ସଂଜ୍ଞାହୀନ ଯୁବତୀ ଉଦ୍ଧାର, ଚିକିତ୍ସାରେ ଅର୍ଥାଭାବ ବାଧକ

ଦେବଗଡ଼: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବରପାଲି ସାହିରେ ଜଣେ ଅସହାୟା ଯୁବତୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଓ ସ୍ୱେଚ୍ଛାସେବୀ ସଂଗଠନର ମହିଳାମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ନାଁ ସମ୍ବାରୀ ନାୟକ ଏବଂ ସେ ଅତ୍ୟନ୍ତ ଗରିବ ହୋଇଥିବା ଓ ତାଙ୍କର କେହି ନ ଥିବାରୁ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଜଣାପଡ଼ିଛି। ଏଥି ପାଇଁ ଉଦ୍ଧାର କରିଥିବା ଲୋକେ ଓ ଅନୁଷ୍ଠାନ କର୍ମକର୍ତ୍ତା ସୋସିଆଲ୍‌ ମିଡିଆ ଜରିଆରେ ସହାୟତା ମାଗିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ ବରପାଲିସାହିରେ ବାପ-ମା’ ଛେଉଣ୍ଡ ସମ୍ବାରୀ ଜଣେ ସଂପର୍କୀୟଙ୍କ ଘରେ ରହି ବିଭିନ୍ନ ଲୋକଙ୍କ ଘରେ କାମ କରି ନିଜ ଗୁଜରାଣ ମେଣ୍ଟାଉଥିଲେ।

ତେବେ ଗତ ରବିବାରଠାରୁ ସେ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ଉପଯୁକ୍ତ ଚିକିତ୍ସା ଓ ସେବା ସୁଶ୍ରୁଶା ନ ପାଇ ଦୟନୀୟ ଅବସ୍ଥାରେ ପଡ଼ି ରହିଥିଲେ। ରୋଗ ବଢ଼ିବା ଯୋଗୁଁ ସେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଯୁବକମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲେ ହେଁ ଅର୍ଥ ଏଥିରେ ବାଧକ ରୂପେ ଠିଆ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରୁ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର