ଶୋଇବା ଅବସ୍ଥାରେ ମା’-ପୁଅଙ୍କୁ କାମୁଡ଼ି ଦେଲା ସାପ; ମା’ ମୃତ, ପୁଅ ଗୁରୁତର

ଦେବଗଡ଼ : ସାପ କାମୁଡାରେ ଚାଲିଗଲା ମା’ର ଜୀବନ । ଅନ୍ୟପଟେ ପୁଅର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରକୋଟ ଥାନାଚଂଳର ଠିଆନାଳ ଗ୍ରାମର ବିଡ଼ିଘାଟ ସାହିରେ । ମୃତକ ଜଣକ ହେଲେ କାଞ୍ଚନ ଗାଗରାଇ ।

ମିଳିଥିବା ସୂଚନା ଅନୁଯାୟୀ, ଠିଆନାଳ ଗ୍ରାମ ବିଡ଼ିଘାଟ ସାହିର ମେଘ ଗାଗରାଇଙ୍କ ସ୍ତ୍ରୀ କାଞ୍ଚନ ଗାଗରାଇ (୩୫) ସବୁଦିନ ଭଳି ରାତିରେ ଖିଆପିଆ ସାରି ନିଜ ୭ବର୍ଷୀୟ ଶିଶୁପୁତ୍ର ଅଜିତକୁ ଧରି ଶୋଇଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ବିଷଧର ସାପ କାଞ୍ଚନକୁ କାମୁଡ଼ିବାରୁ କାଞ୍ଚନ ନିଦରୁ ଉଠିପଡ଼ି ସ୍ୱାମୀଙ୍କୁ ଜଣାଇଥିଲେ । ଏହି ସମୟରେ ପାଖରେ ଶୋଇଥିବା ପୁଅ ଅଜିତ ମଧ୍ୟ ଗୁରୁତର ହେବା ଦେଖି ପରିବାର ଲୋକେ ବିଳମ୍ବିତ ରାତିରେ ଉଭୟ ମା ଓ ପୁଅଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମା ଓ ପୁଅଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ସେମାନଙ୍କୁ ଅନୁଗୁଳ ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଟଙ୍କା ଯୋଗାଡ଼ ପାଇଁ ସମୟ ଲାଗିବା ଦେଖି ପରିବାର ଲୋକେ ଅନୁଗୁଳ ନ ନେଇ ନିଜ ଗ୍ରାମରେ ଦେଶୀ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସମୟରେ କାଞ୍ଚନଙ୍କ ମୃତ୍ୟୁ ଘଟିଥିଲା ।

କାଞ୍ଚନର ମୃତ୍ୟୁ ଘଟିଥିବା ଦେଖି ପରିବାର ଲୋକେ ଅଜିତକୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କିନ୍ତୁ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ଅଜିତକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନା ପାଇ ବାରକୋଟ ଥାନା ପୁଲିସ ମୃତଦେହ ଜବତ କରିବା ସହ ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସମ୍ବନ୍ଧିତ ଖବର