ଆଷାଢ଼ରେ ବର୍ଷା ହଜିଲା, ତଥାପି ହେଜିନି କୃଷି ବିଭାଗ

ଖୋର୍ଦ୍ଧା: ଆଷାଢ଼ ମାସ ଶେଷ ହୋଇଛି, ଶ୍ରାବଣ ଆରମ୍ଭ ପ୍ରାୟ। ମୌସୁମୀ ଓଡ଼ିଶାକୁ ଛୁଇଁବାର ମଧ୍ୟ ଏହା ମଧ୍ୟରେ ୩୦ ଦିନ ବିତିଲାଣି, କିନ୍ତୁ ଜିଲ୍ଲାରେ ବର୍ଷା ସ୍ୱାଭାବିକ ହୋଇନାହିଁ। ଅନେକ ସ୍ଥାନରେ ଚାଷ କାମ ଆରମ୍ଭ ହୋଇପାରିନାହିଁ, ଚାଷୀଙ୍କୁ ବିହନ ମିଳିପାରିନାହିଁ, ସାର ପହଞ୍ଚି ପାରିନାହିଁ, ତଥାପି ଜିଲ୍ଲା କୃଷି ବିଭାଗର ନିଦ ଭାଙ୍ଗିନାହିଁ। ଭିଏଲ୍ଡବ୍ଲୁ ଠାରୁ ଆରମ୍ଭ କରି ଜିଲ୍ଲା କୃଷି ଅଧିକାରୀ ଯାଏଁ କେହି ଏଭଳି ସ୍ଥତି ସମ୍ପର୍କରେ ମୁହଁ ଖୋଲୁ ନାହାଁନ୍ତି କି ଚାଷୀଙ୍କ ନିକଟରେ ପହଞ୍ଚୁ ନାହାଁନ୍ତି। ଓଡ଼ିଶାକୁ ମୌସୁମୀ ଜୁନ୍ ୮ରେ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, କିନ୍ତୁ ପ୍ରାକ୍ ମୌସୁମୀରେ ସମୁଦ୍ର ଉପକୂଳରେ ଥିବା ଖୋର୍ଦ୍ଧା ଜିଲ୍ଲା ପ୍ରାୟତଃ ଶୁଖିଲା ରହିଥିବା ବେଳେ ମୌସୁମୀ ବର୍ଷା ମଧ୍ୟ ଜୁନ୍ ୨୦ରେ ପ୍ରଥମ ଅନୁଭୂତ ହୋଇଥିଲା। ପାଣିପାଗ ବିଭାଗର ସୂଚନାନୁସାରେ, ଜୁନ୍ ୨ରୁ ୮ ତାରିଖ ମଧ୍ୟରେ ବର୍ଷା ସ୍ୱାଭାବିକ ଠାରୁ ୯୦ ପ୍ରତିଶତ କମ୍ ରହିଥିଲା। ଜୁନ୍ ୮ଠାରୁ ୧୫ ମଧ୍ୟରେ ବର୍ଷା ୧୦୦ ପ୍ରତିଶତ କମ୍, ଜୁନ୍ ୧୫ରୁ ୨୨ ମଧ୍ୟରେ ୩୩ ପ୍ରତିଶତ କମ୍, ଜୁନ୍ ୨୨ରୁ ୨୯ ମଧ୍ୟରେ ୩୦ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୁନ୍ ୨୯ରୁ ଜୁଲାଇ ୬ ମଧ୍ୟରେ ୧୧ ପ୍ରତିଶତ କମ୍ ବର୍ଷା ଓ ଜୁଲାଇ ୬ରୁ ୧୪ ତାରିଖ ମଧ୍ୟରେ ୧୦ ସ୍ୱାଭାବିକ ଠାରୁ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅପରପକ୍ଷରେ, ଯଦି ସଂପୂର୍ଣ୍ଣ ମାସରେ ପଡ଼ିଥିବା ବର୍ଷାର ପରିମାଣକୁ ଅନୁଶୀଳନ କରାଯାଏ ତେବେ ଜୁନ୍ ମାସରେ ସ୍ୱାଭାବିକ ଭାବେ ହାରାହାରି ୧୯୭ ମିମି ବର୍ଷା ହେଉଥିବା ବେଳେ ଚଳିତ ବର୍ଷ ଏହା ୭୪ ମିମି ହୋଇଥିଲା।

ଯଦି ବ୍ଲକ ୱାରି ଅନୁଶୀଳନ କରାଯାଏ ତେବେ ସେହି ମାସର ଅଧିକାଂଶ ଦିନ ପାଗ ଶୁଖିଲା ଥିବା ବେଳେ ବେଗୁନିଆରେ ଗୋଟିଏ ଦିନ ସର୍ବାଧିକ ୪୦ ମିମି, ବୋଲଗଡ଼ରେ ୨୦ ତାରିଖରେ ୬୬ ମିମି, ବେଗୁନିଆରେ ୨୩ ତାରିଖରେ ୮୦ ମିମି, ବାଲିଅନ୍ତାରେ ୨୯ ତାରିଖରେ ୩୫ ମିମି ବର୍ଷା ହୋଇଥିବା ବେଳେ ବଳକା ଦିନ ଗୁଡ଼ିକ ପ୍ରାୟତଃ ଶୁଖିଲା ରହିଥିଲା। ବର୍ତ୍ତମାନ ଜୁଲାଇ ମାସର ୧୪ ଦିନ ଅତିକ୍ରାନ୍ତ ହୋଇଯାଇଛି। ଏହି ମାସରେ ସ୍ୱାଭାବିକ ଭାବେ ୩୦୪.୯ ମିମି ବର୍ଷା ହେବା କଥା କିନ୍ତୁ ବର୍ତ୍ତମାନ ସୁଦ୍ଧା ହାରାହାରି ୧୮୫ ମିମି ବର୍ଷା ହୋଇଛି। ୫, ୬ ଓ ୮ ତାରିଖରେ ତିନି ଦିନ ଲଗାଣ ବର୍ଷା ପରେ ପୁଣି ୧୨ ତାରିଖରୁ ଲଗାଣ ବର୍ଷା ହୋଇଛି। ଏହାସତ୍ୱେ ଚାଷ ଜମି ପାଇଁ ଯେତିକି ବର୍ଷା ଜଳ ଆବଶ୍ୟକ ସେତିକି ପରିମାଣ ଜଳ ମିଳିପାରିନାହିଁ।

ତଥ୍ୟାନୁସାରେ, ୧୨ ତାରିଖରେ ୨୮୯.୭ ମିମି, ୧୩ ତାରିଖରେ ୧୬୬.୬୩ ମିମି ଓ ଆଜି ୨୯୫.୩୩ ମିମି ବର୍ଷା ରେକର୍ଡ କରାଯାଇଛି। ଆଜି ବାଲିଅନ୍ତାରେ ହାରାହାରି ୧୯ ମିମି, ବାଲିପାଟଣାରେ ୧୧.୪ ମିମି, ଭୁବନେଶ୍ୱର ବ୍ଲକରେ ୪୩.୬ ମିମି, ଜଟଣୀ ୧୭ ମିମି, ବାଣପୁର ୬୬ ମିମି, ବେଗୁନିଆ ୨୪.୨ ମିମି, ବୋଲଗଡ ୪୯ ମିମି, ଚିଲିକା ୩୪ ମିମି, ଖୋର୍ଦ୍ଧା ୨୦ ମିମି ଓ ଟାଙ୍ଗୀ ସର୍ବନିମ୍ନ ୧୧ ମିମି ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନାନୁସାରେ ମୌସୁମୀ ବର୍ତ୍ତମାନ ପଶ୍ଚିମ ଓଡ଼ିଶାକୁ ମୁହାଁଇଥିବା ବେଳେ ଯଦି ଲଘୁଚାପ ନହୁଏ ତେବେ ଆଗାମୀ ସପ୍ତାହ ପ୍ରାୟତଃ ଶୁଖିଲା ରହିବ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥତିରେ ଖୋର୍ଦ୍ଧା ଜିଲ୍ଲାର ବିଶେଷତଃ ବୋଲଗଡ଼, ଟାଙ୍ଗୀ, ଖୋର୍ଦ୍ଧା, ବେଗୁନିଆ ଆଦି ବ୍ଲକରେ ଚଳିତ ମାସରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଜିଲ୍ଲାରେ ବାଲିପାଟଣା ଓ ବାଲିଅନ୍ତା ବ୍ୟତୀତ ସର୍ବାଧିକ ଧାନଚାଷ ଉତ୍ପାଦିତ ହେଉଥିବା ବ୍ଲକ ମଧ୍ୟରେ ଏହି ୪ଟି ବ୍ଲକ ରହିଥିବା ବେଳେ ବର୍ଷା ଅଭାବରୁ ବର୍ତମାନ ଚାଷ କାମ ପ୍ରଭାବିତ ହୋଇଛି। କିନ୍ତୁ ଏନେଇ କୃଷି ବିଭାଗର କୌଣସି ଅଧିକାରୀ, ଏପରିକି ଜିଲ୍ଲା କୃଷି ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ।

ସମ୍ବନ୍ଧିତ ଖବର