ନାବାଳକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

ଦେବଗଡ଼ : ନାବଳାକ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ। ଏପରି ଘଟଣା ଘଟିଛି ବାରକୋଟ ଥାନା ଝରାକଣ୍ଡଳ ଗ୍ରାମରେ। ଖବରପାଇ ପୁଲିସ ଅଧାପୋଡ଼ା ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ନାବାଳକ ପୁଅକୁ ଅଟକ ରଖି ପଚାରାଉଚରା ଜାରି ରଖିଛି।

ପୁଲିସର ସୂଚନା ଅନୁଯାୟୀ, ବାରକୋଟ ଥାନା ଅନ୍ତର୍ଗତ ଝରାକଣ୍ଡଳ ଗ୍ରାମର ବେଣୁଧର କିସାନ(୪୫) ଅନ୍ୟ ଦିନମାନଙ୍କ ଭଳି ମଙ୍ଗଳବାର ରାତିରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ପତ୍ନୀଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ ବି କରିଥିଲେ। ଏହା ଦେଖି ଘରେ ଥିବା ନାବାଳକ ବଡ଼ ପୁଅ (୧୬) ଓ ସାନ ପୁଅ ବାପାଙ୍କୁ ଗଣ୍ଡଗୋଳ ନ କରିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ବଡ଼ ପୁଅ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା। ଫଳରେ ବାପା ବେଣୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସମ୍ପର୍କୀୟଙ୍କ ସହାୟତାରେ ବଣାଇଁ ଡାକ୍ତରଖାନା ନିଆଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ସକାଳେ ବେଣୁଙ୍କ ମୃତଦେହକୁ ଗ୍ରାମ ନିକଟ ନଦୀ ପଠାରେ ପୋଡ଼ାଯାଉଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏସ୍‌ଡିପିଓ ସୁଲେମାନ ଏକ୍କାଙ୍କ ସମେତ ବାରକୋଟ ଥାନାର ଅଧିକାରୀ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର