ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳତା ପାଇଁ ଏସଡିପିଓ ଆକାଶ ସାହୁ ପାଇବେ ଡିଜିପି ଆୱାର୍ଡ

ରାୟଗଡ଼ା: ଗଞ୍ଜେଇ ମାଫିଆଙ୍କୁ ସାବାଡ୍ ଓ ଚୋରା ଚାଲାଣ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ବିଷମକଟକ ଏସଡିପିଓ ଆକାଶ ସାହୁ ପାଇବେ ଡିଜିପି ଡିସ୍କ୍ ଆୱାର୍ଡ। ଏପ୍ରିଲ୍ ୧ ତାରିଖରେ ୮୭ତମ ପୁଲିସ୍ ପ୍ରତିଷ୍ଠା ଦିବସରେ ଡିଜିପି ଏହି ଆୱାର୍ଡ ପ୍ରଦାନ କରିବେ। ରାୟଗଡ଼ା ଜିଲ୍ଲାରୁ ଏକ ମାତ୍ର ଏସଡିପିଓ ଭାବେ ଶ୍ରୀ ସାହୁ ଏହି କୃତିତ୍ବ ହାସଲ କରିବାକୁ ଯାଉଛନ୍ତି। ୨୦୨୦ ଅଗଷ୍ଟ ୩୧ ତାରିଖରେ ବିଷମକଟକ ଏସଡିପିଓ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ ଆକାଶ ସାହୁ। ଗତ ଦେଢ଼ ବର୍ଷ ମଧ୍ୟରେ ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର ଥାନା ଅଞ୍ଚଳରୁ ୧୦ ହଜାରରୁ ଊର୍ଦ୍ଧ୍ବ କେଜି ଗଞ୍ଜେଇ ଜବତ କରିବା ସହ ୮୮ ମାମଲାରେ ୧୪୨ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗଞ୍ଜେଇ ମାଫିଆଙ୍କୁ ସାବାଡ୍ କରିବାକୁ ଶ୍ରୀ ସାହୁ ରାତି ଅଧିଆ ଚଢ଼ଉ କରି ଆନ୍ଧ୍ରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛନ୍ତି। ଏଥି ସହିତ ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରକୁ ଗିରଫ, ନଗଦ ୩୨ ଲକ୍ଷ ଟଙ୍କା ସହ ୩ଟି ବ୍ୟାଙ୍କ ଆକାଉଣ୍ଟରୁ ୪୧ ଲକ୍ଷ ଟଙ୍କା ଜବତ କରିବାରେ ଏସଡିପିଓ ଶ୍ରୀ ସାହୁଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କୌଣସି ଗଞ୍ଜେଇ ମାଫିଆ ନିକଟରୁ ଏତେ ଟଙ୍କା ଜବତ ହେବା ଓଡ଼ିଶା ପୁଲିସ୍ ଇତିହାସରେ ପ୍ରଥମ। କେବଳ ସେତିକି ନୁହେଁ, ଗଞ୍ଜେଇ ମାଫିଆଙ୍କ ଆକ୍ରୋଶର ଶିକାର ହୋଇ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଛନ୍ତି ଶ୍ରୀ ସାହୁ।

୨୦୨୨ ଫେବ୍ରୁଆରୀ ୧୦ ତାରିଖରେ ଚନ୍ଦ୍ରପୁର ଥାନାର ବିଜାପୁର ଜଙ୍ଗଲରେ ଏସଡିପିଓ ଶ୍ରୀ ସାହୁଙ୍କ ସମେତ ଚନ୍ଦ୍ରପୁର ଥାନା ଅଧିକାରୀ ମୁକୁନ୍ଦ ନାୟକଙ୍କୁ ମାଫିଆମାନେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଗୁଳି ଚାଳନା କରିବା ପରେ ମାଫିଆ ଛତ୍ରଭଙ୍ଗ ଦେଇଥିଲେ। ୨ ଜଣଙ୍କୁ ଗିରଫ କରିଥିଲା ପୁଲିସ୍। ଗଞ୍ଜେଇ ଚୋରା ଚାଲାଣ ଓ ଚାଷରୁ ମୁହଁ ଫେରାଇବା ପାଇଁ ପ୍ରତି ବ୍ଲକରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଛି ବିଷମକଟକ ପୁଲିସ୍ ଡିଭିଜନ୍। ଏଥିଯୋଗୁ ଚଳିତ ବର୍ଷ ଚନ୍ଦ୍ରପୁର ଓ ମୁନିଗୁଡ଼ା ବ୍ଲକରେ ଗଞ୍ଜେଇ ଚାଷ କମିଛି। ପୂର୍ବରୁ ଦୁଇ ବ୍ଲକର ୭ ପଞ୍ଚାୟତରେ ୧୫୦୦ହେକ୍ଟର ଜମିରେ ଗ‌ଞ୍ଜେଇ ଚାଷ ହେଉଥିଲା। ଜନ ସଚେତନତା କାର୍ଯ୍ୟକ୍ରମ ପରେ ଚନ୍ଦ୍ରପୁର ବ୍ଲକ ବିଜାପୁର ପଞ୍ଚାୟତର ପାହାଡ଼ିଆ ଓ ତଳି ଅଞ୍ଚଳକୁ ଛାଡ଼ିଲେ ଅନ୍ୟ ପଞ୍ଚାୟତରେ ଗଞ୍ଜେଇ ଚାଷ ହୋଇନି। ଯେଉଁ କିଛି ଚାଷୀ ଚୋରାରେ ଚାଷ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର