ନିୟମଗିରିର ପାରସାଲିକୁ ବିକାଶ ଅପହଞ୍ଚ, ଲଦ ସିକକାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ

ରାୟଗଡ଼ା: ମୋବାଇଲ୍ ନେଟୱର୍କ ସୁବିଧା ନାହିଁ। ବ୍ୟାଙ୍କ ସେବା ସ୍ବପ୍ନ ପାଲଟିଛି। ପାରସାଲି ପାଇଁ ଅନୁମୋଦିତ ଜନସେବା କେନ୍ଦ୍ର କଲ୍ୟାଣସିଂହପୁରରେ କାମ କରୁଛି। ଯାତାୟାତ ପାଇଁ ବସ ସୁବିଧା ମଧ୍ୟ ନାହିଁ। ସରକାରୀ ଯୋଜନାରେ ପାତର ଅନ୍ତର କରାଯାଉଥିବା ବେଳେ ଓପିଲିପି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ବିକାଶ ଆଖିଦୃଶିଆ ହୋଇପାରିନି।

କଲ୍ୟାଣସିଂହପୁର ବ୍ଲକ୍ ପାରସାଲି ପଞ୍ଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ନେତୃତ୍ବରେ ପଞ୍ଚାୟତବାସୀ ଆଜି ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପାରସାଲିର ବିକାଶକୁ ଗୁରୁତ୍ବ ଦେବା ପାଇଁ ଅଞ୍ଚଳବାସୀ ଦାବି କରିବା ସହିତ ଗତ ୪ ବର୍ଷରେ ଓପିଲିପି ପାରସାଲିରେ କ’ଣ ବିକାଶ ମୂଳକ କାମ କରିଛି ଏବଂ ଆଗକୁ କଣ କାମ କରିବ ତାହାର ଏକ ତାଲିକା ସାର୍ବଜନୀନ କରିବା ପାଇଁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ପଞ୍ଚାୟତରେ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ଲୋକ ମିଳିତ ଭାବେ ରହୁଥିବା ବେଳେ ସରକାରଙ୍କ ଯୋଜନାର ସୁଫଳ କେବଳ ଅନୁସୂଚିତ ଜାତି ଶ୍ରେଣୀକୁ ହିଁ ମିଳୁଛି। ଜନଜାତି ଶ୍ରେଣୀ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତର କାନପୁର ଗ୍ରାମରେ ଥିବା ସେବାଶ୍ରମ ସ୍କୁଲରେ ମୋବାଇଲ ଟାୱାର୍ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଫଳରେ ଜନସେବା କେନ୍ଦ୍ର ଓ ପାରସାଲି ଅଫିସର କାର୍ଯ୍ୟ କଲ୍ୟାଣସିଂହପୁରରେ ହେଉଛି।

ଜନସେବା କେନ୍ଦ୍ର ପାରସାଲିରେ କାମ କରୁନଥିବାରୁ ଟଙ୍କା ଉଠାଣ ପାଇଁ ଲୋକଙ୍କୁ କଲ୍ୟାଣସିଂହପୁର ଯିବାକୁ ପଡୁଛି। ସେହିପରି ପାରସାଲି ପଞ୍ଚାୟତର ୫ ଶହରୁ ଉର୍ଧ୍ବ ଛାତ୍ରଛାତ୍ରୀ ଭୁବନେଶ୍ବରସ୍ଥିତ କିସ୍ ଅନୁଷ୍ଠାନରେ ପଢ଼ୁଥିବା ବେଳେ ବସ୍ ସୁବିଧା ନଥିବାରୁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରେନ୍ ସୁବିଧା ପାଇଁ ଶିକରପାଇ, ରାୟଗଡ଼ାକୁ ଯିବାକୁ ପଡୁଥିବା ବେଳେ ଅଧିକାଂଶ ସମୟରେ ଟିକେଟ୍ ମିଳୁନି। ଏହି ପ୍ରମୁଖ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକା, କୃଷ୍ଣ ସିକକା, ଡ୍ରିକ କାଡ୍ରକା, ବାମ କାଡ୍ରକା, ହୁଇକା ସିମ୍ବା, କାଡ୍ରକା ରାମ, ଘାସି କଚିକା, ଦୁଷ୍ମନ୍ତ କୁମାର ସିକକା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର