ଖୋର୍ଦ୍ଧା ପୌର ପରିଷଦ: ଉନ୍ନୟନ ଖର୍ଚ୍ଚକୁ ପ୍ରଶାସନ କୁନ୍ଥୁ କୁନ୍ଥୁ

ମୁଣ୍ଡପିଛା ଆୟ ୯୮୦୦ ଟଙ୍କା, ଖର୍ଚ୍ଚ ୪୫୦୦ ଟଙ୍କା

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସଦରମହକୁମାରେ ଲୋକଙ୍କ ଠାରୁ ନିୟମିତ କର ଆଦାୟ ହେଉଛି, ଅନୁଦାନ ଆସୁଛି କିନ୍ତୁ ଅଧାରୁ ଅଧିକ ବ୍ୟୟ ନହୋଇ ପଡ଼ିରହୁଛି। ନାଗରିକଙ୍କ ଠାରୁ ଉନ୍ନୟନ ନାମରେ କର ଓ ଅନୁଦାନ ଗ୍ରହଣ କରି ବିକାଶ ପାଇଁ ଖର୍ଚ୍ଚ ନକରିବା ଧାରା ଅନେକ ବର୍ଷ ଧରି ଚାଲିଆସିଥିଲେ ମଧ୍ୟ ନେତା କିମ୍ବା ଜନତା ଏନେଇ ମୁହଁ ଖୋଲୁ ନାହାଁନ୍ତି। ଖୋର୍ଦ୍ଧା ପୌର ପରିଷଦର ୨୦୧୮-୧୯ ଓ ସଦ୍ୟ ଶେଷ ହୋଇଥିବା ୨୦୧୯-୨୦ ଆୟବ୍ୟୟ ଅଟକଳ ତଥ୍ୟାନୁସାରେ, ଖୋର୍ଦ୍ଧା ପୌର ପରିଷଦରୁ ଅନୁଦାନ, ଭଡ଼ା, କର ଆଦି ବାବଦରେ ବାର୍ଷିକ ହାରାହାରି ମୁଣ୍ଡପିଛା ୯୮୪୮ଟଙ୍କା ଆୟ ହେଉଥିବା ବେଳେ, ବାର୍ଷିକ ମୁଣ୍ଡପିଛା ୪୫୧୮ ଟଙ୍କା ଖର୍ଚ୍ଚ ହେଉଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଜଳକର, ଆଲୋକ କର, ହୋଲଡିଂ କର, ନର୍ଦ୍ଦମା ନିଷ୍କାସନ କର ଆଦି ବାବଦରେ ୮୪ଲକ୍ଷ ୨୦ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୨୦୧୯-୨୦ରେ ୮୧ଲକ୍ଷ ୭୫ ହଜାର ଟଙ୍କା ଆଦାୟ ହୋଇଛି।

ସେହିଭଳି ଲାଇସେନ୍ସ ଓ ଅନ୍ୟାନ୍ୟ ଫିଜ୍ ବାଦଦରେ ୨୦୧୮-୧୯ରେ ୧୬ଲକ୍ଷ ୩୪ ହଜାର ଟଙ୍କା ଓ ୨୦୧୯-୨୦ରେ ୧୨ଲକ୍ଷ ୫୩ ହଜାର ଟଙ୍କା ଆଦାୟ ହୋଇଛି। ପୌର ପରିଷଦର ସ୍ଥାବର ସମ୍ପତ୍ତି, ଯଥା ଉଠା ଦୋକାନ, ବଜାର ଭଡ଼ା, ଏଟିଏମ୍ କାଉଣ୍ଟର, ଯାତ୍ରୀ ନିବାସ ଭଡ଼ା, ପାର୍କିଂ ଫିଜ୍, ମ୍ୟୁଟେସନ୍ ମାମଲା, ପାଣି ଟାଙ୍କି ଭଡ଼ା ଆଦି ବାବଦରେ ୨୦୧୮-୧୯ରେ ୬୦ ଲକ୍ଷ ୬୭ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୨୦୧୯-୨୦ରେ ୩ କୋଟି ୨୭ ଲକ୍ଷ ୭୦ ହଜାର ଟଙ୍କା ଆଦାୟ ହୋଇଛି। ସେହିଭଳି ଏମ୍ଭି ଟ୍ୟାକ୍ସ, ସାଂସଦ ହାତପାଣ୍ଠୀ, ଏନ୍ୟୁଏଲ୍ଏମ୍, ଅକ୍ଟରି କ୍ଷତିପୂରଣ, ୧୪ଶ ଅର୍ଥ କମିଶନ ଅନୁଦାନ, ସ୍ୱଚ୍ଛଭାରତ ମିଶନ ଆଦି ଅନୁଦାନରେ ୨୦୧୮-୧୯ରେ ୧୨ କୋଟି ୯୦ଲକ୍ଷ ୪୭ ହଜାର ଟଙ୍କା ମିଳିଥିବା ବେଳେ ୨୦୧୯-୨୦ରେ ୧୮ କୋଟି ୮୧ଲକ୍ଷ ୫୪ହଜାର ଟଙ୍କା ମିଳିଛି। କେବଳ ଏହାନୁହେଁ ୨୦୧୮-୧୯ରେ ୫ ଟଙ୍କିଆ ଆହର ଯୋଜନାରେ ୨୦୧୮-୧୯ରେ ୧୬ ଲକ୍ଷ ୭୩ ହଜାର ଟଙ୍କା ଓ ୨୦୧୯-୨୦ରେ ୧୮ଲକ୍ଷ ୫୪ ହଜାର ଟଙ୍କା ଆଦାୟ କରାଯାଇଛି। ଏଭଳି ୨୦୧୮-୧୯ରେ ମୋଟ ୩୪ କୋଟି ୧୧ଲକ୍ଷ ୪୧ହଜାର ଟଙ୍କା ଆୟ ହୋଇଥିବା ବେଳେ ୨୦୧୯-୨୦ରେ ଏହା ବୃଦ୍ଧି ପାଇଁ ୩୯ କୋଟି ୮୩ଲକ୍ଷ ୨୯ ହଜାର ଟଙ୍କା ହୋଇଛି। କିନ୍ତୁ ଆୟ ତୁଳନାରେ ଖୋର୍ଦ୍ଧା ସହରରେ ବଜେଟ୍ ଓ ଦରମା, ଭତ୍ତା ଆଦି ଅଣ ବଜେଟ୍ ଖର୍ଚ୍ଚକୁ ମିଶାଇଲେ ମଧ୍ୟ ଯେତିକି ଆୟ ସେ ତୁଳନାରେ ଖର୍ଚ୍ଚ କରାଯାଉନାହିଁ।

ଦରମା, ପେନ୍ସନ, ଭତ୍ତା ଆଦି ବାବଦରେ ୨୦୧୮-୨୯ରେ ୧୪ଲକ୍ଷ ୬୦ ହଜାର ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ଏହା ହ୍ରାସ ପାଇଁ ୧୩ଲକ୍ଷ ୫୩ ହଜାର ହୋଇଛି। ରାସ୍ତାକଡ଼ ବିଦ୍ୟୁତ୍ ଦେୟ, ଗାଡ଼ି ଖର୍ଚ୍ଚ ଆଦି ବାବଦରେ ୨୦୧୮-୧୯ରେ ୫ କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୧୯-୨୦ରେ ଏହା ୩୯ଲକ୍ଷ ୬୯ ହଜାରକୁ ହ୍ରାସ ପାଇଛି। ନାଳ ନର୍ଦ୍ଦମା ମରାମତି, ପରିମଳ ବ୍ୟବସ୍ଥା ପାଇଁ ୨୦୧୮-୧୯ରେ ୯୯ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୯-୨୦ରେ ଏହା ୬୧ଲକ୍ଷ ୭୧ ହଜାରକୁ ହ୍ରାସ ପାଇଛି। ଏପରିକି ମଳ ସଫା କରିବା, ଆବର୍ଜନା ଆଦି ହଟାଇବା ପାଇଁ ୨୦୧୮-୨୯ରେ ୩୫ଲକ୍ଷ ୫୪ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୧୯-୨୦ରେ ୨୮ଳକ୍ଷ ୭୧ହଜାର ଟଙ୍କାକୁ ହ୍ରାସ ପାଇଛି। ମୋଟାମୋଟି ଭାବେ ୨୦୧୮-୧୯ରେ ୨୦ କୋଟି ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୧୯-୨୦ରେ ଏହା ୧୩ କୋଟି ୯୫ଲକ୍ଷ ଟଙ୍କାକୁ ହ୍ରାସ ପାଇଛି। ଖୋର୍ଦ୍ଧା ପୌର ପରିଷଦ ବର୍ତମାନର ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧାର ପୂର୍ବ ବିଧାୟକ ତଥା ବେଗୁନିଆର ବର୍ତ୍ତମାନ ବିଧାୟକ ଓ ଯୋଜନାବୋର୍ଡ ସଭାପତି ରାଜେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ପୁଣି ଦୁଇ ବର୍ଷର ବ୍ୟବଧାନରେ ନିର୍ବାଚିତ ଅଧ୍ୟକ୍ଷଙ୍କ ହାତକୁ ପରିଚାଳନା ଦାୟିତ୍ୱ ଯିବ। ଏପରିସ୍ଥଳେ ଖୋର୍ଦ୍ଧା ସହରର ଦୟନୀୟ ପରିସ୍ଥିତି ବଦଳିବ କିମ୍ବା ପୂର୍ବ ଭଳି କେବଳ ପ୍ରତିଶ୍ରୁତିରେ ରହିଯିବ ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର