ରାୟଗଡ଼ା: ଅପହଞ୍ଚ ଦେରୁଞ୍ଜା ଗାଁକୁ ବିକାଶର ସ୍ରୋତରେ ସାମିଲ ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଗ୍ରାମବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି କାମ। ମନରେଗା ଯୋଜନାରେ ରାସ୍ତା, ସ୍ବଜଳ ଧାରା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଏବଂ ବିଦ୍ୟୁତକରଣ ଯୋଜନାରେ ଆଲୋକୀକରଣ ପାଇଁ କାଶୀପୁର ବ୍ଲକ ପ୍ରଶାସନ ନେଇଛି ପଦକ୍ଷେପ। ରାୟଗଡ଼ା ଜିଲ୍ଲାର ଶେଷ ଗାଁ ତଥା କଳାହାଣ୍ଡି ସୀମାନ୍ତରେ ପାହାଡ଼ ଚର୍ତୁପାର୍ଶ୍ବରେ ଅବସ୍ଥିତ ଦେରୁଞ୍ଜା ଗାଁ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିଲା। ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗାଁକୁ ବିକାଶ ଛୁଇଁନଥିବା ସମ୍ପର୍କରେ ଖବର ପ୍ରକାଶ ପରେ କାଶୀପୁର ବିଡ଼ିଓ ଗୌରଚନ୍ଦ୍ର ପଟ୍ଟନାୟକ ଦେରୁଞ୍ଜା ପରିଦର୍ଶନ କରି ବିକାଶ ପାଇଁ ନକସା ପ୍ରସ୍ତୁତ କରିଛନ୍ତି।
ପଞ୍ଚାୟତ କାର୍ଯ୍ୟାଳୟ ମାଣ୍ଡିବିଶିରୁ ୮ କିମି ଦୂରରେ ଥିବା ଦେରୁଞ୍ଜାକୁ ରାସ୍ତା ନଥିବାରୁ ଲୋକେ ପାହାଡ ଚଢ଼ି ଯାତାୟତ କରୁଥିଲେ। ବିଡ଼ିଓ ଶ୍ରୀ ପଟ୍ଟନାୟକ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମନରେଗା ଯୋଜନାରେ ଗାଁକୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି। ୧୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ରାସ୍ତା କାମ ଆସନ୍ତା ସପ୍ତାହ ସୁଦ୍ଧା ଶେଷ ହେବ ବୋଲି ବିଡ଼ିଓ ଶ୍ରୀ ପଟ୍ଟନାୟକ କହିଛନ୍ତି। ଘାଟ କଟିଂ ସହ ପଥୁରିଆ ଅଞ୍ଚଳକୁ ସମତୁଲ କରି ରାସ୍ତା ନିର୍ମାଣ ଚାଲିଛି। ମନରେଗା ଯୋଜନାରେ ନିର୍ମାଣ ଚାଲିଥିବା ମାଟି ରାସ୍ତା ପରବର୍ତ୍ତୀ ସମୟରେ ନିତିଦିନିଆ ରାସ୍ତାରେ ପରିଣତ କରିବାକୁ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ କହିଛନ୍ତି। ସେହିପରି ସ୍ବଜଳ ଧାରା ଯୋଜନାରେ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ୧ ଲକ୍ଷ ବ୍ୟୟରେ ଆରମ୍ଭ ହୋଇଛି ପ୍ରକଳ୍ପ। ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ବିଛାଇବା କାମ ଶେଷ ହୋଇଥିବା ବେଳେ ୨/୩ ଦିନ ମଧ୍ୟରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରି ପାଣି ଯୋଗାଇ ଦେବାକୁ ବିଡ଼ିଓ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଗାଁରେ ଥିବା ନଳକୂପରୁ ଲୁହାମିଶ୍ରତ ପାଣି ବାହାରୁ ଥିବାରୁ ଲୋକେ ଝରଣା ପାଣି ବ୍ୟବହାର କରୁଥିଲେ। ସେହିପରି ୧ ଲକ୍ଷ ବ୍ୟୟରେ ବିଦ୍ୟୁତକରଣ କାମ ମଧ୍ୟ ଆରମ୍ଭ ହୋଇଛି। ଅନ୍ଧକାର ଦୂର ପାଇଁ ଜରୁରିକାଳୀନ ଭାବେ ସୋଲାର ଷ୍ଟ୍ରିଟଲାଇଟ ଲଗାଯାଇଥିବା ବେଳେ ପ୍ରତି ଘରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ୧ ଲକ୍ଷ ବ୍ୟୟରେ ଆରମ୍ଭ ହୋଇଛି କାମ।
/sambad/media/post_attachments/wp-content/uploads/2022/01/RGD_Derunja-Development-1.jpg)
ଗ୍ରାମର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଧକ୍ୟ, ବିଧବା ଭତ୍ତା ପ୍ରଦାନ ସହ ବିଜୁ ସ୍ମାର୍ଟକାର୍ଡ ଯୋଜନାରେ ସାମିଲ କରିଛି ବ୍ଲକ ପ୍ରଶାସନ। ରାସ୍ତା ନିର୍ମାଣ ଶେଷ ହେବା ପରେ ପଞ୍ଚାୟତ କାର୍ଯ୍ୟାଳୟ ବଦଳରେ ଗାଁରେ ବ୍ଲକ ପ୍ରଶାସନ ପହଞ୍ଚି ପିଡିଏସ ସାମଗ୍ରୀ ଓ ଭତ୍ତା ବଣ୍ଟନ କରାଯିବ ବୋଲି ବିଡ଼ିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ନେଇ ପ୍ରଶାସନ ପଦକ୍ଷେପ ନେଇଥିଲେ ମଧ୍ୟ ଗାଁ ପିଲାଙ୍କ ପାଠପଢ଼ା ପାଇଁ କୌଣସି ବିକଳ୍ପ ହୋଇପାରିନି। ଫଳରେ ପୂର୍ବବତ୍ ଗାଁରୁ ୪ କିମି ଦୂର ପୋଟେଶରେ ଥିବା ସରକାରୀ ବିଦ୍ୟାଳୟ ହିଁ ପାଠପଢ଼ା ସାହା ଭରସା। ସୂଚନାଯୋଗ୍ୟ, ରାୟଗଡ଼ାର ନଗଡ଼ା ଦେରୁଞ୍ଜା ସମ୍ପର୍କିତ ଖବର ‘ସମ୍ବାଦ’ ରେ ପ୍ରକାଶ ପରେ ବ୍ଲକ ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇଥିଲା। ପୂର୍ବରୁ ବିଡ଼ିଓ ଶ୍ରୀ ପଟ୍ଟନାୟକ, ବ୍ଲକ ଯନ୍ତ୍ରୀ, ଅନ୍ୟ ଅଧିକାରୀ ଗାଁରେ ପହଞ୍ଚି ଲୋକଙ୍କ ଅସୁବିଧା ଦୂର ପାଇଁ ଆଲୋଚନା କରିଥିଲେ। କିନ୍ତୁ ସମସ୍ୟା ଦୂରୀକରଣରେ ବିଳମ୍ବ ହୋଇଥିଲା। ‘ସମ୍ବାଦ’ରେ ଖବର ପ୍ରକାଶ ପରେ ରାଜ୍ୟ ରିଲିଫ୍ କମିଶନର୍ ପ୍ରଦୀପ ଜେନା ରାୟଗଡ଼ା ଜିଲ୍ଲାପାଳଙ୍କ ସହ ଗାଁର ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ବିକାଶମୂଳକ କାମ ଆଗେଇବାକୁ ପରାମର୍ଶ ଦେଇଥିଲେ।