ଅଚାନକ ଭଞ୍ଜନଗର ଗସ୍ତରେ ପୁଲିସ୍ ଡ଼ିଜି ଅଭୟ: ବୁଲିଲେ ପୁଲିସ୍ ରିଜର୍ଭ ବାଟାଲିଆନ୍, ଥାନା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ କୁମାର । ଅଭୟଙ୍କ ଗସ୍ତ ନେଇ ପୂର୍ବରୁ କୌଣସି ସୂଚନା ନଥିବା ବେଳେ ସେ ଆଜି ସକାଳେ  ଅଚାନକ ଆସି ଭଞ୍ଜନଗରରେ ପହଞ୍ଚି ଥିଲେ ।  ପ୍ରଥମେ ସେ ବନ ବିଭାଗ ଡାକ ବଙ୍ଗଳା ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ ରାୟଙ୍କ ସହ ଜିଲ୍ଲାର ଆଇନ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଏଥିସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ୍ ବ୍ୟବସ୍ଥା ସହ ଜନସାଧାରଣଙ୍କୁ ଉତ୍ତମ ପୁଲିସ୍ ସେବା ଦେବା ଦିଗରେ ଆଲୋଚନା କରିଥିଲେ ।

ଏହାପରେ ଶ୍ରୀ ଅଭୟ ତନରଡ଼ା ଠାରେ ଥିବା ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷଣ ବାହିନୀ କ୍ୟାମ୍ପ ପରିଦର୍ଶନ କରିଥିଲେ। ସେଠାରେ ଯବାନ ମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। ଏଥିସହ କମାଣ୍ଡଡେଣ୍ଟ୍ ଓ ଅନ୍ୟ ଅଧିକାରୀ ମାନଙ୍କ ସହ ସାକ୍ଷାତ କରି ଫେରିଥିଲେ। ସେଠାରୁ ଭଞ୍ଜନଗର ଥାନା ଅସି ସମସ୍ତ ଅଧିକାରୀ ମାନଙ୍କ ସହ ସାକ୍ଷାତ କରିଥିଲେ। ଚଳିତ ବର୍ଷ ଡିଜିପି ପୁରସ୍କାର ପାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ । ଥାନା ବୁଲି ଦେଖିବା ସହ ପରିଷ୍କାର ପରିଚ୍ଛନତା ପାଇଁ ପ୍ରସଂଶା କରିଥିବା ବେଳେ ୫ ଟି ଆଧାରରେ ଥାନାକୁ ଆସୁଥିବା ଲୋକ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବା ପାଇଁ ପରମର୍ଶ ଦେଇଥିଲେ। ଭଞ୍ଜନଗର ଥାନାରୁ ଗତ ୨୦୨୦ ବର୍ଷ ପାଇଁ ୭ ଜଣ ଅଧିକାରୀ ଡିଜିପି ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ବଦଳି ପରେ ପୁରସ୍କାର ପାଇଥିବା ଜଣେ ମାତ୍ର ଏସ୍ଆଇ ରହିଛନ୍ତି।

ଭଞ୍ଜନଗର ଥାନା ବୁଲି ଦେଖିବା ପରେ ସେଠାରୁ ସେ ଗାଙ୍ଗପୁର ଥାନା ଅଭିମୁଖେ ଯାଇଥିଲେ। ସେଠାରେ ଥାନା ଭିତରେ ବୁଲି ଦେଖିବା ସହ ଥାନାର ପରିବେଶକୁ ନେଇ ଖୁସି ଜାହିର କରିଥିଲେ। ସେଠାରେ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ସମେତ ସମସ୍ତ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଡିଜିଙ୍କୁ ସ୍ବାଗତ ଜଣାଇଥିଲେ। ଡିଜିଙ୍କ ଏହି ଗସ୍ତ ସମୟରେ ଏସପି ଶ୍ରୀ ରାୟ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର