ରାୟଗଡ଼ାର ନଗଡ଼ା ଦେରୁଞ୍ଜା, ୨୫ ପରିବାର ମଧ୍ୟରୁ ଜଣଙ୍କୁ ବି ମିଳିନି ଇନ୍ଦିରା ଆବାସ

ରାୟଗଡ଼ା: ଗାଁକୁ ନାହିଁ ରାସ୍ତା। ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ପାଲଟିଛି ସ୍ବପ୍ନ। ପଲ୍ଲୀସଭା, ଗ୍ରାମସଭା ସତ୍ତ୍ବେ ଜଣେ ବି ଗ୍ରାମବାସୀଙ୍କୁ ମିଳିନି ଇନ୍ଦିରା ଆବାସ। ରାସନ ପାଇଁ ୬ କିମି ପାହାଡ଼ ଚଢ଼ିବାକୁ ପଡୁଛି। ପାଠ ପଢ଼ିବାକୁ ୪ କିମି ଦୂରରେ ରହିଛି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର। ନଳକୂପରୁ ଲୁହାମିଶ୍ରିତ ପାଣି ବାହାରୁଥିବାରୁ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି। ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିକାଶଠୁ ବହୁ ଦୂରରେ ରହି ଏପରି ଦୁର୍ବିସହ ଜୀବନ ବଞ୍ଚୁଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତର ଦେରୁଞ୍ଜା ଗ୍ରାମବାସୀ। ଗ୍ରାମରେ ୨୫ଟି ପେଙ୍ଗା କନ୍ଧ ସମ୍ପ୍ରଦାୟ ବାସ କରୁଥିବା ବେଳେ ସରକାରଙ୍କ ସମସ୍ତ ଯୋଜନାରୁ ଦୂରରେ ରହି ଯାଇଛନ୍ତି ଏହି ସମ୍ପ୍ରଦାୟ। ଜିଲ୍ଲାର ଶେଷ ଗ୍ରାମ ତଥା କଳାହାଣ୍ଡି ସୀମାନ୍ତରେ ଅବସ୍ଥିତ ଦେରୁଞ୍ଜାର ବିକାଶ ପ୍ରତି ସରକାର ଆଖି ବୁଜି ଦେଇଥିବାରୁ ଗ୍ରାମବାସୀ ନାନା ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି। ଖଣିଜ ସମ୍ପଦରେ ପରିପୂର୍ଣ୍ଣ କାଶୀପୁର ବ୍ଲକ। ବାର୍ଷିକ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି ଏହି ବ୍ଲକରୁ। ଯାହା ଜିଲ୍ଲା ଓ ରାଜ୍ୟର ବିକାଶରେ ସହାୟକ ହେଉଛି। କିନ୍ତୁ ଦୀପ ତଳ ଅନ୍ଧାର ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି ବ୍ଲକବାସୀ। ଯାହା ଅପହଞ୍ଚ ଇଲାକା ଦେରୁଞ୍ଜା ଗ୍ରାମରୁ ସ୍ପଷ୍ଟ ପ୍ରମାଣିତ। ଗାଁ ଚର୍ତୁପାର୍ଶ୍ବକୁ ପାହାଡ଼ ପର୍ବତ ଘେରି ରହିଥିବାରୁ ଏକ ଟାପୁ ଉପରେ ଗ୍ରାମବାସୀ ବସବାସ କରି ଆସୁଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ମାଣ୍ଡିବିଶିରୁ ପୋଟେଶ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇଛି। ପୋଟେଶରୁ ଦେରୁଞ୍ଜାକୁ ରାସ୍ତା ନଥିବାରୁ ପାହାଡ଼ ପର୍ବତ ଦେଇ ୮ ଘଣ୍ଟା ଚାଲିବା ପରେ ଲୋକେ ଗାଁରେ ପହଞ୍ଚିଥାନ୍ତି।

୧୯୬୦ ମସିହାରେ କଳାହାଣ୍ଡି ଜିଲ୍ଲାର ଅଂଶବିଶେଷ ଥିବା ଏହି ଗାଁ ଏବେ ରାୟଗଡ଼ା ଜିଲ୍ଲାର ଶେଷ ଗାଁ ଭାବେ ରହିଛି। ବହୁ ଦାବି ପରେ ଦୀର୍ଘ ୫ ବର୍ଷ ମଧ୍ୟରେ ପୋଟେଶରୁ ଦେରୁଞ୍ଜାକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରୁ ମାତ୍ର ୨୦୦ ମିଟର ରାସ୍ତାର ନିର୍ମାଣ ଶେଷ ହୋଇଛି। ଗ୍ରାମର କିଛି ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳୁଥିବା ବେଳେ ଅନ୍ୟ କିଛି ସରକାରୀ ସୁବିଧା ସୁଯୋଗ ମିଳୁନି। ପଲ୍ଲୀ ସଭା, ଗ୍ରାମସଭାରେ ବାରମ୍ବାର ସଂକଳ୍ପ ସତ୍ତ୍ୱେ କୌଣସି ପରିବାରକୁ ଆଜି ପର୍ଯ୍ୟନ୍ତ ଇନ୍ଦିରା ଆବାସ ମିଳିପାରିନି। ଗାଁରୁ ୪ କିମି ଦୂର ପୋଟେଶରେ ରହିଛି ସରକାରୀ ବିଦ୍ୟାଳୟ। ପାହାଡ଼ ପର୍ବତ ରାସ୍ତା ଦେଇ ପୋଟେଶ ଗାଁକୁ ଯିବାକୁ ପଡ଼ୁଥିବାରୁ ଭୟରେ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଯାଉନାହାଁନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ପରିସ୍ଥିତି ମଧ୍ୟ ସମାନ। ଶିକ୍ଷା ପାଇଁ ଅନ୍ୟ କିଛି ବିକଳ୍ପ ନଥିବାରୁ କିଛି ପିଲା ଉଭୟ ବାଳକ ଏବଂ ବାଳିକା ବାହରପଡା ମାଜି, ବୁଦ୍ଧଗୁଡା, ଲାକ୍ରିସିରେ ଥିବା ଆଶ୍ରମ ବିଦ୍ୟାଳୟକୁ ଯାଉଛନ୍ତି।

Sambad

ଗାଁରେ ଥିବା ନଳକୂପରୁ ଅଧିକ ପରିମାଣର ଲୁହାମିଶ୍ରତ ଜଳ ବାହାରୁଥିବାରୁ ଗ୍ରାମବାସୀ ଝରଣା ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ସମସ୍ତ ପରିବାରକୁ ପିଡିଏସ୍ ଚାଉଳ ମିଳୁଛି ସତ ହେଲେ ପ୍ରତି ମାସରେ ଚାଉଳ ପାଇଁ ଗ୍ରାମବାସୀ ୬ କିମି ପାହାଡ଼ ତଳକୁ ଓହ୍ଲାଇ ମାଣ୍ଡିବିଶି ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ନେଇ ପୁଣି ପାହାଡ଼ ଉପରୁକ ଚଢ଼ୁଛନ୍ତି। ସାପ୍ତାହିକ ହାଟ ପାଇଁ ଗ୍ରାମବାସୀ କଳାହାଣ୍ଡି ସମେତ କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଉପରେ ନିର୍ଭରଶୀଳ। କୋଭିଡ଼ ମହାମାରୀ ପାଇଁ ସରକାର ସ୍କୁଲ ବନ୍ଦ କରିଦେବା ପରେ ଆଶ୍ରମ ବିଦ୍ୟାଳୟକୁ ଯାଉଥିବା ଗ୍ରାମର ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ।

ଦୁର୍ଗମ ଇଲାକାବାସୀଙ୍କ ସାମାଜିକ ଅର୍ଥନୈତିକ ବିକାଶ ସହ ସମସ୍ତଙ୍କୁ ସାକ୍ଷର କରିବା ଉଦ୍ଦେଶ୍ୟରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗାମୀ ପକ୍ଷରୁ ଏବେ ଗାଁରେ ଶିକ୍ଷା କେନ୍ଦ୍ର ଖୋଲାଯାଉଛି। ଆଦିବାସୀ ଯୁବକ ସାନୁ ମାଝୀ ଶିକ୍ଷକ ଭାବେ ନିଯୁକ୍ତ ପରେ ଏବେ ଗାଁରେ ଖୋଲା ଆକାଶ ତାଳ ପିଲାଙ୍କୁ ପାଠ ପଢ଼ାଯାଉଛି। ଶିକ୍ଷାକେନ୍ଦ୍ରରେ କେବଳ ଦେରୁଞ୍ଜା ନୁହେଁ, କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ କେରପାଇ ପଞ୍ଚାୟତ ସୁଙ୍ଗରଗଡା ଗ୍ରାମର ପିଲା ମଧ୍ୟ ପଢ଼ୁଛନ୍ତି। କଳାହାଣ୍ଡିରୁ ଆସିଥିବା ପିଲାମାନେ ନିଜ ସମ୍ପର୍କୀୟ ଘରେ ଦେରୁଞ୍ଜାରେ ରହି ପଢ଼ିବା ସହ ସାପ୍ତାହକୁ ଥରେ ନିଜ ଗାଁକୁ ରାସନ ଆଣିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର