ଦେବଗଡ଼: ଦେବଗଡ଼ ସହରର ଏକ ଗହଣା ଦୋକାନରେ ଶୁକ୍ରବାର ହାତୀ ଦାନ୍ତ ଡିଲ ବେଳେ ବନ ବିଭାଗ ଓ ଭୁବନେଶ୍ବର ଡିଆର୍‌ଆଇ ମିଳିତ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିବା ସହ ୨ଟି ହାତୀ ଦାନ୍ତ, ମୋବାଇଲ ଓ କାର ଜବତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଦେବଗଡ଼ ପୌରାଞ୍ଚଳ ଲାଲୁସାହିର ବ୍ୟବସାୟୀ ପ୍ରେମରାଜ ସାହୁ, ବଣିଆସାହିର ସମୀରକାନ୍ତ କପରଦାର ଓ ଗ୍ରାହକ ହରିୟାଣାର ରାଜେଶ କୁମାର।

Advertisment

ବନ ବିଭାଗ ସୂଚନାନୁସାରେ ପ୍ରେମରାଜଙ୍କ ଦେବଗଡ଼ ସହରରେ ଥିବା ଗହଣା ଦୋକାନରେ ହାତୀ ଦାନ୍ତ ବିକ୍ରି ପାଇଁ ଡିଲ ଚାଲିଥିଲା। ଖବର ପାଇ ଡିଆର୍‌ଆଇ ଓ ବନ ବିଭାଗ ଚଢ଼ଉ କରି ୨ଟି ପରିପକ୍ୱ ଦାନ୍ତ ସହ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ତେବେ ସେମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାନ୍ତେ ଓ କେବେଠୁ ହାତୀ ଦାନ୍ତ କାରବାରରେ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରାଯାଉଥିବା ଡିଏଫ୍‌ଓ ମଗର ଧାନାଜି ରାଓସୋ ସୂଚନା ଦେଇଛନ୍ତି। ଏହି ମାମଲାରେ ଆହୁରି ଅନେକଙ୍କ ଲିଙ୍କ ଥିବା ଅନୁମାନ କରାଯାଉଛି। ତଦନ୍ତ ପରେ ସମସ୍ତ ଘଟଣା ଜଣାପଡ଼ିବ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ୨ଟି ଦାନ୍ତର ଓଜନ ୮.୯ କେଜି। ୩ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସମୟରେ ଏସ୍‌ଟିଏଫ ଓ ବନ ବିଭାଗର ଚଢ଼ଉ ସତ୍ତ୍ବେ ବି ଥମିବାର ନାଁ ଧରୁନି ବେଆଇ ବନ୍ୟପ୍ରାଣୀ ତସ୍କରୀ। ବନ ବିଭାଗ ଏ ସବୁ ଦିଗରେ ଆହୁରି ଅଧିକ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି।