କେବଳ ପୁରୀକୁ ଛାଡି ବାକି ସବୁଠି ରଥଯାତ୍ରା ବନ୍ଦ ନିଷ୍ପତ୍ତି ପରେ ଏଥର ମଧ୍ୟ ଖାଲି ପଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ

କୋଭିଡ ନିୟମ ପାଳନ ମଧ୍ୟରେ ବିନା ଭକ୍ତରେ ଗଡୁ ରଥ ନିରାଶ ଭକ୍ତ ସମାଜର ନିବେଦନ

ବାରିପଦା : ଏଥର ମଧ୍ୟ ଖାଲି ପଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ବଡ଼ଦାଣ୍ଡ। ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ ଅଗଣିତ ଭକ୍ତ। କରୋନା ମହାମାରୀ ପୁଣି ଥରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ମଧ୍ୟରେ ବାଧକ ସାଜିଛି। ମହାମାରୀ କରୋନା କାରଣରୁ ଚଳିତ ବର୍ଷ କେବଳ ଶ୍ରୀକ୍ଷେତ୍ର ପୁରୀରେ ହିଁ ବିନା ଭକ୍ତରେ ରଥଯାତ୍ରା ହେବା ନେଇ ନିଷ୍ପତ୍ତି ହୋଇଛି। ଅଗତ୍ୟା ବାରିପଦାରେ ରଥ ଗଡ଼ିବାକୁ ନେଇ ଏକପ୍ରକାର ନିଷ୍ପତି ହୋଇଯାଇଛି କହିଲେ ଚଳେ। ତେବେ ସଂସ୍କୃତି ସମ୍ପନ୍ନ ମୟୂରଭଞ୍ଜ ଜିଲ୍ଲାରେ ଏନେଇ ନିରାଶା ଦେଖାଯାଇଛି। କୋଭିଡ ନିୟମ ପାଳନ ମଧ୍ୟରେ ବିନା ଭକ୍ତରେ ଦ୍ଵିତୀୟ ଶ୍ରୀକ୍ଷେତ୍ରରେ ରଥ ଗଡୁ ବୋଲି ନିବେଦନ କରିଛନ୍ତି ନିରାଶ ଭକ୍ତ ସମାଜ। ଯଦି ଚଳିତ ବର୍ଷ ଏଠାରେ ରଥ ନଗଡେ ତେବେ କ୍ରମାଗତ ୨ୟ ବର୍ଷ ପାଇଁ ରଥ ଯାତ୍ରା ବନ୍ଦ ରହିବ।
ବର୍ତ୍ତମାନ ବିଶ୍ୱ ମହାମାରୀ କରୋନାକୁ ନେଇ ଲକ୍ ଡ଼ାଉନ, ସପ୍ତାହନ୍ତ ସଟ୍ ଡ଼ାଉନ ଜାରି ରହିଥିବା  ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ।ସେହିପରି କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ବିନା ଭକ୍ତରେ ଅଶୋକ ଝରି ରଥ ଟଣାଯାଇଥିଲା ଏଣୁ, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯିବା ନିମନ୍ତେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ଓ ଜଗନ୍ନାଥ ପ୍ରେମୀଙ୍କ ପକ୍ଷରୁ ଦାବୀ କରାଯାଇଛି ।
ମୟୂରଭଞ୍ଜ ସହ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି ।ରଥଯାତ୍ରାକୁ ମାସେ ସମୟ ଥିବା ବେଳେ କେବଳ ପୁରୀ ବ୍ୟତୀତ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଦୃଢ଼ ଭାବେ ବିରୋଧ କରିବା ସହ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କରୋନା କଟକଣା ଓ ବିନା ଭକ୍ତରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ବିଜେ ପାଳନକୁ ଅନୁମତି ଦେବା ପାଇଁ ଦାବୀ କରାଯାଉଛି।
 -କାମେଶ୍ୱର ତ୍ରିପାଠୀ, ଓଡ଼ିଶା ସେବାୟତ ସଂଘର ସଭାପତି ତଥା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିରର ସେବାୟତ।
ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଛୁ।ମହାପ୍ରଭୁଙ୍କ ଆଶୀର୍ବାଦରୁ ବାରିପଦାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋର ରେ ଚାଲିଛି। ରଥଯାତ୍ରା ବନ୍ଦ ନିଷ୍ପତ୍ତି ଭକ୍ତମାନଙ୍କର ଧାର୍ମିକ ଭାବନା ସହ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଆଞ୍ଚ ପହଞ୍ଚାଉଛି।ଏଣୁ ଜଗତର ମଙ୍ଗଳ ପାଇଁ କରୋନା କଟକଣା ମଧ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଳନ ହେଉ।
-ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର
ବାରିପଦା ରଥଯାତ୍ରା ସହିତ ବହୁ ପୁରାତନ ପ୍ରାଚୀନ ଐତିହାସିକ କଥାଵସ୍ତୁ ଜଡ଼ିତ। ଗତ ବର୍ଷ ବି ବାରିପଦା ରେ ରଥଯାତ୍ରା କୋଭିଡ୍ କାରଣ ପାଇଁ ବନ୍ଦ ହୋଇଥିଲା,ଏବର୍ଷ ବି ଯଦି କୋଭିଡ୍ କଟକଣା ଅନୁଯାୟୀ ପୁରୀ ରେ ରଥଯାତ୍ରା ହୋଇପାରୁଛି ତେବେ ବାରିପଦାରେ ମଧ୍ୟ ହେଉ। ନଚେତ ଆଗାମୀ ଦିନରେ ପ୍ରଶାସନ ଓ ସରକାର ସହ ଆଇନଗତ ଲଢ଼େଇ ହେବ।
-ପିଣ୍ଟୁ ମାଇତି, ସଭାପତି,ଭଞ୍ଜସେନା
ପବିତ୍ର ମାଟି ବାରିପଦାରେ ପୁନର୍ବାର ରଥଯାତ୍ରା ବନ୍ଦ ନିଷ୍ପତ୍ତି ଦୁଖଦାୟକ। ମହାନ ପରମ୍ପରାର କ୍ଷେତ୍ରରେ ରଥଯାତ୍ରା କୋଭିଡ କଟକଣା ମଧ୍ୟରେ ହେଉ ପଛେ, କିନ୍ତୁ ରଥ ଗଡୁ। ଏନେଇ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ ହେବ।
-ଲକ୍ଷ୍ମଣ ତ୍ରିପାଠୀ,ଜଗନ୍ନାଥ ବାହିନୀ, କାର୍ଯ୍ୟକାରୀ ପ୍ରମୁଖ
ସମ୍ବନ୍ଧିତ ଖବର