କୋଭିଡ଼ କଟକଣା ଭିତରେ ବଡ଼କୋଦଣ୍ଡାର ଡ଼େରାବେଶ, ଘୁମୁସର ମାଟିର ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଘୁମୁସର ମାଟିର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ନିଜର ଐତିହ୍ୟ ଏବଂ ଲୋକକଳାକୁ‌ ନେଇ ଏହି ମାଟି ସାରା ବିଶ୍ବରେ ପରିଚିତ ହୋଇଥିବା ବେଳେ ଏହା ମଧ୍ୟରେ‌ ବଡ଼କୋଦଣ୍ଡା ଗ୍ରାମର ଡ଼େରାବେଶ ତଥା ପଶୁମୁଖା ପ୍ରର୍ଦଶନ ଅନନ୍ୟ। ପ୍ରତିବର୍ଷ ଭଳି ଏଥର ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଏହି ଡେରାବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମକୁ ସୁନ୍ଦର ଭାବେ ସଜାଇ ଜଗନ୍ନାଥ ମନ୍ଦିର ଠାରୁ ଗୋପୀନାଥ ମନ୍ଦିର ଯାଏଁ ପ୍ରାୟ ଏକ କିମି ବଡ ଦାଣ୍ଡରେ ବିଭିନ୍ନ ପଶୁମାନଙ୍କ ପ୍ରତିକାତ୍ମକ କଣ୍ଢେଇ ଗୁଡିକୁ ରାସ୍ତା ଉପରେ ସଜ୍ଜାଇ ରଖାଯାଇଛି।

ଡ଼େରାବେଶ ଦେଖିବାକୁ ଆଖପାଖ ଗ୍ରାମର ଶହସ୍ରାଧିକ ଶ୍ରଦ୍ଧାଳୁମାନଙ୍କ ଏହି ଦିନ ବଡକୋଦଣ୍ଡା ଗ୍ରାମକୁ ସୁଅ ଛୁଟୁଥାଏ। କିନ୍ତୁ ଚଳିତ ବର୍ଷ ସତେ ଯେଭଳି ସବୁ କିଛି ନିରବି ଯାଇଛି। ‌କରୋନା କଟକଣା ପାଇଁ ସଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିବା ବେଳେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ନି‌‌ର୍ଦ୍ଦେଶ ଜାରି କରିଥିବାରୁ କଟକଣା ଭିତରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଡେରାବେଶ ସଂପୂର୍ଣ୍ଣ ଫିକା ପଡ଼ିଛି। କେବଳ ବିଧି ରକ୍ଷା ପାଇଁ ହାତ ଗଣତି କିଛି ବେଶକୁ ମନ୍ଦିର ସାମ୍ନାରେ ରଖାଯାଇଥିବା ବେଳେ ବାହାର ଶ୍ରଦ୍ଧାଳୁ ଏହି ଗ୍ରାମକୁ କେହି ଆସି ନଥିବା ଦେଖିବାକୁ ମିଳିଛି।

ପାରମ୍ପରିକ ପଶୁମୁଖା ନୃତ୍ୟକୁ ନେଇ ଏହି ଗ୍ରାମର ପରିଚିତ ରହିଥିବା ବେଳେ ଏହି ଗ୍ରାମର ଶତାଧିକ କଳାକାର ଏହି ନୃତ୍ୟ ମାଧ୍ୟମରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। କରୋନା ମାହାମାରୀ ସେହି କଳାକାର ମାନଙ୍କ ରୋଜଗାର ଛଡାଇ ନେଇଥିବା ‌ବ‌େଳେ ପାରମ୍ପରିକ ରୀତିନୀତିରେ ମଧ୍ୟ ପ୍ରତିବନ୍ଧକ ସାଜିଛି। ପୂର୍ବରୁ ପ୍ରତିବର୍ଷ ଗ୍ରାମର ବଡ଼ ଦାଣ୍ଡରେ ଆର୍କଷଣୀୟ ଢଙ୍ଗ ‌ଓ ସାଜସଜ୍ଜାରେ ପଶୁମୁଖା କଳାର ଚରିତ୍ର ମାନଙ୍କୁ ପ୍ରର୍ଦଶନ କରାଯାଉଥିଲା। ହାତୀ, ମହାବଳ ବାଘ, ଧଳାବାଘ, ଘୋଡା, କଳ ଘୋଡା, ସିଂହ, ବୃଷଭ, ହରିଣ, ମୟୁର, ଚଇତି ଘୋଡା, ନବ ଗୁଞ୍ଜର ଭଳି ବଡ ବଡ କଣ୍ଢେଇ ଗୁଡ଼ିକୁ ରାସ୍ତା ଉପରେ ଠିଆ କରାଯାଉଥିଲା। ଏଥିସହ ଗୋଟିଏ ମନ୍ଦିର ପାର୍ଶ୍ବରେ ରାମ, ଲକ୍ଷ୍ମଣ, ହନୁମାନ ଏବଂ ଅନ୍ୟ ମନ୍ଦିର ପାଖରେ ରାବଣ, କୁମ୍ଭକର୍ଣ୍ଣର ବିଶାଳ କଣ୍ଢେଇ ରଖାଯାଇ ରାମାୟଣ ଯୁଦ୍ଧର ଏକ ପ୍ରତିକାତ୍ମକ ଚିତ୍ର ସୃଷ୍ଟି କରାଯାଉଥିଲା, ଯାହାକି ଗ୍ରାମକୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ପୌରାଣିକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରୁଥିଲା। ଏଥିସହ ଗ୍ରାମରେ ଥିବା ବିଭିନ୍ନ ମନ୍ଦିର ବୁଲିବା ସହ ମନ୍ଦିର ଗୁଡ଼ିକରେ ନିର୍ମାଣ ହୋଇଥିବା କଳାକୃତି ଶ୍ରଦ୍ଧାଳୁ ମାନଙ୍କୁ ବେଶ୍‌ ଆର୍କଷିତ କରୁଥିଲା। ଏହା ଦ୍ବାରା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଗ୍ରାମ ଉତ୍ସବ ମୁଖର ହୋଇ ଉଠୁଥିଲା। ଆଜି କିନ୍ତୁ ସେହି ସ୍ଥାନରେ ନିରବତା ରାଜ କରୁଥିଲା। ମନ୍ଦିର ଗୁଡ଼ିକରେ କାଁ ଭାଁ ଲୋକ ବୁଲୁଥିବା‌ ଦେଖିବାକୁ ମଳିଥିବା ବେଳେ ଜଗନ୍ନାଥ ମନ୍ଦିର ସାମ୍ନାରେ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହାତୀ, ଘୋଡା, ବାଘ ଓ ସଂହ ଭଳି ହାତ ଗଣତି କିଛି ବେଶକୁ ରଖାଯାଇଥିବା ‌ବେଳେ ଗୋପୀନାଥ ମନ୍ଦିର ପରିସରରେ ଆଉ କିଛି ପଶୁମୁଖା ବେଶକୁ ଡେରା ଯାଇଥିଲା। ହେଲେ ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ଉତ୍ସବ ଶ୍ରୀହିନ ପରି ଲାଗୁଥିଲା।

ଡେରା ବେଶ ପଞ୍ଚୁକରୁ ଆରମ୍ଭ ହେଉଥିବା ବେଳେ ପୂର୍ଣ୍ଣମୀ ଦିନ ଉଦ୍‌ଯାପିତ ହେଉଥିଲା। ଏହି ଅବସରରେ ଗ୍ରାମରେ ନାମ ସଂକୀର୍ତ୍ତନ, ଯଜ୍ଞ ଆଦି ଅନୁଷ୍ଠିତ କରାଯାଉଥିଲା କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଏହି ପ୍ରାଚୀନ ପରମ୍ପରା ବାଧାପ୍ରାପ୍ତ ହୋଇଛି। ଆଧ୍ୟାତ୍ମିକ ଚେତନା ସହ ଘୁମୁସର ମାଟିର ବିରତ୍ବର ସ୍ମୃତି ଚାରଣ ପାଇଁ ଏହି ପରମ୍ପରା ‌କାହିଁ କେଉଁ କାଳରୁ ହୋଇ ଆସୁଥିବା ବେଳେ ମାନବ ସମାଜ ମଧ୍ୟରେ ସଂସ୍ମୃତିକ ଚେତନା ସୃଷ୍ଟି କରି କଳାକୁ ବଞ୍ଚାଇ ରଖିବାର ଏକ ପ୍ରୟାସ ‌ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି କଳାର ଭବିଷ୍ୟତ କଣ ହେଉଛି ତାହା ସମୟ ଉପରେ ନିର୍ଭର।

ସମ୍ବନ୍ଧିତ ଖବର