ଜିଲ୍ଲାବାସୀ ଚିନ୍ତାରେ, ଜଗତସିଂହପୁର ଜିଲ୍ଲା ପର୍ଯ୍ୟଟନ ବିକାଶରେ ମରୁଡ଼ି

ଜଗତସିଂହପୁର ଟାଉନ୍: ପ୍ରାକୃତିକ ସମ୍ପଦରେ ଭରପୂର ଜଗତସିଂହପୁର ଜିଲ୍ଲା। ନଦନଦୀ, ବିସ୍ତୃତ ବେଳାଭୂମି, ମଠମନ୍ଦିର, ଭଳି ପ୍ରାକୃତିକ ପ୍ରାଚର୍ଯ୍ୟକୁ ନେଇ ବାଣୀକ୍ଷେତ୍ର ସମୃଦ୍ଧ। ମା’ ଶାରଳାଙ୍କୁ ଦର୍ଶନ ପାଇଁ ହେଉ ବା ପାରାଦୀପ ବନ୍ଦର କିମ୍ବା ଶିଆଳି ବେଳାଭୂମି। ଆଖି ଯେଉଁ ଆଡ଼କୁ ଯିବ ସେଠି ଗଢ଼ି ଉଠିଛି ପର୍ଯ୍ୟଟନ କ୍ଷେତ୍ର। ପ୍ରାୟ ସମସ୍ତ ବ୍ଲକ୍‌ରେ ରହିଛି ପର୍ଯ୍ୟଟନର ସମ୍ଭାର। ପ୍ରତି ଦିନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଛନ୍ତି।

କିନ୍ତୁ ପର୍ଯ୍ୟଟନ ବିଭାଗର ଚରମ ଅବହେଳା ଯୋଗୁଁ ପର୍ଯ୍ୟଟନ କ୍ଷେତ୍ର ଏଠାରେ ଅବହେଳିତ। ବିଡ଼ମ୍ବନା ହେଲା ଏଠାରେ ନା ଅଛନ୍ତି ସ୍ଥାୟୀ ପର୍ଯ୍ୟଟନ ଅଧିକରୀ ନା ଅଛି ପର୍ଯ୍ୟଟନ ବିକାଶର ଚିନ୍ତା। ରାଜ୍ୟ ସରକାର ମଧ୍ୟ ଅଣଦେଖା କରି ଚାଲିଛନ୍ତି ଏହି ଜିଲ୍ଲାକୁ। ସରକାର ତଥ୍ୟ କହୁଛି ଜିଲ୍ଲାରେ ଏପର୍ଯ୍ୟନ୍ତ ଜଗତସିଂହପୁର ମୁଚୁକୁନ୍ଦ ସୋମନାଥ ପୀଠ, ଝଙ୍କଡ଼ ମା’ ଶାରଳା ମନ୍ଦିର, ପାରାଦୀପ ପୋର୍ଟ– ମାଛ ଧରା ବନ୍ଦର ଓ ସମୂଦ୍ର କୂଳ, ଏରସମା ବ୍ଳକ୍ ଆମ୍ବିକି ପଂଚାୟତରେ ଥିବା ଶିଆଳି ବେଳାଭୂମି, ଗଡ଼ କୁଜଙ୍ଗ ଜଗନ୍ନାଥ ମନ୍ଦିର, ପାରାଦୀପ ଗଡ଼ ଷଣ୍ଢକୁଦ ଅଚଂଳ ଏବଂ ଚାନ୍ଦପୁର(ମହିଳୋ) ରଘୁନାଥଜିଉ ମନ୍ଦିରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି। କିନ୍ତୁ କୌଣସି ପର୍ଯ୍ୟଟନ କ୍ଷେତ୍ରରେ ଆନୁଷଙ୍ଗିକ ସର୍ବନିମ୍ନ ସୁବିଧା ସୁଯୋଗ ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ବିକାଶ କରାଯାଇ ପାରିନାହିଁ। ପାରାଦୀପ କଟକ-କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରେଳପଥ ଥିଲେ ହେଁ ଜିଲ୍ଲାରେ ଜାତୀୟରାଜପଥ ଭଳି ପ୍ରଶସ୍ତ ୪ ଲେନ୍‌ ରାସ୍ତା ନିର୍ମାଣ କରାଯାଇନାହିଁ। ପର୍ଯ୍ୟଟନର ବିକାଶ ପାଇଁ ଆସୁଥିବା ସ୍ବଳ୍ପ ଅନୁଦାନର ସିଂହଭାଗ କେବଳବାଟମାରଣା ହୋଇଯାଏ। ଏମିତିକି ପର୍ଯ୍ୟଟନସ୍ଥଳୀକୁ ଯିବାକୁ ସୂଚନା ବୋର୍ଡ ବି ଲଗାଇବାକୁ ଭୁଲି ଯାଉଛି ବିଭାଗ।

ବାଦ୍‌ ପଡ଼ୁଛି ଆକର୍ଷଣୀୟ ସ୍ଥାନ
ଏହାବାଦ୍‌ ବିରିଡ଼ି ବ୍ଲକ୍ ହାଜିପୁରରେ ଥିବା ପଚଂଶଖା ଧ୍ୟାନପୀଠ ଧ୍ୟାନକୁଦ, ନାଇଲୋ ଯଶୋବନ୍ତ ପୀଠ, ରଘୁନାଥପୁର ବ୍ଲକ୍ ଛପଡ଼ାରେ ବାବା ଗୋରେଖନାଥ ପୀଠ, ପଞ୍ଚପଲ୍ଲୀ ଗ୍ରାମେଶ୍ବର ମନ୍ଦିର, ନାଉଗାଁ ବ୍ଳକ୍ ଗାରୋଇ ଆଶ୍ରମ ଜଗନ୍ନାଥ ମନ୍ଦିର, ଶାଳିଜଙ୍ଗା ମଠ, ବାଲିକୁଦା ବ୍ଲକ୍ ମରିଚିପୁର ପଞ୍ଚାୟତର ମା’ ବନ୍ଦରେଇଙ୍କ ପୀଠ, ଗଡ଼ହରିଶପୁରରେ ଥିବା ହାୱାଖାନା ଓ ସମୂଦ୍ର ବେଳାଭୂମି ଏବଂ ଧଳତଙ୍ଗଡ଼ ଜଙ୍ଗଲ ପ୍ରଭୃତିରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲେ ହେଁ ସେସବୁ କ୍ଷେତ୍ରର ବିକାଶ ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ। ୨୦ ବର୍ଷରୁ ଅଧିକ ସମୟ ହେବ ଉକ୍ତ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମାନ୍ୟତା ଦେବାକୁ ଜିଲ୍ଲାବାସୀ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। ହେଲେ ସରକାର ନିଦା ବିଷ୍ଣୁ।

ପିଅନ ମାର୍ଫତରେ ପର୍ଯ୍ୟଟନ କାର୍ଯ୍ୟାଳୟ !
ଅଧିକାରୀଙ୍କ ଅଭାବ ଦର୍ଶାଇ ସରକାର ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି। ଏବେ କଟକର ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ। କିନ୍ତୁ ମାସକୁ ୪ ଥର ମଧ୍ୟ ଆସିନଥାନ୍ତି। କେବଳ ଜଣେ ପିଅନରେ ଚାଲିଛି ପର୍ଯ୍ୟଟନ କାର୍ଯ୍ୟାଳୟ। ଜିଲ୍ଲାର ସବୁ ନିର୍ବାଚନ ମଣ୍ତଳୀରେ ଶାସକ ବିଜେଡି ବିଧାୟକ। ଜିଲ୍ଲାରେ ଜଣେ ମନ୍ତ୍ରୀ ଅଛନ୍ତି। ସାଂସଦ ମଧ୍ୟ ବିଜେଡି ଦଳର। କିନ୍ତୁ ପର୍ଯ୍ୟଟନ ବିଭାଗ ଅବହେଳିତ। ଗତ ବର୍ଷ ପଡ଼ୋଶୀ କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ସରକାର ଇକୋ ରିଟ୍ରିଟ୍ କଲେ। କିନ୍ତୁ ଜଗତସିଂହପୁର ଜିଲ୍ଲାରେ ପାରାଦୀପଠାରୁ ବନ୍ଦର ପର୍ଯ୍ୟନ୍ତ ସୁନ୍ଦର ବେଳାଭୂମି ଥିଲେ ହେଁ ସରକାରଙ୍କ ଦୃଷ୍ଟି ପଡ଼ିଲା ନାହିଁ। ବଳଦଦେବଜୀଉ ମନ୍ଦିର ପାଇଁ ସରକାର ହାତ ଖୋଲି ଦେଲେ। ହେଲେ ମା’ ଶାରଳାଙ୍କ ପାଇଁ କେବଳ କୋଟିଏ ଦେଇ ଚୁପ୍ ବସିଗଲେ। କୋଟିଏ ଟଙ୍କାର କାମ ପୁଣି ଧର୍ମକୁ ଆଖିଠାର ଭଳି। ଠିକାଦାର ପୋଷା ଅଧିକ, ଉନ୍ନତି କାମ କମ୍‌ ହୋଇଛି। ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ତଥା ତିର୍ତୋଲ ଦାୟିତ୍ବ ବ୍ୟକ୍ତିଗତ ଭାବେ ଦେଖିବେ ବୋଲି ମିଠା ଘୋଷଣା କରିଦେଇଗଲେ। ତିର୍ତୋଲବାସୀ ବିଜେଡିକୁ ବିଜୟ ମଣ୍ଡିତ କଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଏବେ ସ୍ବର ଉଠିଲାଣି। ଜିଲ୍ଲାର ବିକାଶ ପାଇଁ ସରକାରଙ୍କ କେତେ ଆନ୍ତରିକତା ତାହା ଏଥିରୁ ସହଜେ ଅନୁମୟେ। କେବଳ ଭୋଟ୍ ରାଜନୀତିରେ ଜଗତସିଂହପୁରବାସୀଙ୍କୁ ମୋହରା ବନା ଯାଉନାହିଁ ତ? ଏବେ ଏଭଳି ପ୍ରଶ୍ନ ଜିଲ୍ଲାବାସୀଙ୍କ ମନରେ ଉଙ୍କି ମାରିଲାଣି। ଯାହା ଆଗାମୀ ଦିନରେ ସରକାରଙ୍କୁ ଅଡ଼ୁଆରେ ପକାଇବ ବୋଲି କିଛି ରାଜନୈତିକ ସମୀକ୍ଷକମାନେ ମତ ରଖୁଛନ୍ତି।

ସମ୍ବନ୍ଧିତ ଖବର