ପୁରୁଣାପାଣି ପଞ୍ଚାୟତରେ ବିକାଶର ଆଲୋକ; ଜିଲ୍ଲାପାଳଙ୍କ ଶୁଭଦୃଷ୍ଟି ଅପେକ୍ଷାରେ ପଞ୍ଚାୟତବାସୀ

ରା .ଉଦୟଗିରି : ଆସନ୍ତା ୯ ତାରିଖରେ ଗଜପତି ଜିଲ୍ଲାପାଳ ନବଗଠିତ ପୁରୁଣାପାଣି ପଞ୍ଚାୟତରେ ଜନଶୁଣାଣି କରିବେ। ଏଥିରେ କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ଶିକ୍ଷା, ପଞ୍ଚାୟତିରାଜ, ମନରେଗା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଲୋକଙ୍କ ଅଭିଯୋଗ ଶୁଣିବେ। ଏଣୁ, ଏଥର ବିକାଶର ଆଲୋକ ଏହି ପଞ୍ଚାୟତରେ ପଡ଼ିବ ବୋଲି ଏକ ଆଶା ସଂଚାର ହୋଇଛି।

ପଞ୍ଚାୟତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା – ଶିକ୍ଷା, ଦୈନିକ ରୋଜଗାର, ପାନୀୟ ଜଳ ଓ ସ୍ୱାସ୍ଥ୍ୟ । ଗତ ବର୍ଷେ ହେଲା ପ୍ରାଥମିକ ଶିକ୍ଷା ହାସଲ ପାଇଁ ୧୦ଟି ଗ୍ରାମର ୫୦ରୁ ଉର୍ଦ୍ଧ୍ବ କୋମଳମତି ବାଳକବାଳିକା ଅପେକ୍ଷାରେ ଅଛନ୍ତି। ୧୦ଟି ଗ୍ରାମକୁ ନେଇ ରୁବାଲ ଅଞ୍ଚଳରେ ବିଦ୍ୟାଳୟଟିଏ ପ୍ରତିଷ୍ଠା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ନିବେଦନ କରାଯାଇଛି। ମନରେଗା ଯୋଜନା ତ ଏଠି ଚାଲିଛି। ତେବେ, ଦୁର୍ଗମ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ଗ୍ରାମରେ ମନରେଗା କାମର ଚିହ୍ନବର୍ଣ୍ଣ ନାହିଁ । ଲୋକେ ରୋଜଗାର ଅପେକ୍ଷାରେ। ପାନୀୟ ଜଳ କଥା ନ କହିବା ଭଲ। ରାସ୍ତା ଥିଲେ ତ ଗାଡ଼ି ଯିବ ଆଉ ଲୋକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବ।

ସବୁଠାରୁ ଉଦବେଗର ବିଷୟ ହେଲା ଏଠି ସ୍ୱାସ୍ଥ୍ୟକୁ ନେଇ ଅନ୍ଧବିଶ୍ଵାସ। ଅସୁସ୍ଥ ହେଲେ ଡାକ୍ତରଖାନା ବଦଳରେ ଝଡ଼ାଫୁଙ୍କା ଉପରେ ବେଶି ନିର୍ଭର କରନ୍ତି। ଆଉ ରୋଗୀ ମଲା ପରେ ଦୋଷ ଦିଅନ୍ତି ସ୍ୱାସ୍ଥ୍ୟ ବିଭାଗକୁ। ଜନ୍ମ ହେଲା ପିଲା ଭବିଷ୍ୟତରେ ସୁସ୍ଥ ରହିବ ବୋଲି ଶୈଶବ ଅବସ୍ଥାରେ ପେଟରେ ଚେଙ୍କ ଦିଅନ୍ତି। ଏଣୁ, ଜିଲ୍ଲାପାଳଙ୍କ ଶୁଭଦୃଷ୍ଟି ପଡ଼ିଲେ ଅଞ୍ଚଳର ଅବସ୍ଥା ସୁଧୁରନ୍ତା ବୋଲି ଏକ ବିଶ୍ବାସ ପଞ୍ଚାୟତବାସୀଙ୍କ ମଧ୍ୟରେ ଜନ୍ମିଛି।

ସମ୍ବନ୍ଧିତ ଖବର