କୋହଳ ହେଲା ଦର୍ଶନ; ଜିଲ୍ଲାରେ ଖୋଲିବ ସବୁ ଦେବାଦେବୀ ମନ୍ଦିର

ମା’ ଶାରଳାଙ୍କ ଜମି ଦଖଲକାରୀଙ୍କୁ ୧୦ ଦିନ ମଧ୍ୟରେ ନୋଟିସ୍‌

ଜଗତସିଂହପୁର: ଜିଲ୍ଲାରେ କେବଳ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିଛି। ମାତ୍ର ଏଣିକି ଜିଲ୍ଲାର ସବୁ ଦେବାଦେବୀଙ୍କ ମନ୍ଦିର ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଏକ ଜରୁରୀ ବୈଠକର ନିଷ୍ପତ୍ତି ଅନୁସାରେ ମା’ ଶାରଳାଙ୍କର ଜମି କେଉଁମାନେ ଚାଷ କରୁଛନ୍ତି, ତାର ଏକ ତାଲିକା ପ୍ରସ୍ତୁତ କରାଯିବ। ସେମାନଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ନୋଟିସ୍‌ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମନ୍ଦିରର ଶୋଭା ବର୍ଦ୍ଧନ ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆଜି ‘ସମ୍ବାଦ’ରେ ‘କିଣା ଚାଉଳରେ ମା’ଙ୍କର ଭୋଗ ପ୍ରସ୍ତୁତ’ ସଂକ୍ରାନ୍ତରେ ପ୍ରକାଶିତ ଖବର ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ଏଣିକି ସମସ୍ତ ମନ୍ଦିର କୋଭିଡ–୧୯ କଟକଣା ମାଧ୍ୟମରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ମାତ୍ର ଶାରଳା ମନ୍ଦିରର ମୁଖ୍ୟ ଦ୍ବାର ଭୋର ୫ଟାରୁ ଖୋଲା ରହିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁମାନେ ପହଁଚି ନ ପାରିବେ, ସେମାନେ କେବଳ ମୁଖ୍ୟ ଦ୍ବାର ସିଂହଦ୍ବାରରୁ ଦର୍ଶନ କରିପାରିବ। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କାନିଂ, ହାତ ସାନିଟାଇଜିଂ କରାଯିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାଏ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ଆଜିର ବୈଠକରେ ମା’ଙ୍କର ଜମି କେଉଁମାନଙ୍କ ନିକଟରେ ଅଛି, ସେ ନେଇ ଆଲୋଚନା କରାଯାଇଥିଲା। ସେମାନଙ୍କୁ ତାଲିକାଭୁକ୍ତ କରି ଚାଷ ବାବଦରେ ସେମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁମାନେ ଟଙ୍କା ଜମା ନ କରିବେ, ସେମାନଙ୍କଠାରୁ ଚାଷ କରିବା ଅଧିକାର ଛଡ଼ାଇ ନିଆଯିବ। କୋଭିଡ କଟକଣା କୋହଳ ହେବା ପରେ ଦୋକାନ ଘର ଗୁଡ଼ିକର ଭଡ଼ା ସଂଶୋଧନ କରାଯିବ। ମା’ଙ୍କ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିବା ପାଇଁ ପୂର୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ଦିର ନିକଟରେ ଏକ ପାର୍କ ନିର୍ମାଣ ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଚିଠି ଲେଖାଯିବ। ମନ୍ଦିର ସମ୍ମୁଖରେ ବନୀକରଣ ଓ ଚନ୍ଦନ ପୋଖରୀର ସ୍ବଚ୍ଛତା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ମା’ ଶାରଳାଙ୍କ ଓ୍ବେବ୍ ପୋର୍ଟାଲକୁ ସକ୍ରିୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାକେର୍ଟ୍ କମ୍ପ୍ଲେକ୍ସକୁ ରାସ୍ତା ପାଇଁ ଟେଣ୍ତର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଓଟିଡିସିକୁ ଚିଠି ଲେଖାଯିବ। ଏହି ରାସ୍ତା କାମ ଶେଷ ହେବା ପରେ ବ୍ୟବସାୟୀମାନଙ୍କୁ ଏହାକୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ବାଳ, ଶାରଳା ଓ ଗୋରେଖନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟରଂଜନ ପରିଜା, ସହକାରୀ ଜିଲ୍ଲାପାଳ (ଜରୁରୀ) ଶାଶ୍ବତ ଦାସ, ତିର୍ତୋଲ ତହସିଲଦାର ସୁଜାତା ପାତ୍ର, ମା’ଙ୍କ ବଡ଼ପଣ୍ତା ରଂଜନ କୁମାର ପଣ୍ତା, ପରିଚ୍ଛା ପଣ୍ତିତ ରଘୁନାଥ ପଣ୍ତା ଓ ମନ୍ଦିର ସେବାୟତମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର