ଖୋର୍ଦ୍ଧା ଜିଲ୍ଲା ଗସ୍ତ କଲେ ଡିଜିପି ଅଭୟ, ପରିସ୍ଥିତିର ସମୀକ୍ଷା କଲେ

ଖୋର୍ଦ୍ଧା: ଆଜି ଦ୍ୱିତୀୟ ଥର ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଥାନା ବୁଲି ଲକ୍‌ଡାଉନ୍ ସମୟରେ ଶାନ୍ତିଶୃଙ୍ଖଳା ଓ ପୁଲିସ୍ ନିୟୋଜନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସୂଚନାନୁସାରେ, ଆଜି ପୂର୍ବାହ୍‌ଣ ୧୦ଟାରେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଖୋର୍ଦ୍ଧା ସହର ଥାନାକୁ ଆସିଥିଲେ । ସେଠାରେ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର, ଥାନା ଅଧିକାରୀ ଅନୀତା ସାହୁ ତାଙ୍କୁ ସ୍ୱାଗତ କରିଥିଲେ । ପରେ ସଦରଥାନା ଇଲାକାରେ ଲକ୍‌ଡାଉନ୍ ସମୟରେ ଚାଲିଥିବା ପୁଲିସ୍ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପରେ ଜଙ୍କିଆ ଥାନା, ଚିଲିକା ନାଭାଲ୍ ଫାଣ୍ଡି, ନାଚୁଣୀ ଫାଣ୍ଡି ବୁଲି ପରିସ୍ଥିତିର ସମୀକ୍ଷା କରିଥିଲେ । ଲକ୍ ଡାଉନ୍ ସମୟରେ ଜିଲ୍ଲା ପୁଲିସ୍ ସରକାର ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଦିଆଯାଉଥିବା ସମସ୍ତ ନିର୍ଦ୍ଦେଶ ପାଳନ କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଗସ୍ତ ସମୟରେ ଡିଜିପିଙ୍କ ସହ କେନ୍ଦ୍ରୀୟ ରେଂଜ୍ ଡିଆଇଜି ଆଶୀଷ କୁମାର ସିଂହ, ଖୋର୍ଦ୍ଧା ଏସ୍‌ପି ପ୍ରମୁଖ ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ ।

ସମ୍ବନ୍ଧିତ ଖବର