ତାତିଲେ ଜମାକାରୀ, ସାହାରା ଅଫିସ୍‌ରେ ତାଲା

ଜଳେଶ୍ବର: ଜଣେ ବ୍ୟକ୍ତି ସାହାରାରେ ଟଙ୍କା ଜମା ରଖିଥିଲେ। ଏମ୍‌ଆଇଏସ୍‌ ବା ମନ୍ଥଲି ଇନ୍‌କମ ସ୍କିମ୍‌ରେ ସେ ପ୍ରତି ମାସ ସୁଧ ବାବଦ ୧ ହଜାର ଟଙ୍କା ପାଇବା କଥା। ହେଲେ ଉକ୍ତ ଟଙ୍କା ମିଳୁନି। ପଚାରିଲେ କାର୍ଯ୍ୟାଳୟର କେହି କିଛି ଉତ୍ତର ଦେଉ ନାହାନ୍ତି। ଏପରି ସମୟରେ ଆଜି ସଂପୃକ୍ତ ଜମାକାରୀ ଜଣକ ସାହାରା କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି।

ଜଳେଶ୍ବର ଷ୍ଟେସନ୍‌ ବଜାର କାଳୀ ମନ୍ଦିର ନିକଟରେ ସାହାରା କେଡିଟ୍‌ କୋ-ଅପେରାରେଟିଭ୍‌ ସୋସାଇଟି ଲିମିଟେଡ୍‌ର ଏକ କାର୍ଯ୍ୟାଳୟ ରହିଛି। ୨୦୧୭ ମସିହା ଅକ୍ଟୋବର ମାସ ୨୬ ତାରିଖ ଦିନ ରାଜପୁର ପଞ୍ଚାୟତ ମିଲିଟାରୀ ବଜାର ଗାଁ’ର ଚନ୍ଦନ ସାହୁ ଏଠାରେ ମାଆ ଶିବାନୀ ସାହୁଙ୍କ ନାମରେ ଦଶ ବର୍ଷ ପାଇଁ ୧ ଲକ୍ଷ ଟଙ୍କାର ଏକ ଏମ୍‌ଆଇଏସ୍‌ କରିଥିଲେ। ସର୍ତ୍ତ ଥିଲା ଜମାକାରୀଙ୍କୁ ପ୍ରତି ମାସ ସୁଧ ବାବଦରେ ୧ ହଜାର ଟଙ୍କା ମିଳିବ। କିନ୍ତୁ ଦୁଇମାସ ହେଲା ଟଙ୍କା ମିଳୁନି। ଯାହାକୁ ନେଇ ଚନ୍ଦନ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି ଏବଂ ସାହାରା କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ତାଲା ପକାଇ ଦେଇଛନ୍ତି ।

କେବଳ ଚନ୍ଦନ ନୁହଁନ୍ତି; ରାୟାଁରାମଚନ୍ଦ୍ରପୁର ଗ୍ରାମର ଉମାକାନ୍ତ ରାଉଳ ଏବଂ ସିଙ୍ଗଲା ଥାନା ପଥଦୁର୍ଗା ଗାଁ’ର ଅବଦୁଲ ନାଶିରୁଦ୍ଦିନ ଖାଁ ମଧ୍ୟ ସମାନ ଅବ୍ୟବସ୍ଥାକୁ ସାମ୍ନା କରୁଥିବା କହିବା ସହ ଚନ୍ଦନଙ୍କୁ ସମର୍ଥନ ଜଣାଇଛନ୍ତି। ଜମା ଟଙ୍କାର ମେଚୁରିଟି ସମୟ ହୋଇଯାଇଥିଲେ ବି ଟଙ୍କା ଦିଆ ନ ଯାଇ ପୁଣିଥରେ ଜମା ରଖିବାକୁ ବାଧ୍ୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ତେବେ ରିପୋର୍ଟ ଲେଖା ହେବା ଯାଏ ସାହାରା କାର୍ଯ୍ୟାଳୟରୁ ତାଲା ଖୋଲା ଯାଇ ପାରି ନାହିଁ। ଜମାକାରୀମାନେ ଘଟଣାର ତଦନ୍ତ ଦାବି କରିଥିବା ବେ‌ଳେ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର