ଓଡ଼ିଶାରେ ମାଓ କାର୍ଯ୍ୟକଳାପ କମିବା ସହ ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ମିଳିଛି: ଡିଜିପି

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଛନ୍ତି ପୁଲିସ ଡିଜି ଅଭୟ। ପୁଲିସ ଡିଜି ଆଜି ସକାଳ ୯.୩୦ରେ ହେଲିକପ୍ଟର ମାଧ୍ୟମରେ କୋରାପୁଟର ବିଏସଏଫ କ୍ୟାମ୍ପ ହେଲିପ୍ୟାଡ଼ରେ ପହଂଚିବା ପରେ ସେ ମାଲକାନଗିରି ଗସ୍ତରେ ଯାଇଥିଲେ | ସେଠାରୁ ଫେରି କୋରାପୁଟ ଜୟପୁରରେ ଆୟୋଜିତ ପୁଲିସ ଡିଜି ପଦକ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୧ ଜଣ ପୁଲିସଙ୍କୁ ମେଡାଲ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ତେବେ ଡିଜିପି ଅଭୟ ଆଜି ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି | ପଡୋଶୀ ଛତିଶଗଡ଼ରେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ୨୨ ଜଣ ଯବାନଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ କହିଛନ୍ତି ଯେ ଓଡ଼ିଶାରେ ମାଓ କାର୍ଯ୍ୟକଳାପ କମିଛି |

ଓଡିଶା ପୁଲିସ, ସିଆରପିଏଫ ଓ ଛତିଶଗଡ଼ ପୁଲିସ ମଧ୍ୟରେ ସମନ୍ୱୟ ରଖି ମାଓ ଦମନ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି | ଡିଜିପି ଅଭୟ କହିଛନ୍ତି ଯେ କୋରାପୁଟ ଜିଲ୍ଲା ପୁଲିସ ଗଞ୍ଜେଇ ଚାଲାଣ ରୋକିବାରେ ଅଭୂତପୂର୍ଣ୍ଣ ସଫଳତା ପାଇଛି |

ସୂଚନା ଥାଉ କି ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା । ଶେଷ ଖବର ସୁଦ୍ଧା ୨୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର