ଦେବଗଡ଼ରେ ରାଜ୍ୟ ଯୁବ ମହୋତ୍ସବ

:ସ୍ୱପ୍ନ ଦେଖ ଏବଂ ଧୈର୍ଯ୍ୟର ସହ କାମ କର: ମନ୍ତ୍ରୀ ଚନ୍ଦ୍ର ସାରଥୀ

ଦେବଗଡ଼: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ମଙ୍ଗଳବାର ଆରମ୍ଭ ହୋଇଛି ୨୩ତମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ହେଲିକପ୍‌ଟର୍‌ ଯୋଗେ ଅପରାହ୍‌ଣ ୧.୩୦ରେ ପହଞ୍ଚି ଉତ୍ସବକୁ ଉଦ୍‌ଘାଟନ କରିବା ପରେ ଶାନ୍ତି, ମୈତ୍ରୀ ଓ ଏକତାର ବାର୍ତ୍ତା ନେଇ ବେଲୁନ୍‌ ଆକାଶରେ ଛଡ଼ାଯାଇଥିଲା। ବର୍ତ୍ତମାନ ଯୁବକମାନେ ଯେତିକି ସ୍ୱପ୍ନ ଦେଖିବା ଆବଶ୍ୟକ ତା’ଠୁ ଅଧିକ ଧୈର୍ଯ୍ୟ ଶକ୍ତି ସେମାନଙ୍କ ଠାରେ ରହିବା ଦରକାର। ତା’ ସହିତ ସ୍ନେହ ଓ ପ୍ରେମ ଭାବ ମଧ୍ୟ ରଖିବା ନିତାନ୍ତ ଆବଶ୍ୟକ। ଅସ୍ଥିର ଓ ଅଧୈର୍ଯ୍ୟ ହେଲେ କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ।

ତେଣୁ ସ୍ୱପ୍ନ ଦେଖ ଓ ଧୈର୍ଯ୍ୟର ସହ କାମ କରି ତାକୁ ପୂରା କର ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ସମ୍ମାନିତ ଅତିଥି ଭାବେ କୋରେଇ ବିଧାୟକ ତଥା ଚଳଚ୍ଚିତ୍ର ଅଭିନେତା ଆକାଶ ଦାସ ନାୟକ ଯୋଗ ଦେଇ ବର୍ତ୍ତମାନର ଯୁବ ସମାଜ କଠିନ ପରିଶ୍ରମ କଲେ ହିଁ ସଫଳତା ପାଇପାରିବେ ବୋଲି କହିଥିଲେ। ପରେ ସେ ନିଜ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକର କିଛି ସଂଳାପ କହିବା ସହ ଗୀତ ପରିବେଷଣ କରିଥିଲେ। ଯାହାକି ସେଠାରେ ଉପସ୍ଥିତ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ଓ ଜନସାଧାରଣଙ୍କୁ ବେଶ ଆମୋଦିତ କରିଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଦେବଗଡ଼ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ, ପୌରାଧ୍ୟକ୍ଷା ଅନିତା ପାତ୍ର ମଂଚାସୀନ ଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଡିଆଇପିଆର୍‌ଓ ବିଜୟ ମିଶ୍ର ସଭା ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର