ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ପ୍ରତି ବର୍ଷ ବନ୍ୟା, ବାତ୍ୟାରେ ପ୍ରଭାବିତ। କେବେ ବନ୍ୟାର ବିଭୀଷିକା ତ ଅନ୍ୟ କେବେ ଅଶାନ୍ତ ସମୁଦ୍ରର ଜୁଆର ଭୟ। ପ୍ରତିବର୍ଷ ପୁଣି ବାତ୍ୟା ପାଇଁ ଚିନ୍ତା ଘାରିଲାଣି। ବନ୍ୟା, ଜୁଆର ଭଟ୍ଟା ଯୋଗୁ ନଦୀକୂଳ ଖାଇବାରୁ ଏବେ ଦେବୀ ନଦୀର ଗତିପଥ ବଦଳୁଛି। ଦୁଇ ଦଶନ୍ଧି ମଧ୍ୟରେ ଏକର ଏକର ଚାଷ ଜମି ନଦୀଗର୍ଭରେ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ବହୁ ଲୋକ ନିଜର ଭିଟାମାଟି ଛାଡ଼ି ଅନ୍ୟତ୍ର ଯାଇ ରହିଲେଣି।
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ୟା, ବାତ୍ୟାରେ ଅଶାନ୍ତ ସମୁଦ୍ର ଜୁଆର ଉଗ୍ରରୂପ ଧାରଣ କରି ମାଡ଼ି ଆସିବାରୁ ବହୁ ଜାଗାରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ପ୍ରତିବର୍ଷ ପ୍ରାକୃତିକ ବିପର୍ଯୟ ହେବାରୁ ଉପକୂଳର ଧାନ, ପାନ ଓ ମୀନଚାଷୀ ଅଣ୍ଟା ସଳଖି ପାରୁନି। ଶିଶୁଅ ପଞ୍ଚାୟତର କେଉଟଜଙ୍ଗା, ବେଳଙ୍ଗ, ମୀରାଡ଼ି, ସାନ ଓ ବଡ଼ ସିରେଇ, ଛେନୁଅ, ତଣ୍ଡାହର, ଉଦୟକଣି ପ୍ରମୁଖ ଅଞ୍ଚଳରେ ଜୁଆର ଅଧିକ ପ୍ରଭାବ ପକାଉଛି। କେଉଟଜଙ୍ଗା ଓ ବେଳଙ୍ଗ ପ୍ରମୁଖ ଅଞ୍ଚଳ ପାଇଁ ଦୁଃଖ ନିକଟସ୍ଥ କାଦୁଆ ନଦୀ ଓ ଲୁଣା ଘେରିବନ୍ଧ। ମୁହାଣ ଜାକିଲେ କାଦୁଆ ଫୁଲିଉଠି ଜନବସତିକୁ ଲୁଣାପାଣି ମାଡ଼ିଆସେ। ଘେରିବନ୍ଧରେ ବାରମ୍ବାର ଘାଇ ସୃଷ୍ଟିହେଉଛି।
ସ୍ଥାୟୀ ବନ୍ଧ ଓ ଆନିକଟ ନିର୍ମାଣ ହେବାରେ ବିଳମ୍ବ ହେବାରୁ ଲୁଣାପାଣି ଦାଉ ସାଜି ପ୍ରତିବର୍ଷ ଚାଷୀଙ୍କର ପ୍ରଭୂତ କ୍ଷତି କରୁଛି। ଉଦୟକଣିରେ ସମୁଦ୍ର କୂଳ ଲଂଙ୍ଘିବାରୁ ସେଠାରେ ବାଲିବନ୍ତ ସୃଷ୍ଟି କରିବାକୁ ଦୁଇବର୍ଷ ତଳେ ଯୋଜନା କରାଯାଇଥିଲା। ବନବିଭାଗ ତରଫରୁ ଏଥିପାଇଁ ୪୦ଲକ୍ଷ ଟଙ୍କାରେ କିଆ ବଣ ସୃଷ୍ଟିକରିବାକୁ ଯେଉଁ ପଦକ୍ଷେପ ନିଆଯାଇଥିଲା ତାହା ସଫଳ ହୋଇନାହିଁ। ସେହିପରି ମହାବାତ୍ୟା ପରେ ସାମୁଦ୍ରିକ ଜୁଆର ପ୍ରଭାବିତ ଛେନୁଅ, ତଣ୍ଡାହର, ଉଦୟକଣି ଜନବସତି ଦୂରକୁ ଚାଲିଯାଇଛି।
ଅନ୍ୟପକ୍ଷରେ ମୁହାଣ ସଂଲଗ୍ନ ଦେବୀନଦୀ ମଧ୍ୟଭାଗ ପୋତି ହେବା, ବନ୍ୟା, ପୂର୍ଣିମା ଓ ଅମାବାସ୍ୟାରେ ଜୁଆର ଯୋଗୁ ଦେବୀ ନଦୀର ନଦୀକୂଳ ଖାଇ ଗତିପଥ ବଦଳିଛି। ବହୁ ସ୍ଥାନରେ କୂଳ ନଦୀବନ୍ଧକୁ ଛୁଇଁଲାଣି। ଦକ୍ଷିଣପାର୍ଶ୍ଵରେ ବିଶେଷ ପ୍ରଭାବ ପଡ଼ିବାରୁ ବିଗତ ଦିନରେ ବିଭିନ୍ନ ମୌଜାର ହଜାର ହଜାର ଏକର ଜମିବାଡ଼ି ଦେବୀର ଆଁରେ ପଶିଗଲାଣି। ସେଠାରେ ବସବାସ କରୁଥିବା ଲୋକ ଅନ୍ୟତ୍ର ବିସ୍ଥାପିତ ହୋଇଛନ୍ତି। ନଦୀବନ୍ଧ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ମରାମତି, ପଥର ପ୍ୟାକିଂ, ସ୍ପର୍ , ରିଂରୋଡ୍, ସୁନାମୀ ବନ୍ଧ ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି। କିନ୍ତୁ ଯେଉଁଭଳି ଢଙ୍ଗରେ ଟଙ୍କା ଫୋପାଡ଼ି କାମ ହେଉଛି ସେ ଅନୁପାତରେ କାମ ସରୁନି। ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।