତାଙ୍କ ନାମରେ କୌଣସି ଚିଠିପତ୍ର ଆସି ନଥିବା ପ୍ରକାଶ କରିଥିଲେ। ତେବେ, ତାଙ୍କର ଆଡମିଟ କା‌ର୍ଡ ପରୀକ୍ଷାର ପରଦିନ ଅର୍ଥାତ ୬ ତାରିଖ ଦିନ ଶ୍ରୀ ନାୟକ ନିକଟରେ ପହଞ୍ଚିଥିଲା । ଫଳରେ ଶ୍ରୀ ନାୟକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ।  ଉକ୍ତ ଆଡମିଟ କାର୍ଡ ନୟାଗଡ଼ ଜିଲ୍ଲା ଜଜସିପ ପକ୍ଷରୁ ୨୦୧୯ ଡିସେମ୍ବର ୧୭ ତାରିଖରୁ ପଠା ଯାଇଥିବା ଶ୍ରୀ ନାୟକ ଜାଣିବାକୁ ପାଇଥିଲେ। ଉକ୍ତ ଆଡମିଟ କାର୍ଡ ସେହିମାସ ୨୦ ତାରିଖରେ ରିଆମାଳ ପୋଷ୍ଟ ଅଫିସରେ ପହଞ୍ଚିଥିଲା।  ଆଡମିଟ କାର୍ଡକୁ କରଲଗା ଶାଖାକୁ ପଠାଇ ଦିଆଯାଇଥିଲା। କିନ୍ତୁ କରଲଗା ଡାକ ବିଭାଗ ପକ୍ଷରୁ ଠିକ ସମୟରେ ତାଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇ ନଥିବା ସେ ଜାଣିବାକୁ ପାଇଥିଲେ। ଏନେଇ ଶ୍ରୀ ନାୟକ ଦେବଗଡ଼ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ।

ଦେବଗଡ଼ ଖାଉଟି ଅଦାଲତ ପକ୍ଷରୁ ତାଙ୍କ ଅଭିଯୋଗକୁ ଭିତ୍ତି କରି କେସ୍‌ ନଂ ୬/୨୦୨୦ରେ ଏକ ମାମଲା ରୁଜୁ କରି ଅପରପକ୍ଷକୁ ନୋଟିସ ପ୍ରଦାନ କରାଯାଇଥିଲା। ଦେବଗଡ଼ ଖାଉଟି ଅଦାଲତର ସଭାପତି ଦୀପକ ମହାପାତ୍ର, ସଦସ୍ୟା ଆରତି ଦାସ ଏବଂ ଜୟନ୍ତୀ ପ୍ରଧାନ ମିଳିତ ଭାବେ ଉଭୟ ପକ୍ଷର ବୟାନକୁ ଭିତ୍ତି କରି ଉକ୍ତ ମାମଲାର ବିଚାର କରି କରଲଗା ପୋଷ୍ଟ ମାଷ୍ଟରଙ୍କୁ ସେବା ପ୍ରଦାନରେ ଅବହେଳା ଏବଂ ଦାୟିତ୍ବହୀନତା ପାଇଁ ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହିତ ମାନସିକ ଦୁଶ୍ଚିନ୍ତା ନିମନ୍ତେ କ୍ଷତିପୂରଣ ବାବଦରେ ୩୦ ହଜାର ଟଙ୍କା ଓ ମୋକଦ୍ଦମା ପରିଚାଳନା ବାବଦକୁ ୨ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଶ୍ରୀ ନାୟକଙ୍କୁ ଏକ ମାସ ମଧ୍ୟରେ ଏହି ଅର୍ଥ ପ୍ରଦାନ କରିବା ପାଇଁ  ଜିଲ୍ଲା ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର