ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲର ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନଙ୍ଗଲଘାଟ ନିକଟରେ ସୋମବାର ପୁଲିସ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛି। ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ ଟିମ୍ ସେଠାରେ ଚଢ଼ଉ କରି ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି।
ସୂଚନା ଅନୁସାରେ, ନଙ୍ଗଲଘାଟ ନିକଟ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ କ୍ୟାମ୍ପ କରି ରହୁଥିଲେ। ଏହି କ୍ୟାମ୍ପରେ ରହି ମାଓବାଦୀମାନେ ସୁରକ୍ଷା ବଳ ଉପରେ ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିଲେ। ଏହି ଖବର ଗୁଇନ୍ଦା ସୂତ୍ରରୁ ନୂଆପଡ଼ା ପୁଲିସକୁ ମିଳିଥିଲା। ସୋମବାର ପୂର୍ବାହ୍ଣ ୧୧ଟାରେ ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ରଙ୍କ ନିର୍ଦେଶକ୍ରମେ ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜି, ଡିଭିଏଫ୍ ଓ ସିଆର୍ପିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ନଙ୍ଗଲଘାଟ ଗାଁ ନିକଟ ଜଙ୍ଗଲ ଭିତରେ ଯବାନମାନେ ଏହି ମାଓବାଦୀ କ୍ୟାମ୍ପ ନିକଟରେ ପହଞ୍ଚିଥିଲେ। ଯବାନଙ୍କ କମ୍ବିଂ ଅପରେସନକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେଠାରୁ ୫ କେଜି ବିସ୍ଫୋରକ, ୨୦ଟି ଚକୋଲେଟ ବମ୍, ବହୁ ପରିମାଣରେ ଔଷଧ, ଲୁଣ, ହଳଦୀଗୁଣ୍ଡ, ଚାଉଳ ୨୦ କେଜି, ଚା’, ପ୍ଲାଷ୍ଟିକ କଣ୍ଟେନର ଆଦି ଜବତ କରାଯାଇଛି। ଏବେ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଜୋର୍ଦାର୍ ଚାଲିଥିବା ଏସ୍ପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।