ଦେବଗଡ଼: ବିଦାୟକାଳୀନ ସମ୍ବର୍ଦ୍ଧନା କଥା ଉଠିଲେ ଆଖି ଆଗକୁ ସାଙ୍ଗେସାଙ୍ଗେ ଚାଲିଆସେ ପ୍ରଧାନଶିକ୍ଷକଙ୍କ ବିଦାୟ ବେଳର ଦୃଶ୍ୟ କିମ୍ବା ଅନ୍ୟ କେଉଁ ଶିକ୍ଷକଙ୍କ ବିଦାୟୀ ଚିତ୍ର । ଆଡମ୍ବରପୂର୍ଣ୍ଣ, ଆତ୍ମୀୟତାଭରା ଏବଂ ଆପଣାପଣରେ ବିଦ୍ୟାଳୟରୁ ଶିକ୍ଷକ ହୁଅନ୍ତୁ କି ପ୍ରଧାନଶିକ୍ଷକ- ସେମାନଙ୍କୁ ବିଦାୟ ଦେବାର ଦୃଶ୍ୟ ଏବଂ ଖବର ପ୍ରାୟ ଦେଖିବାକୁ ମିଳେ । ହେଲେ ଜଣେ ସ୍କୁଲର ସହାୟକ ଯାହାଙ୍କୁ ପିଅନ ବୋଲି ଆମେ କହୁ, ତାଙ୍କୁ ବି ଏକ ରାଜକୀୟ ଠାଣିରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇପାରେ ତାହା ହୁଏତ କୋଚିତ ଶୁଣିବାକୁ ମିଳେ । ମାତ୍ର ସେମିତି ଏକ ଆଡମ୍ବରପୂର୍ଣ୍ଣ, ରାଜକୀୟ ବିଦାୟ ଜଣେ ପିଅନଙ୍କୁ ଦିଆଯାଇଛି ।
କାରଣ ସ୍କୁଲରେ ପିଅନ ହିଁ ପ୍ରତିଟି କାମରେ ଥାଆନ୍ତି । ତାଙ୍କ ବିନା କୌଣସି କାମ ହୁଏନି କି କୁଟା ଖଣ୍ଡେ ଦିଖଣ୍ଡ ବି ହୁଏନି । ସ୍କୁଲର ଶ୍ରେଣୀଗୃହ ଠାରୁ ଆରମ୍ଭ କରି ପ୍ରଧାନଶିକ୍ଷକଙ୍କ ଅଫିସ୍ ଯାଏଁ… ରୋଷେଇ ଘର ଠାରୁ ଗୋଦାମ ଘର ଯାଏଁ… ଖେଳ ପଡିଆରୁ ବଗିଚା ଯାଏଁ… ସବୁଠି ସେ ଥାନ୍ତି, ସବୁକିଛି ସେ କରୁଥାନ୍ତି, ତାଙ୍କ ଉପସ୍ଥିତି ସବୁଠି ଥାଏ.. ଆଉ ଦେବଗଡ଼ ଜାମ୍ବୁନାଳୀ ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟରୁ ସହାୟକ ଗଗନ ଯେତେବେଳେ ବିଦାୟ ନେଇଛନ୍ତି ସେତେବେଳେ ସମସ୍ତେ ତାଙ୍କ ବିଦାୟକାଳୀନ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । କାରଣ ଗଗନଙ୍କ ବିନା ସ୍କୁଲର ଗତି ନଥିଲା କି ଶକ୍ତି… ତେଣୁ ତ ଗଗନଙ୍କ ଗୁଣ ଗାଇ ଗାଇ ତାଙ୍କ ଘରକୁ ଛୁଟିଥିଲେ ପିଲା…
ମୁଣ୍ଡରେ ମୁକୁଟ.. ବେକରେ ଫୁଲମାଳ। କାନ୍ଧରେ ଉତ୍ତରୀୟ। ସମ୍ପୂର୍ଣ୍ଣ ରାଜକୀୟ ବେଶ । ଯୁଦ୍ଧ ଜୟ କରି ଫେରିଥିବା ରାଜାଙ୍କୁ ରାଜମହଲକୁ ପାଛୋଟି ନେବା ଭଳି ଜମିଥିଲା ପଟୁଆର । ନାଚ, ଗୀତ ସହ ବାଜା ରୋଷଣୀର ଆସର । ହେଲେ ଏହି ପଟୁଆରରେ ନଥିଲେ ସୈନ୍ୟ ସାମନ୍ତ ବରଂ ଥିଲେ ସ୍କୁଲର ପିଲା ଓ ଶିକ୍ଷକ-ଶିକ୍ଷୟିତ୍ରୀ । ରାଜକୀୟ ଶୈଳୀରେ ସ୍କୁଲର ସହାୟକଙ୍କୁ ଅବସରକାଳୀନ ବିଦାୟ ଦେଉଥିଲେ ସମସ୍ତେ । ପଟୁଆରରେ ଥିବା ରାଜା ରାଜ୍ୟ ଜୟ କରିନଥିଲେ ମାତ୍ର ଶହଶହ ହୃଦୟ ଜୟ କରିପାରିଥିଲେ । ଦୀର୍ଘ ବର୍ଷ ଧରି ସ୍କୁଲର ସମସ୍ତଙ୍କ ସୁଖଦୁଃଖ ବୁଝୁଥିବା ଗଗନ ବିହାରୀ କୁମରାଙ୍କ ଚାକିରୀ ଜୀବନକୁ ସ୍ମରଣୀୟ କରିବାକୁ ଏମିତି କିଛି ପ୍ରୟାସ କରିଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ । କାରରେ ଛିଡା ହୋଇ ରୋଷଣୀ ସହ ଶୋଭାଯାତ୍ରାରେ ଯାଇଥିଲେ ଗଗନ।
ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଜାମ୍ମୁନାଳୀର ସହାୟକ ଭାବେ କାମ କରିଥିବା ଗଗନଙ୍କ ଏହି ଅବସରକାଳୀନ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଗଗନଙ୍କୁ ବିଦାୟ ଦେବାକୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। ପାରମ୍ପରିକ ବାଦ୍ୟରେ କମ୍ପିଥିଲା ଗାଁ ରାସ୍ତା। ସଙ୍କିର୍ତ୍ତନ ତାଳରେ ସୃଷ୍ଟି ହୋଇଥିଲା ଉତ୍ସବର ମାହୋଲ । ଛାତ୍ରଛାତ୍ରୀ ନାଚରେ ଆଖପାଖ ଅଞ୍ଚଳ ଉଠୁଥିଲା, ପଡୁଥିଲା। ପଛରେ ଲାଗିଥିଲା ଲମ୍ବା ରୋଷଣୀ ଶୋଭାଯାତ୍ରା । ବିରାଟ ଶୋଭାଯାତ୍ରା ଦେଖିଲେ ଲାଗୁଥିଲା, କାହାର ବୋଧେ ବାହାଘର ହେଉଛି। ନହେଲେ ଗଣେଶ ପୂଜା ବିସର୍ଜନ ଶୋଭାଯାତ୍ରା ଚାଲିଛି। ହେଲେ କାରରେ ଛିଡ଼ା ହୋଇଥିବା ଗଗନଙ୍କୁ ଦେଖି ସମସ୍ତେ ଜାଣିପାରୁଥିଲେ କି ଜଣେ ମିଠା ମଣିଷଙ୍କୁ ବିଦାୟ ବି ଆଡମ୍ବରପୂର୍ଣ୍ଣ ହୋଇପାରେ ।
ରବିବାର ଗଗନଙ୍କ ଶେଷ କାର୍ଯ୍ୟ ଦିବସ ଥିଲା। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏଭଳି ଭବ୍ୟ ଆୟୋଜନ ହୋଇଥିଲା। ଯେଉଁଥିରେ ସାମିଲ ଥିଲେ ବିଦ୍ୟାଳୟର ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ । ଗଗନ ବିହାରୀ ୧୯୯୩ ମସିହାରୁ ଏହି ବଦ୍ୟାଳୟରେ କାମ କରିଆସୁଥିଲେ । ଆରମ୍ଭରୁ ବିନା ଦରମାରେ କାମ କରୁଥିଲେ ମଧ୍ୟ କେବେ କର୍ତ୍ତବ୍ୟରେ ଅବହେଳା କରୁନଥିଲେ। ଦୀର୍ଘ ଦିନର ଚାକିରି କାଳ ପରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା । ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା।
ପ୍ରଥମେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ। ସମସ୍ତେ ‘ଗଗନ ଭାଇ’ଙ୍କୁ ନେଇ ନିଜର ସ୍ମୃତି ବଖାଣିଥିଲେ। କିଏ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲା ତ କିଏ ତାଙ୍କ ପାଇଁ ଆଣିଥିଲା ମନପସନ୍ଦର ଉପହାର। ଗଗନଙ୍କ ନିସ୍ୱାର୍ଥପର ସେବା ସମ୍ପର୍କରେ କହିବା ବେଳକୁ କାହାର ଆଖି ଜକେଇ ଆସୁଥାଏ ତ କାହାର କଣ୍ଠରୁଦ୍ଧ ହୋଇଯାଉଥାଏ। ଏହି ବିଦାୟକାଳୀନସଭାରେ ସୃଷ୍ଟି ହୋଇଥିଲା ଭାବବ୍ୟୁହଳ ସ୍ଥିତି I ସଭା ଶେଷରେ ଭାବ ବିନିମୟରେ ବିରାମ ଦେଇ ନାଚ ଗୀତ ଓ ମନୋରଞ୍ଜନରେ ଗଗନଙ୍କୁ ବିଦାୟ ଦେବାକୁ ହୋଇଥିଲା ଆୟୋଜନ । ବିଦ୍ୟାଳୟରୁ ଘର ପର୍ଯ୍ୟନ୍ତ ତାଙ୍କୁ ବିରାଟ ଶୋଭାଯାତ୍ରାରେ ନେଇଥିଲେ ସମସ୍ତେ । ପ୍ରାୟ ଦେଢ଼ କିଲୋମିଟର ଦୂର ପର୍ଯ୍ୟନ୍ତ ସମସ୍ତେ ନାଚିଗାଇ ତାଙ୍କୁ ପାଛୋଟି ନେଇଥିଲେ । ତାଙ୍କ ଘରେ ତାଙ୍କୁ ବିଦାୟ ଦେଇ ସ୍କୁଲ ଫେରିଥିଲେ। ଏସବୁ ଦୃଶ୍ୟ ଯିଏ ଦେଖୁଥିଲା ସିଏ କହୁଥିଲା, କର୍ମମୟ ଜୀବନର ଶେଷ ଦିନରେ ଗଗନ ଜୀବନଯାକର ଉପଲବ୍ଧିକୁ ସାଉଁଟି ନେଇପାରିଛନ୍ତି। ଆଉ ତାଙ୍କ ପରି ଜଣେ ମଣିଷ ବିଦାୟ ଦେଇ ଆଜି ଏ ସ୍କୁଲ କାନ୍ଦୁଛି, ସ୍କୁଲର ମାଟି ଝୁରୁଛି… ସ୍କୁଲରେ ସେ ତ ଖାଲି ପିଅନ ନଥିଲେ ବରଂ ଥିଲେ ଜଣେ ପ୍ରିୟ ମଣିଷ…