ଖୁଣ୍ଟୁଣୀ: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର। ଏହି ଅବସରରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବରରେ ପ୍ରଭୁ ଶ୍ରୀଶ୍ରୀଧବଳେଶ୍ୱରଙ୍କୁ ଜଳଲାଗି ପାଇଁ ୧୮ ହଜାରରୁ ଅଧିକ କାଉଡ଼ିଆଙ୍କ ସମାଗମ ହୋଇଛି। ପୀଠରେ ଜଳଲାଗି ପାଇଁ ପୂଜକ ସମିତି ଓ ଦେବୋତ୍ତର ବିଭାଗ ପକ୍ଷରୁ ନୀତିପାଳିଆ ସେବକ ରାତି ୧ଟା୧୫ରେ ମନ୍ଦିର ଖୋଲିଥିଲେ। ଠାକୁରଙ୍କ ପହଡ଼ ଫିଟା ଓ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କ ସ୍ନାନ, ବଲ୍ଲଭ ଭୋଗ, ବେଶ ନୀତି ଅନୁଷ୍ଠିତ ହୋଇ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ରାତି ୨ଟା୨୦ରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଠାକୁରଙ୍କ ଦ୍ୱାର ଫିଟା ଯିବା ସହ ପ୍ରଭୁଙ୍କ ନିକଟରେ ଜଳଲାଗି ଆରମ୍ଭ ହୋଇଥିଲା। ଏହି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପବିତ୍ର ଜଳ ଧରି ଧବଳେଶ୍ବର ଆସିଥିବା କାଉଡ଼ିଆ ଭକ୍ତଙ୍କ ‘ଜୟ ଶିବ ଶମ୍ଭୁ’, ‘ହର ହର ମହାଦେବ’, ଜୟ ବାବା ଧବଳେଶ୍ବର’ ନାମ ଜପରେ ଅଞ୍ଚଳ ଉତ୍ସବ ମୁଖରିତ ହୋଇଉଠିଥିଲା। ଭକ୍ତମାନେ ମାନସିକ ଜଳ କଳସି ନେଇ ଝୁଲାପୋଲ ଓ ବ୍ୟାରିକେଡ୍ରେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଜଳଲାଗି କରିଥିଲେ।
ଶ୍ରାବଣ ମାସର ସୋମବାର ଥିବାରୁ ହଜାରହଜାର ସାଧାରଣ ଶ୍ରଦ୍ଧାଳୁ ମଧ୍ୟ ପ୍ରଭୁଙ୍କୁ ଦର୍ଶନ କରିଥିଲେ। ରାତି ୨ଟାରୁ ଆରମ୍ଭ ହୋଇଥିବା ଜଳଲାଗି ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ପ୍ରଶାସନ ପକ୍ଷରୁ ଆଠଗଡ଼ ତହସିଲଦାର୍ ପ୍ରିୟବ୍ରତ ଦାସ, ଅତିରିକ୍ତ ତହସିଲଦାର୍ ଅଶୋକ କୁମାର ସ୍ୱାଇଁ ଓ ଦେବୋତ୍ତର ବିଭାଗ ସୁପର୍ଭାଇଜର୍ ଭବାନୀଶଙ୍କର ପଣ୍ଡା ପୀଠରେ ଉପସ୍ଥିତ ଥିଲେ। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚୌଦ୍ୱାର ଏସ୍ଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ତତ୍ତ୍ବାବଧାନରେ ଗୁରୁଡ଼ିଝାଟିଆ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1658760698890_6.jpg)