ରାୟଗଡ଼ା:ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ବିଦ୍ୟୁତ୍ ଆଘାତରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶ୍ରମ ବିଭାଗର ଅଜାଣତରେ ଦଲାଲ୍ କଥାରେ ପଡ଼ି ସଭିଁଏ କାମ କରିବାକୁ ଯାଇ ଅକାଳରେ ଜୀବନ ହାରିଛନ୍ତି। ମୃତକଙ୍କ ମଧ୍ୟରେ ୫ ସ୍କୁଲ ଛାତ୍ର ଥିବାରୁ ଏହି ଅଘଟଣ ପାଇଁ ଦୋଷ ମୁଣ୍ଡାଇବ କିଏ? ଶ୍ରମ ବିଭାଗ ନା ପ୍ରଶାସନ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା ସରକାର ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିବା ପରେ ନିଜ ଦୋଷ ଲୁଚାଇବା ପାଇଁ ଶ୍ରମ ବିଭାଗ ସମସ୍ତ ଉଦ୍ୟମ ଜାରି ରଖିଛି। ବିନା ପଞ୍ଜୀକରଣ ଓ ପଞ୍ଚାୟତରେ କୌଣସି ସୂଚନା ନ ଦେଇ ଶ୍ରମିକ ମାନେ କାମ କରିବାକୁ ଯାଇଥିବା ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇବାକୁ ବାଟ କାଢ଼ିଛି ଶ୍ରମ ବିଭାଗ।

Advertisment

ତେବେ ମୃତ ୬ ଶ୍ରମିକଙ୍କ ସହିତ ଗୁଣ୍ଟୁର ଜିଲ୍ଲାର ବିଭିନ୍ନ ଫାର୍ମ ହାଉସ୍, ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗୁଣପୁର, ବିଷମକଟକ ଓ ପଦ୍ମପୁର ବ୍ଲକର ଶତାଧିକ ଶ୍ରମିକ କାମ କରିବା ଘଟଣା ଶ୍ରମ ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି। ଶ୍ରମିକଙ୍କ ମୃତ ଦେହ ଆଣିବାକୁ ପରିବାର ଲୋକଙ୍କ ସହ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଛାତ୍ର ଜନତା ଦଳ ରାୟଗଡ଼ା ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା ଗୁଣ୍ଟୁରରେ ପହଞ୍ଚିବା ପରେ ଶ୍ରମିକଙ୍କ ସମ୍ପ‌ର୍କରେ ଖବର ପାଇବା ପରେ ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବସ୍‌ର ଆୟୋଜନ କରିଛନ୍ତି। ଫ୍ୟାକ୍ଟ୍ରିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ କେବଳ ଗୁଣପୁର ବ୍ଲକରୁ ୩୪ ଶ୍ରମିକ ଅଛନ୍ତି। ଯାହାଙ୍କ ମଧ୍ୟରେ ଅଧିକାଂଶ ନାବାଳକ।

କିପରି ଏବଂ କେଉଁ ପରିସ୍ଥିତିରେ ସ୍କୁଲ ଛାତ୍ରମାନେ ଆନ୍ଧ୍ରକୁ ଦାଦନ ଖଟିବାକୁ ଗଲେ ଏବଂ ଏସଂପର୍କରେ ଶ୍ରମ ବିଭାଗ, ଚାଇଲଡ୍ ଲାଇନ୍ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିନା ପଞ୍ଜୀକରଣରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଯିବା ଉପରେ ସରକାର ରୋକ୍ ଲଗାଇଥିବା ସତ୍ତ୍ବେ ଦଲାଲ ମାନେ ଗାଁକୁ ଗାଁ ବୁଲି ଅଧିକ ମଜୁରୀ ପ୍ରଲୋଭନ ଦେଖାଇ ବାହାରକୁ ଶ୍ରମିକ ଚାଲାଣ କରୁଛନ୍ତି। କିନ୍ତୁ ଏ ଦିଗରେ ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଉନି।

ଆଜି ସୁଦ୍ଧା ଜଣେ ବି ଦଲାଲଙ୍କୁ ଠାବ କରିବାରେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଶ୍ରମ ବିଭାଗ ସକ୍ଷମ ହୋଇନଥିବାରୁ ପ୍ରତିଦିନ ଶହଶହ ଦାଦନ ଶ୍ରମିକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। କାର୍ଯ୍ୟସ୍ଥଳୀରେ ଶ୍ରମିକ ମାନେ ଅକଥନୀୟ ନିର୍ଯ୍ୟାତନାର ଶିକାର ହେବା ସହ ଅସାବଧାନତାବଶତଃ ଯୋଗୁ ଜୀବନ ହାରୁଛନ୍ତି। ଯାହା ଗୁରୁବାର ରାତିରେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଲଙ୍କାଭାନିଦିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଘଟଣାରୁ ସ୍ପଷ୍ଟ ହୋଇଛି। ଅକାଳରେ ଚାଲି ଯାଇଥିବା ଜୀବନ ପାଇଁ ମୃତକଙ୍କ ପରିବାରକୁ ଓଡ଼ିଶା ସରକାର ୨ ଲକ୍ଷ ଏବଂ ଆନ୍ଧ୍ର ସରକାର ୩ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି। ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ କଡ଼ା ନିର୍ଦେଶ ଥିବାବେଳେ ସହାୟତା ରାଶିକୁ ଢ଼ାଲ କରି ଉଭୟ ରାଜ୍ୟର ପ୍ରଶାସନ ଓ ଶ୍ରମ ବିଭାଗ ଖସିଯିବାକୁ ଉଦ୍ୟମ କରୁଛନ୍ତି। ସୂଚନାଯୋଗ୍ୟ, ଲଙ୍କାଭାନିଦିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଘଟିଥିବା ସଟ୍‌ସର୍କିଟରେ ଗୁଣୁପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣୁପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିଲ୍ଲା ଜିରାଙ୍ଗର ମହେନ୍ଦ୍ର ଶବରଙ୍କ ମୃତ୍ୟୁ ହୋଇଛି।