ଦେବଗଡ଼ରୁ ପୁଣି କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଦେବଗଡ଼: ଦେବଗଡ଼ରେ ଜନ୍ତୁ ଶିକାର ଥମୁନି। ବିଭିନ୍ନ ସମୟରେ ଶିକାରୀ ଓ ବନ୍ୟପ୍ରାଣୀଙ୍କୁ ଅଙ୍ଗପ୍ରତ୍ୟଙ୍ଗ ଜବତ ହେଉଛି। ଗୁରୁବାର ଅପରାହ୍ଣରେ ପୁଣି ଏକ କଲରାପତରିଆ ବାଘର ଛାଲ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ମଧ୍ୟାହ୍ନରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଶୁକ୍ରବାର ଅପରାହ୍ଣ ପ୍ରାୟ ୪ଟାରେ ୩ ଜଣ ବ୍ୟକ୍ତି ଏକ କଲରାପତରିଆ ବାଘର ଚମଡ଼ା କୁଣ୍ଢେଇଗୋଳା ଥାନା ଖଣ୍ଡାଧୂଆଁ ଅଞ୍ଚଳର ରତନପୁର ପଞ୍ଚାୟତ ମାମୁରିଖୋଲ ପୋଖରୀ ନିକଟରେ ବିକ୍ରି କରିବାର ଯୋଜନା କରି ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି।

ଏହି ଖବର ମିଳିବା କ୍ଷଣି ସଙ୍ଗେ ସଙ୍ଗେ କୁଣ୍ଢେଇଗୋଳା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲା। ଘଟଣାସ୍ଥଳରେ ଜଣେ ବ୍ୟକ୍ତି ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ବ୍ୟାଗକୁ ସନ୍ଦେହଜନକ ଅବସ୍ଥାରେ ଧରି ବସିଥିଲା। ପୁଲିସକୁ ଦେଖି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲା। ଉକ୍ତ ବ୍ୟାଗଙ୍କୁ ଯାଞ୍ଚ କରିବାରୁ ସେଥିରୁ ୧୪୫ ସେଣ୍ଟିମିଟର ଲମ୍ବ ଏବଂ ୨୬ ସେଣ୍ଟିମିଟର ଚଉଡ଼ାର କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା। ସେହିପରି ଉକ୍ତ ବ୍ୟାଗରୁ ବାଘର ପଞ୍ଝା, ୪୦ ଫୁଟ୍ର ଇଲେକ୍ଟ୍ରି ତାର ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ଖଣ୍ଡାଧୂ୍ଆଁ ଗାଁର ରଂଜିତ ନାଏକ (୩୬), ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳର ବିଷ୍ଣୁ ଲୁହୁରା (୩୫) ଓ କୁଣ୍ଢେଇଗୋଳା ଥାନା ଖଣ୍ଡାଧୂଆଁ ଗ୍ରାମର ସମ୍ବାରୁ ନାଏକ (୨୮)। ସେମାନେ ଏହି ବାଘ ଛାଲକୁ ବିକ୍ରି କରିବାକୁ ଯାଉଥିବା ସ୍ବୀକାର କରିଥିଲେ। ଏହାବ୍ୟତୀତ ସେମାନେ ମଙ୍ଗଳବାର ଦିନ ବିଦ୍ୟୁତ୍ ତାର ଲାଗି ଉକ୍ତ ବାଘକୁ ଶିକାର କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ପୁଲିସ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ବ୍ୟତୀତ ଅନ୍ୟ ଧାରା ଲଗାଇ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଚମଡ଼ା, ୩ ପଞ୍ଝା, ୪୦ ଫୁଟ୍ ଲମ୍ବର ବିଦ୍ୟୁତ୍ ତାର ଜବତ କରାଯାଇଛି।

ସମ୍ବନ୍ଧିତ ଖବର