ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଉପରଖଣ୍ଡାମ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କୁ ତୀରମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ବାରକୋଟ ଥାନା ଅନ୍ତର୍ଗତ ରାଇତାବାହାଳ ପଞ୍ଚାୟତର ଉପରଖଣ୍ଡାମ ଗ୍ରାମରେ ଗତକାଲି ରାତିରେ ଜଣେ ମଦ୍ୟପର ତୀରମାଡ଼ରେ ଜଣେ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ଉପରଖଣ୍ଡାମ ଗ୍ରାମର ବାବୁ ଧିବର(୨୫) ନାମକ ଜଣେ ମତ୍ସ୍ୟଜୀବୀ ଘରୁ ବାହାରି ନିଜର ବଡ଼ଭାଇଙ୍କ ଘରକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ଗଣ୍ଠି ଧିବର ନାମକ ଜଣେ ବ୍ୟକ୍ତି ଧନୁ ତୀରରେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଫଳରେ ବାବୁଙ୍କ ପିଠିରେ ଏହି ତୀରଟି ପଶିଯିବା ସହ ବାବୁ ଗୁରୁତର ଆହତ ହୋଇଥିଲେ।
ଚିତ୍କାର ଶୁଣି ବାବୁଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ ସେଠାରେ ପହଞ୍ଚିବା ସହ ଗୁରତର ଅବସ୍ଥାରେ ବାବୁଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ସେଠାରେ ପହଞ୍ଚିବା ସହ ଚିକିତ୍ସା ନିମନ୍ତେ ପ୍ରଥମେ ବାରକୋଟ ମେଡିକାଲକୁ ଆଣିଥିଲେ। ମାତ୍ର ତୀରଟି ପିଠିରେ ପଶି ଲଟକି ରହିଥିବାରୁ ଡାକ୍ତର ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଗ୍ରାମବାସୀଙ୍କୁ ଦେଖି ଗଣ୍ଠି ସେଠାରୁ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଘରେ ବାନ୍ଧି ରଖିବା ସହ ଏନେଇ ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନାପାଇ ବାରକୋଟ ଥାନା ପୁଲିସ୍ ଗଣ୍ଠି ଧିବରକୁ ଗିରଫ କରିବା ସହିତ ତା ନିକଟରୁ ବ୍ୟବହୃତ ଧନୁ କାଣ୍ଡ ଏବଂ ଧନୁତୀର ଜବତ କରିଛି । ପୂର୍ବ ଶତ୍ରତାରୁ କେନ୍ଦ୍ର କରି ତାଙ୍କୁ ଧନୁ ତୀରମାଡ଼ କରିଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/14c1460f-a287-418f-a404-cc1da42f154a.jpg)