୮ ଚୋରି ମାମଲା: ୮ ସ୍ଥାନରେ ଚଢ଼ଉ, ୭ ଗିରଫ

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନାରେ ଥିବା ୮ ଚୋରି ମାମଲାରେ ପୁଲିସ ୮ଟି ସ୍ଥାନରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନିର୍ଦ୍ଦେଶରେ କୁଣ୍ଢେଇଗୋଳା ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌କୁ ମିଳିଛି ଏହି ସଫଳତା। ଟିମ୍‌ରେ ଏସଆଇ ଇ. ଲାକ୍ରା, ଏଏସଆଇ ବି ଦେହୁରୀ, ଏଏସଆଇ ସି. ଗଡ଼ନାୟକ, କନ୍‌ଷ୍ଟେବଲ୍ ସି. କିସାନ ଟିମ୍‌ରେ ସାମିଲ ହୋଇଥିଲେ। ଶନିବାର ରାତି ୮ ଟାରୁ ରବିବାର ସକାଳ ୭ ଟା ପର୍ଯ୍ୟନ୍ତ ଏହି ଚଢ଼ଉ କରାଯାଇଥିଲା।

ଜିଲ୍ଲା ତଥା ଜିଲ୍ଲା ବାହାରେ ୮ଟି ସ୍ଥାନରେ ଚଢ଼ଉ କରି ୩ ଚୋର ଏବଂ ଚୋରି ସାମଗ୍ରୀ କିଣିଥିବା ୪ ଜଣଙ୍କୁ ଗିରଫ କରାଯାଇଥିଲା। ଚଢ଼ଉ ବେଳେ ଜଣେ ଫେରାର ମାରିଥିବା ପୁଲିସ କହିଛି। ସୂଚନା ଅନୁଯାୟୀ ରିଆମାଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ନେଇ ୮ଟି ମାମଲା ରୁଜୁ ହୋଇଥିଲା। ଚୋରମାନଙ୍କୁ ଗିରଫ କରିବା ନେଇ ପୁଲିସ ଦୀର୍ଘ ଦିନରୁ ପ୍ରସ୍ତୁତି ଚଳାଇଥିଲା। ଏହି ଥାନା ଅଞ୍ଚଳର ୩ଟି ଗ୍ରାମ, ଅନୁଗୁଳ ଜିଲ୍ଲାର ଏନ୍‌ଟିପିସି, କଣିହାଁ ଥାନା ଅଞ୍ଚଳରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଗୋଟିଏ ଲାପଟୋପ, କମ୍ପ୍ୟୁଟର, ସିପିୟୁ, ଗୋଟିଏ ପ୍ରିଣ୍ଟର୍‌ ମେସିନ୍‌, ୧୦ଟି ମୋବାଇଲ ଫୋନ, ମୋବାଇଲ ଫୋନ ଯନ୍ତ୍ରାଂଶ, ଇୟର୍‌ ଫୋନ, ୨ଟି ବାଇକ୍‌ ଓ ବାଇକ୍‌ ଚୋରି ପାଇଁ ବ୍ୟବହୃତ ମାଷ୍ଟର କି ଓ ମାରଣାସ୍ତ୍ର ଜବତ କରାଯାଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ୍‌ର ରମେଶ ବଗର୍ତି (୨୭), ଦେବଗଡ ଥାନା ଭିତିରିଆସାହିର ଲିକୁନ ସାହୁ (୨୭), କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମର ରାଞ୍ଜନ ନାୟକ (୨୨), ଅନୁଗୁଳ ଜିଲ୍ଲା ଏନ୍‌ଟିପିସି ଥାନା ଭୀମକଣ୍ଡା ଗ୍ରାମର ସୌଭାଗ୍ୟ ପ୍ରଧାନ, କାଳିଆ ନାୟକ, କଣିହାଁ ଥାନା ଛେଳିଆ ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ଓ ଅନ୍ୟଜଣଙ୍କ ପରିଚୟ ମିଳି ପାରି ନାହିଁ। ରବିବାର ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ଏହି ଥାନା ଅଞ୍ଚଳର ଉଟୁଣିଆ ଗ୍ରାମର ଏକ ମୋବାଇଲ ଦୋକାନ ଭାଙ୍ଗି ଚୋରି, ବ୍ରାହ୍ମଣୀପାଲିର ଏକ ଦୋକାନରୁ ଚୋରି, ପଲସମାରୁ ବାଇକ୍‌ ଚୋରି, ଚଢେଇମରା ଗ୍ରାମରୁ ଚୋରି ତଥା ଭିଭିନ୍ନ ସ୍ଥାନରେ ଚୋରି ହୋଇଥିବା ନେଇ ଥାନାରେ ମାମାଲା ହୋଇଥିଲ।

ସମ୍ବନ୍ଧିତ ଖବର