ଆଦିତ୍ୟ, ରିଗାନ୍ ଓ ଦିଲ୍ଲୀପଙ୍କୁ ପୁଲିସ ପ୍ରତିଷ୍ଠା ଦିବସରେ ମିଳିବ ଡିଜିପି ଡିସ୍କ 

ଜୟପୁର: ପୁଲିସ ପ୍ରତିଷ୍ଠା ଦିବସରେ ଡିଜିପି ଡିସ୍କ ପୁରସ୍କାରରେ ସମ୍ମାନିତ ହେବେ ଜିଲ୍ଲାର କିଛି ବଛା ବଛା ପୁଲିସ ଅଧିକାରୀ। ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବର୍ତ୍ତମାନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏବଂ ଏଠାରେ କାର୍ଯ୍ୟରେ ରହି ବଦଳି ହୋଇଥିବା ଅଧିକାରୀଙ୍କୁ ୨୦୧୯-୨୦,୨୦୨୦-୨୧୨ବର୍ଷ ପାଇଁ  ଡିଜି ପୁଲିସ ସମ୍ବର୍ଦ୍ଧିତ କରିବେ। ତେବେ ଏମାନଙ୍କ ମଧ୍ୟରୁ ଜୟପୁର ସଦରଥାନା ଅଧିକାରୀ ସବଇନିସପେକ୍ଟର ଆଦିତ୍ୟ ମହାକୁର ଏହି ଦୁଇବର୍ଷ ପାଇଁ ଏହି ପୁରସ୍କାର ପାଇବା ଜିଲ୍ଲା ପାଇଁ ଗୌରବର ବିଷୟ। ୨୦୧୯-୨୦ ବର୍ଷ ପାଇଁ କୋରାପୁଟ ଜିଲ୍ଳାର ୭ଜଣ ପୁଲିସ ଅଧିକାରୀ ସମ୍ବର୍ଦ୍ଧିତ ହେବେ। ସେମାନଙ୍କ ମଧ୍ୟରୁ ତତ୍କାଳୀନ ଏସପି ତଥା ରାଉରକେଲାର ବର୍ତ୍ତମାନର ଏସପି ମୁକେଶ କୁମାର ଭାମୁ କୋରାପୁଟ ଜିଲ୍ଲା ପାଇଁ ସମ୍ବର୍ଦ୍ଧିତ ହେବେ।

ସେଭଳି ଭିଜିଲାନସ୍ ଡିଏସପି ସତ୍ୟବାନ ମହାନନ୍ଦ, ଇନିସପେକ୍ଟର ଧିରେନ୍ କୁମାର ବେହେରା, ରିଜର୍ଭ ଇନିସପେକ୍ଟର ସୁଭାଷ ଚନ୍ଦ୍ର ନାୟକ, ଏସଆଇ ଶିବଶଙ୍କର ସାହୁ, ଆଦିତ୍ୟ ମହାକୁର, ରିଗାନ୍ କିଣ୍ଡୋ। ଏମାନଙ୍କ ମଧ୍ୟରୁ ସବଇନିସପେକ୍ଟର ଶ୍ରୀ ସାହୁଙ୍କର ରାୟଗଡା ଜିଲ୍ଲାକୁ ବଦଳି ହୋଇଛି। ସେଭଳି ୨୦୨୦-୨୧ବର୍ଷ ପାଇଁ  ୫ଜଣ ସବଇନିସପେକ୍ଟର ଏହି ପୁରସ୍କାର ପାଇବା ପାଇଁ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ପୁଣି ଥରେ ସବ ଇନିସପେକ୍ଟର ଆଦିତ୍ୟ ମହାକୁର ସ୍ଥାନ ପାଇଛନ୍ତି। ଅନ୍ୟ ସବ ଇନିସପେକ୍ଟରମାନେ ହେଲେ ଦିଲ୍ଲୀପ କୁମାର ପ୍ରଧାନ,  ଗୁରୁଦେବ କର୍ମୀ, ସୁଦର୍ଶନ ଅଧିକାରୀ, ଚିତ୍ତରଂଜନ ପ୍ରଧାନୀ। ଜୟପୁର ସଦରଥାନାରେ ଶ୍ରୀ ମହାକୁର ଏଠାରେ ଯୋଗ ଦେବା ପୂର୍ବରୁ ନୂଆପଡ଼ା ଥାନା ଅଧିକାରୀ ଭାବେ ବେଆଇନ୍ କପ ସିରଫ୍ ଜବତ କରିବା ସହ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିଥିଲେ। ତତ୍କାଳୀନ ଡିଜିପି ରାଜେନ୍ଦ୍ର କୁମାର ଶର୍ମା, ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜୟପୁର ସଦରଥାନା ଅଧିକାରୀ ଭାବେ ଯୋଗ ଦେବା ପରଠାରୁ ଲଗାତାର ଭାବେ ଗଞ୍ଜେଇ ଚାଲାଣ, ଚାଲାଣକାରୀ, ମାଫିଆମାନଙ୍କୁ ଧରିବା ସଂପତ୍ତି ଜବତ କରି ପୁଲିସର ଗର୍ବ ଓ ଗୌରବକୁ ବଢ଼ାଇଛନ୍ତି।

ସେଭଳି ରିଗାନ୍ କିଣ୍ଡୋ ଜୟପୁର ଟାଉନଥାନାରେ କାର୍ଯ୍ୟରତ। ସେ ଏଠାରେ ଯୋଗଦେବା ପୂର୍ବରୁ ରାୟଗଡା ଥାନାରେ କାର୍ଯ୍ୟ କରିଥିଲେ। ଜଣେ ଅପହୃତଙ୍କୁ ଅପହରଣକାରୀମାନଙ୍କୁ କବଳରୁ ମୁକୁଳାଇବା ସହ ୯ଜଣଙ୍କୁ ଗିରଫ କରିଥିଲେ। ସେଭଳି ଡକାୟତି, ରାହାଜାନୀ, ଛିନତାଇ, ସୁନା ଅଳଙ୍କାର ଲୁଟି ଆଦି ମାମଲାରେ ବି ବହୁ ଦୃବୁର୍ତ୍ତଙ୍କୁ ଧରିଥିଲେ।  ଜୟପୁରରେ ଯୋଗ ଦେବା ପରେ ବାଇକ ଚୋରି ରାକେଟକୁ ପର୍ଦ୍ଧାପାସ କରିବା ସହ ୧୫ରୁ ଅଧିକ ବାଇକ୍ ଜବତ କରିବା ସହ ଅଭିଯୁକ୍ତ ଦୃବୁର୍ତ୍ତମାନଙ୍କୁ ବି ଧରିଥିଲେ। ସେଭଳି ସବ ଇନିସପେକ୍ଟର ଦିଲ୍ଲୀପ ପ୍ରଧାନ ସଂପ୍ରତି ଲମତାପୁଟ ଥାନା ଅଧିକାରୀ ଭାବେ କାର୍ଯ୍ୟରତ। ସେ ବି ଏଠାରେ କାର୍ଯ୍ୟରେ ଯୋଗ ଦେଇ ବହୁ ଗଞ୍ଜେଇ ଚାଲାଣକାରୀ ଓ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏହି ୨ବର୍ଷରେ ଏହି ପୁଲିସ ଅଧିକାରୀ ମାନେ ଡିଜି ଡିସ୍କ ପୁରସ୍କାର ପାଇଁ ଜିଲ୍ଲାକୁ ଗୌରାବାନ୍ବିତ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ସମ୍ବନ୍ଧିତ ଖବର