ଶିଳ୍ପାଞ୍ଚଳରେ ଋଗଣ ସ୍ବାସ୍ଥ୍ୟସେବା, ଡାକ୍ତରଙ୍କ ଡେପୁଟେସନ ହବ୍ ପାଲଟିଛି ଟିକିରି ମେଡ଼ିକାଲ

ରାୟଗଡ଼ା: ଶିଳ୍ପ ଓ ଖଣି ପ୍ରଭାବିତ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ନିର୍ମିତ ହୋଇଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। କାଶୀପୁର ବ୍ଲକର ଟିକିରି, କୁଚେଇପଦର, ଗୋରଖପୁରରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରୁଛନ୍ତି। କିନ୍ତୁ ଏହି ୩ ମେଡ଼ିକାଲରେ ଜଣେ ବି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ, ହୋମିଓପାଥି ଡାକ୍ତରଙ୍କ ଭରସାରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର। କାଶୀପୁର ବ୍ଲକର ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇ ଆସୁଛି। ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟିକିରି ସମେତ ବାଙ୍କାମ୍ବ, ପୋଡାପାଡି, ନାକଟିଗୁଡା, ଶଙ୍କରଡ଼ା, ସିରିପାଇ, ଗୋଡିବାଲି ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବା ପାଇଁ ନିୟମିତ ଏହି ମେଡ଼ିକାଲକୁ ଆସୁଛନ୍ତି।

ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଉତ୍କଳ ଆଲୁମିନା କମ୍ପାନି ସମେତ ଟିକିରି ଓ ଦୋରାଗୁଡ଼ା ଥାନା, ବହୁ ବେସରକାରୀ କମ୍ପାନି ରହିଛି। ଜ୍ବର, କାଶ, ଥଣ୍ଡାଠୁ ଆରମ୍ଭ କରି ଛୋଟମୋଟ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ରୋଗ ହେଲେ ଅଞ୍ଚଳବାସୀ ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥାନ୍ତି। ହେଲେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଡାକ୍ତର ନଥିବାରୁ ଉତ୍କଳ ଆଲୁମିନା ହସପିଟାଲ କିମ୍ବା ଖର୍ଚ୍ଚାନ୍ତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଡାକ୍ତରଙ୍କୁ ଟିକିରି ମେଡ଼ିକାଲରେ ନିଯୁକ୍ତି କରାଯାଉଛି ୨/୩ ମାସ ରୋଗୀ ସେବା ପରେ ଉକ୍ତ ଡାକ୍ତର ଡେପୁଟେସନରେ ଅନ୍ୟତ୍ର ଚାଲି ଯାଉଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେବାରେ ଲାଗିଛି। ଅଞ୍ଚଳବାସୀଙ୍କ ଦାବି ପରେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଡା. ପ୍ରତ୍ୟୁଷ ରଞ୍ଜନ ବେହେରା ଟିକିରି ମେଡ଼ିକାଲକୁ ଡେପୁଟେସନରେ ଆସିଥିଲେ। ୨୦୨୧ ଜୁନ୍ ମାସରେ ଡଃ. ବେହେରା କାର୍ଯ୍ୟରେ ଯୋଗଦେଇଥିବା ବେଳେ ୨ ମାସ କାମ କରିବା ପରେ କୌଣସି କାରଣ ଦର୍ଶାଇ ଲମ୍ବା ଛୁଟିରେ ଚାଲି ଯାଇଛନ୍ତି। ଏହା ପରେ ଅନ୍ୟ ଯେଉଁ ଡାକ୍ତରଙ୍କୁ ବିଭାଗ ପଠାଉଛି କେହି ବି କାର୍ଯ୍ୟରେ ଯୋଗ ଦେଉନାହାଁନ୍ତି।

ଫଳରେ ଜଣେ ଫାର୍ମାସିଷ୍ଟ ଓ ହୋମିଓପାଥିକ ଡାକ୍ତର ପ୍ରଶାନ୍ତି କୋରା ସ୍ବାସ୍ଥ୍ୟକେନ୍ଦ୍ରକୁ ସମ୍ଭାଳୁଛନ୍ତି। ଟିକିରି ମେଡ଼ିକାଲରେ ଦୈନିକ ରୋଗୀ ସଂଖ୍ୟାରେ ବୃଦ୍ଧି ପରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ବିଭାଗ ପଦକ୍ଷେପ ନେଇଛି। ଶିଶୁ, ମାତୃ ମୁତ୍ୟହାର ନିୟନ୍ତ୍ରଣ, ଅପୁପଷ୍ଟି ରୋକିବା, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗକୁ ନିୟନ୍ତ୍ରଣରେ ରଖିବାକୁ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମଡେଲ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନୂତନ କୋଠା ନିର୍ମାଣ ଚାଲିଥିବା ବେଳେ ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ବିଭାଗ ନିଷ୍ପତ୍ତି ନେଇଛି।

ସ୍ବାସ୍ଥ୍ୟସେବା ପାଇଁ ଡାକ୍ତର ନଥିବା ବେ‌ଳେ କ‌ୋଠା, ଅତ୍ୟାଧୁନିକ ଯନ୍ତ୍ରପାତି କାହା ସ୍ବାର୍ଥରେ ଆସିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି? ଟିକିରି ମେଡ଼ିକାଲ୍ ଡାକ୍ତରଙ୍କ ଡେପୁଟେସନ ହବ ପାଲଟିଥିବା ବେଳେ କୁଚେଇପଦର ଓ ଗୋରଖପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ସାତ ସପନ ପାଲଟିଛି। ଅଞ୍ଚଳର ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ୮ ପଞ୍ଚାୟତବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ତୁରନ୍ତ ଡାକ୍ତର ନିଯୁକ୍ତି ଦାବିରେ ଆଜି କାଶୀପୁର ବ୍ଲକ୍ ଅଧ୍ୟକ୍ଷ କଣ୍ଠ ମାଝି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଲାଲ୍ ମୋହନ ରାଉତରାୟଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ୧୫ ଦିନ ମଧ୍ୟରେ ଡାକ୍ତର ପଦବି ପୂରଣ ପାଇଁ ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତରାୟ ପ୍ରତିଶ୍ରୁତି ଦେଇଛନ୍ତି। ତୁରନ୍ତ ମେଡ଼ିକାଲରେ ଡାକ୍ତର ନିଯୁକ୍ତି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନାକଟିଗୁଡା ସରପଞ୍ଚ ଭଗବାନ ମାଝୀ, ଯୁବ ନେତା ହରପ୍ରସାଦ ନାୟକ, ଅମିତ୍ ନାୟକ, ପପୁଲାର ମାଝୀ, ପ୍ରତାପ ବାଗ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର