ଧର୍ମଶାଳା: ଜାରକା ଜଳସେଚନ ଡିଭିଜନ ପକ୍ଷରୁ ଦୁର୍ବଳ ନଦୀବନ୍ଧ ଚିହ୍ନଟ ହୋଇଛି। ଧର୍ମଶାଳା, ରସୁଲପୁର, ବଡ଼ଚଣା ଓ ବରୀ ବ୍ଲକ୍କୁ ନେଇ ଗଠିତ ଏହି ଡିଭିଜନ ଅଧୀନରେ ୩୨୫.୯ କି.ମି. ନଦୀବନ୍ଧ ରହିଛି। ଏଥିମଧ୍ୟରୁ ବରୀ ବ୍ଲକ୍ର ୧.୮କି.ମି. ନଦୀବନ୍ଧ ଦୁର୍ବଳ ରହିଥିବା ସେଚ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାୟାପଡ଼ା-ମିର୍ଜାପୁର ଟିଆରଇ ନଦୀବନ୍ଧର ମାଟିଆପଡ଼ା ଉପରମୁଣ୍ତ ଓ ତଳମୁଣ୍ତ ନଦୀବନ୍ଧରେ ୭୦୦ ମିଟର ଓ ନୀଳାପଦାରେ ୧୧୦୦ ମିଟର ନଦୀବନ୍ଧ ଦୁର୍ବଳ ରହିଛି। ଏସବୁ ସ୍ଥାନରେ ବନ୍ୟା ନିୟନ୍ତ୍ରଣ ପାଇଁ ୨ ହଜାର ବାଲିବସ୍ତା, ୩ହଜାର ଖାଲି ସିମେଣ୍ଟ ବସ୍ତା, ୧୦୦ କୁଇଣ୍ଟାଲ ଓଜନର ବାଉଁଶ ତିଆରି ତଲେଇ ଓ ୧ ହଜାର ଘନମିଟର ବାଲି ଗଚ୍ଛିତ ରଖାଯାଇଛି।
ଏ ସଂପର୍କରେ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଓ ଏସ୍ଆରସିଙ୍କୁ ଅବଗତ କରାଯାଇଛି। ଏବେ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ନଦୀଗୁଡ଼ିକରେ ବର୍ଷାପାଣି ବୃଦ୍ଧି ପାଇଛି। ବ୍ରାହ୍ମଣୀ, ଶାଖା କେଲୁଅ, ବିରୂପାରୁ ବାହାରିଥିବା ଗେଙ୍ଗୁଟି ନଦୀ ଓ କୁଆଁରିଆ ନାଳରେ ବନ୍ୟା ଆସି ଧର୍ମଶାଳା, ରସୁଲପୁର, ବଡ଼ଚଣା ଓ ବରୀ ବ୍ଲକ୍ର ବିଭିନ୍ନ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥାଏ। ବ୍ରାହ୍ମଣୀ ନଦୀର ଜେନାପୁରଠାରେ ବିପଦ ସଂକେତ ୬୭ ଫୁଟ୍ ରହିଛି। ୬୭ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଲେ ଧର୍ମଶାଳା ଓ ରସୁଲପୁର ବ୍ଲକ୍ରେ ଥିବା ନଦୀବନ୍ଧ ପ୍ରତି କୌଣସି ବିପଦ ନାହିଁ। ମାତ୍ର ଏହା ବରୀ ବ୍ଲକ୍ ଅଧୀନ ଟିଆରଇ ନଦୀବନ୍ଧରେ ବିପଦ ସୃଷ୍ଟି କରିଥାଏ। ପୂର୍ବରୁ ବନ୍ୟା ଦ୍ବାରା ଘାଇ ହୋଇଥିବା ନଦୀବନ୍ଧଗୁଡ଼ିକୁ ସୁଦୃଢ଼ କରାଯାଇଛି। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ୭୦ଫୁଟ୍ରୁ ଅଧିକ ଉଚ୍ଚରେ ପ୍ରବାହିତ ହେଲେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ଜାରକା ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବାମଦେବ ଦାସ ସୂଚନା ଦେଇଛନ୍ତି।