୭ ମାସ ହେଲା ଖିଲେଇ ଓ ସିଆରମାଳିଆ ଅନ୍ଧାରରେ

ଟ୍ରାନ୍‌ସଫର୍ମର୍‌ ମରାମତି ପାଇଁ କଂଗ୍ରେସର ଦାବି

ଦେବଗଡ଼: ଗତ ୭ ମାସ ତଳେ ଟ୍ରକ୍‌ ଧକ୍କାରେ ରିଆମାଳ ବ୍ଲକ୍‌ ସିଆରମାଳିଆ ଗ୍ରାମରେ ଲାଗିଥିବା ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର୍‌ଟି ପୋଡ଼ିଯିବା ସହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ସେ ଦିନରୁ ଏହା ଉପରେ ନିର୍ଭରଶୀଳ ଖିଲେଇ ଓ ସିଆରମାଳିଆ ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ସେବା ଠପ୍‌ ଯୋଗୁଁ ଉଭୟ ଗ୍ରାମର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏ ନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରି ଆସୁଥିଲେ ହେଁ କେବଳ ପ୍ରତିଶ୍ରୁତି ଛଡ଼ା କିଛି ପଦକ୍ଷେପ ନିଆଯାଇ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ଶୀଘ୍ର ଟ୍ରାନ୍‌ସଫର୍ମର୍‌କୁ ଠିକ୍‌ କରି ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ଦେବଗଡ଼ ଜିଲ୍ଲା କଂଗ୍ରେସ ଦାବି କରିଛି। ଏ ନେଇ ଶୁକ୍ରବାର ଦଳ ପକ୍ଷରୁ ବିଭାଗୀୟ ନିର୍ବହୀ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ଓ ଜିଲ୍ଳାପାଳଙ୍କୁ ଏକକିତା ନକଲ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସ ସଭାପତି ଉମାଶାଙ୍କର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସିଦ୍ଧେଶ୍ୱର ଗୁରୁ, ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକ, ଏସ୍‌ଟି ସେଲ ସଭାପତି କ୍ଷେତ୍ର ପାତ୍ର, ଲୋକସଭା ଯୁବ କଂଗ୍ରେସ ସଂପାଦକ ପ୍ରଶାନ୍ତ ସାହୁ, ପ୍ରକାଶ ଦେବତା, ମହିନ ଖାନ, ଶେଷଦେବ ପ୍ରଧାନ, ନୀଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏ ସଂପର୍କରେ େଓ୍ଵସ୍କୋ ୟୁଟିଲିଟି ନିର୍ବାହୀ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡାଙ୍କୁ ପଚାରିବାରେ ୨ ଦିନ ଭିତରେ କାମ ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ ନିଆଯିବ ବୋଲି କହିଛନ୍ତି। ତେବେ ୭ ଦିନ ଭିତରେ ଟ୍ରାନ୍ସଫରମର କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର