ଖୋର୍ଦ୍ଧା: ଗତ ଦୁଇବର୍ଷ ଧରି ମୌସୁମୀ ବିଳମ୍ବରେ ଆସିଥିଲା, କେବଳ ମୌସୁମୀ କାହିଁକି ଚାଷୀଙ୍କ ନିକଟରେ ଉନ୍ନତ କିସମର ବିହନ ମଧ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏଥିପାଇଁ କୃଷି ବିଭାଗ କରୋନା ସଂକ୍ରମଣଜନିତ କଟକଣାକୁ ଦାୟି କରିଥିଲେ। ଚଳିତବର୍ଷ କଟକଣା ହଟିଛି, ଚାଷୀଙ୍କ ନିକଟରେ ବିହନ ପହଞ୍ଚିବାରେ ପୂର୍ବବର୍ଷ ଭଳି ବିଳମ୍ବ ହେବନାହିଁ ବୋଲି କୃଷି ବିଭାଗ ପ୍ରତିଶ୍ରୁତି ଦେଇଛି। ଖୋର୍ଦ୍ଧା ଜିଲ୍ଲାରେ ଧାନ ଚାଷ ହେଉଥିବା ଜମିର ଦିନକୁ ଦିନ ହ୍ରାସ ପାଉଛି। ଏହାର ପ୍ରମୁଖ କାରଣ, ନୂତନ ଜନବସତି ବୃଦ୍ଧି ଯୋଗୁଁ ଜମି ଉପରେ ଚାପ, ଚାଷ ଜମିକୁ ପାଣି ଯୋଗାଇବାରେ ଜଳସେଚନ ବିଭାଗର ଅପରାଗତା ଓ ମରୁଡି ପ୍ରତିରୋଧ ବିହନ ମିଳିବାରେ ବିଳମ୍ବ ଅଟେ। ପରିସଂଖ୍ୟାନକୁ ଦୃଷ୍ଟି ଦେଲେ ଏହି କଥା ଆପାତତଃ ସ୍ପଷ୍ଟ ହେଉଛି। ୨୦୨୧ ଖରିଫ ଋତୁରେ, ୧ଲକ୍ଷ ୧ହଜାର ୫୬ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ବିହନ, ୪୦୯ ହେକ୍ଟର ଜମିରେ ହାଇବ୍ରିଡ୍ ଧାନ ଓ ୪୨୯୫ ହେକ୍ଟର ଜମିରେ ସ୍ଥାନୀୟ ଧାନ ବିହନ ଚାଷ ହୋଇଥିଲା। ୨୦୨୨ ଖରିଫ ଋତୁରେ ଅଧିକ ଅମଳକ୍ଷମ ଧାନ ଚାଷ ପରିମାଣ ହ୍ରାସ ପାଇ ୯ହଜାର ୯୭୨୫ ହେକ୍ଟରକୁ ପହଞ୍ଚିଥିବା ବେଳେ ସ୍ଥାନୀୟ ବିହନ ବ୍ୟବହାର ହେଉଥିବା ଜମିର ପରିମାଣ ୩୦୨୫ ହେକ୍ଟରକୁ ଖସି ଆସିଥିଲା। ହାଇବ୍ରିଡ୍ ଧାନ ବିହନ ବ୍ୟବହାର ହେଉଥିବା ଜମିର ପରିମାଣ କେବଳ ଗୋଟିଏ ହେକ୍ଟର ବୃଦ୍ଧି ପାଇ ୪୧୦ ହେକ୍ଟରକୁ ପହଞ୍ଚିଥିଲା। ଗତବର୍ଷ ଏଭଳି ଧାନଚାଷର ପରିମାଣ ହ୍ରାସ ପାଇବା ପଛରେ ମୌସୁମୀର ବିଳମ୍ବକୁ ଦାୟି କରାଯାଇଥିଲା। ଗତବର୍ଷ ପରମ୍ପରାକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟାରେ ଧାନ ବିହନ ଅନୁକୂଳ କରାଯାଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ସ୍ଥାନରେ ଧାନ ବୁଣା ପ୍ରାୟ ୪୫ ଦିନ ବିଳମ୍ବରେ ଜୁନ୍ ମାସରୁ ଆରମ୍ଭ ହୋଇଥିଲା।

Advertisment

ପୂର୍ବବର୍ଷ ଅକ୍ଷୟତୃତୀୟା ବେଳକୁ ଅଂଶୁଘାତ ଭୟ ରହିଥିଲା, ବର୍ଷାର କୌଣସି ସୂଚନା ନଥିଲା। ଚଳିତବର୍ଷ ବର୍ଷା ଠିକଣା ସମୟରେ ଆସିବାର ଅନୁମାନ କରାଯାଇଛି। ଅକ୍ଷୟ ତୃତୀୟାରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଗାମୀ ସପ୍ତାହରେ ମଧ୍ୟ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଦୃଷ୍ଟିରୁ ଚଳିତ ଅକ୍ଷୟତୃତୀୟାରେ ଚାଷୀ ମଧ୍ୟ ଅଧିକ ଉତ୍ସାହରେ ଜମିରେ ବିହନ ବୁଣିବା କାମ ଆରମ୍ଭ କରିଛି। ଏନେଇ ଜିଲ୍ଳା କୃଷି ବିଭାଗ ଡେପୁଟି ନିର୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ଯେ ଚଳିତବର୍ଷ ପାଗ ଅନୁକୂଳ ରହିଛି ଓ ପାଳକ ଭଲ ରହିଛି। ପୂର୍ବ ବର୍ଷରେ ଚାଷୀଙ୍କ ଠାରୁ ବିହନର ଅଗ୍ରୀମ ତଥ୍ୟ ସଂଗ୍ରହ କରି ବିହନ ପ୍ରସ୍ତୁତ କରିବା ଓ ଯୋଗାଇବାରେ କିଛି ସମସ୍ୟା ହୋଇଥିଲା। ଚଳିତବର୍ଷ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଗୋ-ସୁଗମ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଜଣେ ଚାଷୀ ଅଗ୍ରୀମ ଟଙ୍କା ଦେଇ କେତେ ପରିମାଣରେ ଧାନ ବିହନ କେଉଁ ଠାରୁ ନେବ ତାହା ଆଗୁଆ ବରାଦ କରିିପାରିବ। ଜିଲ୍ଲା ପାଇଁ ଚଳିତ ବର୍ଷ ପ୍ରାୟ ୯ହଜାର କ୍ୱିଣ୍ଟାଲ ଧାନ ବିହନ ଆବଶ୍ୟକ ହେବ ବୋଲି ଏକ ପ୍ରାଥମିକ ଆକଳନ କରାଯାଇଛି। ଯେଉଁମାନେ ପୋର୍ଟାଲ୍ରେ ଧାନ ବିହନ ପାଇଁ ଅଗ୍ରୀମ ବୁକ୍ କରିପାରିବେ ନାହିଁ ସେମାନଙ୍କ ପାଇଁ ସୋସାଇଟି ମାଧ୍ୟମରେ ଧାନ ବିହନ ନେଇ ପାରିବେ। ଆସନ୍ତା ୭-୮ ଦିନ ମଧ୍ୟରେ ପହଞ୍ଚିଯିବ।