ଦନ୍ତାହାତୀ ‘ଡନ୍‌’ ପାଇଁ ଚିଠି ଲେଖିଲା ବନବିଭାଗ

ସମ୍ୱଲପୁର: ଦନ୍ତାହାତୀ ‘ଡନ୍‌’ ର ଉତ୍ପାତ ପରେ ବନ ବିଭାଗର ତପ୍ତରତା ପ୍ରକାଶ ପାଇଛି | ୨ ଜଣଙ୍କୁ ଦଳି ମାରିବା ପରେ ବନ ବିଭାଗ ତତ୍ପର ହୋଇଛି | ସମ୍ୱଲପୁର ଡ଼ିଏଫଓ ୱାଇଲଡ ଲାଇଫ ପିସିସିଏଫଙ୍କୁ ଚିଠି ଲେଖିଛନ୍ତି | ହାତୀର ବ୍ୟବହାର ଅନୁଧ୍ୟାନ କରି ପିସିସିଏଫଙ୍କୁ ରିପୋର୍ଟ ଦେଇଛନ୍ତି | ୱାଇଲଡ ଲାଇଫ ପିସିସିଏଫଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ଼ିଏଫଓ କହିଛନ୍ତି | ସୂଚନା ଥାଉ କି ଗତକାଲି ସମ୍ବଲପୁର ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ କୁଢେନିଶା ଗାଁରେ ରାତି ପ୍ରାୟ ୮ଟାରେ ଦନ୍ତାହାତୀ ‘ଡନ୍‌’ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁର ଡାକ୍ତରଖାନାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଦ୍ବୟ ହେଲେ ଅତାବିରା ବ୍ଲକ ଜୁନେନ ଗାଁର ତେଲେଙ୍ଗା ଓରାମ (୫୨) ଓ ଜୟଲାଲ ମିର୍ଦ୍ଧା (୫୦)। ମୃତକ ଦ୍ବୟ ଏକ ଠିକାଦାର ସଂସ୍ଥା ପକ୍ଷରୁ କର୍ପୋରେସନ୍‌ର ବାଉଁଶ କଟାଳି ଭାବେ କାମ କରୁଥିଲେ। ସନ୍ଧ୍ୟାରେ କାମ ସାରି ଘରେ ଖାଇପିଇ ବିଶ୍ରାମ ନେଉଥିଲେ। ରାତି ପ୍ରାୟ ୮ଟାରେ ଦନ୍ତା ହାତୀ ‘ଡନ୍‌’ଜୁନେନ୍ ଗାଁରେ ପହଞ୍ଚି ଉତ୍ପାତ କରିଥିଲା। ଜୟଲାଲ ଓ ତେଲେଙ୍ଗା ଯେଉଁ ଘରେ ଶୋଇଥିଲେ ସେହି ଘର ଉପରେ ଦନ୍ତାଟି ହଠାତ୍‌ ଆକ୍ରମଣ କରି ଘରଟିକୁ ଭାଙ୍ଗିଦେଇଥିଲା। ସେଠାରେ ଦଳାଚକଟା କରି ହାତୀଟି ପଳାଇ ଯିବା ପରେ ଆଖପାଖ ଲୋକ ଭଙ୍ଗା ଘର ନିକଟରେ ପହଞ୍ଚିଥିଲେ। ସେତେବେଳକୁ ଘଟଣାସ୍ଥଳରେ ତେଲେଙ୍ଗାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା।

ଜୟଲାଲ ଗୁରୁତର ଆହତ ଥିବା ଜାଣିବା ପରେ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ରେଞ୍ଜର୍‌ ଶ୍ରୀ ମହାରଣା ପହଞ୍ଚି ଜୟଲାଲଙ୍କୁ ସମ୍ବଲପୁର ସଦର ଡାକ୍ତରଖାନା ପଠାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ବୁର୍ଲା ସ୍ଥାନାନ୍ତର ଯୋଜନା କରାଯାଉଥିଲା। ତେବେ ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର