ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରଠାରେ ଦୁଇଦିନିଆ ଆଧ୍ୟାତ୍ମିକ ଚିତ୍ରକଳା ଶିବିର ବୁଧବାର ଉଦ୍‌ଯାପିତ ହୋଇଛି। ୧୪ ତାରିଖ ଦିନ ଶିବିର ଅରମ୍ଭ ହୋଇଥିଲା। ବିଡିଓ କରିଶ୍ମା ବେଶ୍ରା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପୀ ଶିବିରର ଅଧ୍ୟକ୍ଷ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଷୟ ବିଶେଷଜ୍ଞ ଅସିତ ମହାନ୍ତି, ସଂଯୋଜକ ତଥା ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ୱାଇଁ, ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଉତ୍ତର ପାତ୍ର ଉପସ୍ଥିତଥିଲେ। ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସଭା ସଂଯୋଜନା କରିଥିଲେ। ରକ୍ତବାହୁର ଆକ୍ରମଣ ସମୟରେ ଜଗନ୍ନାଥଙ୍କୁ ଶ୍ରୀକ୍ଷେତ୍ରରୁ ଆଣି ଏଠାରେ ପାତାଳୀ କରାଯାଇଥିଲା। ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ତାଙ୍କ ପାତାଳୀସ୍ଥଳରୁ ବ୍ରହ୍ମଙ୍କୁ ଉଦ୍ଧାର କରାଯାଇଥିଲା। ସେହି ବ୍ରହ୍ମଙ୍କ ସଂସ୍ଥାପନରେ ତାଙ୍କର ନବକଳେବର କରାଯାଇ ଶ୍ରୀ ବିଗ୍ରହମାନଙ୍କୁ ଶ୍ରୀ ମନ୍ଦିରରେ ପୁନଃ ପ୍ରତିଷ୍ଠିତ କରାଯାଇଥିଲା। ସେହି ଇତିହାସ ଆଧାରରେ ଏହି ସ୍ଥଳ ଏବେ ଏକ ଲୀଳାକ୍ଷେତ୍ର ରୂପେ ବିକଶିତ ହୋଇଛି ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ତାହାରି ସ୍ମୃତିରେ, ଇତିହାସର ସେହି ଛିନ୍ନପୃଷ୍ଠାକୁ ପୁନର୍ଜୀବିତ କରିବା ପାଇଁ ଏଠାରେ ଏହି ଆଧ୍ୟାତ୍ମିକ ଶିଳ୍ପୀ ଶିବିର ଆୟୋଜିତ ହୋଇଛି ବୋଲି ଶିବିରର ଅଧ୍ୟକ୍ଷ ଶ୍ରୀ ମହାରଥା ସୂଚନା ଦେଇଥିଲେ। ଏହି ଶିବିର କଳା-ସଂସ୍କୃତି ଅନୁଷ୍ଠାନ ‘ଉତ୍କୃଷ୍ଟ’, ଶକୁନ୍ତଳା ଆର୍ଟ ଗ୍ୟାଲେରି, ଚନ୍ଦ୍ରମା ଆର୍ଟ ଫାଉଣ୍ଡେସନ ଓ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ଶିବିର ଆୟୋଜନରେ ସକ୍ରିୟ ସହଯୋଗ ପାଇଁ ସୁବାସ ପୂଜାହାରୀ, ଶ୍ୟାମସୁନ୍ଦର ମେହେର ଓ ସରୋଜ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିବିରରେ ବଳଦେବ ମହାରଥା, ପ୍ରଦୋଷ ସ୍ୱାଇଁ, ପ୍ରଦୀପ ପାଣ୍ଡେ, ନିବେଦିତା ପଟ୍ଟନାୟକ, ଅରୁଣ ଜେନା, ମମତା ସାମନ୍ତରାୟ, ଲିପିଶ୍ରୀ ନାୟକ, ପ୍ରିୟଦର୍ଶିନୀ ମହାନ୍ତି, ଜ୍ୟୋତିର୍ମୟ ପଟ୍ଟନାୟକ, ନମିତା ସାହୁ, ସୁବାସ ଚନ୍ଦ୍ର ପୂଜାହାରୀ, ଜନାର୍ଦ୍ଦନ ପରମଗୁରୁ, ସ୍ଥିତଧୀ ରଥ, ରାଜେଶ ନାୟକ, ସନ୍ତୋଷ ମହାରଣା, ସରୋଜ ମହାପାତ୍ର, ଅଶୋକ ବେହେରା, ରାଜକିଶୋର ମହାରଣା, ଶ୍ୟାମସୁନ୍ଦର ମେହେର, ବିଭୂତି ଦାଶ, ରୋଜି ପାଣ୍ଡେ ପ୍ରମୁଖ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ। ସଂଯୁକ୍ତା ମହାରଥା, ମାମା ପରମଗୁରୁ, ପ୍ରଭାସିନୀ ଅଧିକାରୀ ଓ ସ୍ମାରକୀ ଦାସ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରଗୁଡ଼ିକର ଏକ ଭବ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ, ବୀରମହାରାଜପୁରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ସଂପୃକ୍ତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।