ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ନାବାଳିକା

ପ୍ରେମ ପ୍ରତାରଣା ପରେ ପ୍ରେମିକାକୁ ଗର୍ଭପାତ ଔଷଧ, ଥାନାରେ ମାମଲା

ଦେବଗଡ଼: ପ୍ରେମିକ ଦ୍ୱାରା ଦୁଷ୍କର୍ମ ଓ ପ୍ରତାରଣାର ଶିକାର ହେବା ପରେ ଗର୍ଭପାତ ପାଇଁ ସେ ଦେଇଥିବା ଔଷଧ ଖାଇ ବର୍ତ୍ତମାନ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜନୈକା ନାବାଳିକାଙ୍କ ପକ୍ଷରୁ ପ୍ରେମିକ ବିରୋଧରେ ବୁଧବାର ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏ ନେଇ ଲିଖିତ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତ ପ୍ରେମିକ ଟୁସୁଳା ଗାଁର ମାଧବ କିଷାନ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ଥାନାରେ ହୋଇଥିବା ଏତଲା ଅନୁସାରେ ପ୍ରାୟ ବର୍ଷେ ତଳେ ବାରକୋଟ ବ୍ଲକ୍‌ ଅଂଚଳର ଜନୈକା ନାବାଳିକାଙ୍କୁ ମାଧବ ପ୍ରେମ କରିବା ସହ ବିବାହ ପ୍ରଲୋଭନ ଦେଇ ଅନେକ ଥର ଦୁଷ୍କର୍ମ କରିଥିଲା। ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ମାତ୍ର ତାଙ୍କ କହିବା ସତ୍ତ୍ୱେ ମାଧବ ବିବାହ କରିବା ବଦଳରେ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଖାଇବାକୁ ଦେଇଥିଲା। ପୀଡ଼ିତା ଔଷଧ ଖାଇବା ପରେ ଗର୍ଭପାତ ନ ହୋଇ ବରଂ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲା। ଏହା ସୁଯୋଗରେ ମାଧମ ପ୍ରତାରଣା କରି ତାଙ୍କଠାରୁ ଦୂରେଇ ଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ହେବା ସହ ଶରୀର କ୍ଷୀଣ ହେବାରେ ଲାଗିବା ଫଳରେ ସେ କୌଣସି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇଥିବା ସନ୍ଦେହ କରି ପରିବାର ଲୋକେ ସ୍ଥାନୀୟ କେତେକ ଔଷଧ ଦୋକାନୀ ଓ କ୍ୱାକ୍‌ଙ୍କଠାରେ ଚିକିତ୍ସା କରାଇଥିଲେ।

ମାତ୍ର ଅବସ୍ଥାର କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନା ଓ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବି ୩/୪ ଦିନ ଚିକିତ୍ସା ପରେ କୌଣସି ପରିବର୍ତ୍ତନ ନ ହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିଲେ। ଏଭଳି ସ୍ଥିତିରେ ବି ଲୋକ ଲଜ୍ଜାକୁ ଭୟ କରି ପୀଡ଼ିତା ଘରେ କୌଣସି କଥା ଜଣାଇ ନଥିଲେ। ମାତ୍ର ଗତ ଶନିବାର ଦିନ ୧୧ଟା ବେଳେ ହଠାତ୍‌ ତାଙ୍କ ପେଟରେ ସାଂଘାତିକ ଯନ୍ତ୍ରଣା ହେବା ସହ ନାଭି ଉପରେ ଏକ ଛିଦ୍ର ସୃଷ୍ଟି ହୋଇଥିଲା। ସେ ଦିନରୁ ସେ ଯାହା ଖାଉଛନ୍ତି ତାହା ଛିଦ୍ର ଦେଇ ବାହାରକୁ ବାହରି ଆସୁଥିବା ବେଳେ ଯନ୍ତ୍ରଣା ଯୋଗୁଁ ବସା ଉଠା କରିବା ବି ସମ୍ଭବ ହେଉ ନାହିଁ। ପରିସ୍ଥିତି ଚାପରେ ଗତ ୩ ଦିନ ତଳେ ପୀଡ଼ିତା ଜଣକ ଘର ଲୋକଙ୍କୁ ସବୁ କଥା କହିଥିଲେ। ତେଣେ ଅର୍ଥଭାବରୁ ପରିବାର ଲୋକେ ଆଗକୁ ଚିକିତ୍ସା କରାଇବାକୁ ସକ୍ଷମ ହେଉ ନଥିବା ବେଳେ ବର୍ତ୍ତମାନ ସେ ଏକ ପ୍ରକାର ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ବୁଧବାର ଏ ନେଇ ପୀଡ଼ିତାଙ୍କ ବାପା ଦେବଗଡ଼ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର