ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ସ୍ଥିତ ଆପନା ଢ଼ାବା ମାଲିକାଣି ବାସନ୍ତି ମେହେର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ | ପାରିବାରିକ ବିବାଦକୁ ନେଇ ଢ଼ାବା ମାଲିକାଣିଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ମହିଳାଙ୍କ ଜ୍ୱାଇଁ ଏବଂ ତାଙ୍କ ବଡ଼ ଭାଇ ସହ ଦୁଇ ଜଣ ସାର୍ପସୁଟର ସାମିଲ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଆଜି ଖଡ଼ିଆଳ ଥାନା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡା ପୁଲିସ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି। ପୁଲିସର ସୂଚନା ମୁତାବକ ଗତ ମାସେ ତଳେ ବାସନ୍ତି ମେହେରଙ୍କୁ ହତ୍ୟା କରିବା ନେଇ ତାଙ୍କ ଜ୍ବାଇଁ ଏବଂ ତାଙ୍କ ବଡ଼ ଭାଇ ମିଳିତ ଯୋଜନା କରିଥିଲେ ।
ସେମାନେ ବୁର୍ଲା ଅଞ୍ଚଳର ଦୁଇଜଣ ସାର୍ପସୁଟରଙ୍କ ସହ ୬ ଲକ୍ଷ ଟଙ୍କାରେ ଚୁକ୍ତି କରିଥିବାବେଳେ ହତ୍ୟାକାଣ୍ଡ ପୂର୍ବରୁ ୨ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ । ହତ୍ୟା ପରେ ବକେୟା ୪ ଲକ୍ଷ ଟଙ୍କା ଦେବାକୁ ଡିଲ ହୋଇଥିଲା । ଗତ ଜୁଲାଇ ୩୧ ତାରିଖ ରାତିରେ ଯୋଜନା ମୁତାବକ ଦୁଇ ସୁଟର ବାଇକରେ ଏକ ଦେଶୀ ବନ୍ଧୁକ ଧରି ଡୁଆଝର ଆପନା ଢ଼ାବାରେ ଖାଦ୍ୟ ମାଗିବାକୁ ଯାଇଥିଲେ ।
ହେଲେ ଖାଦ୍ୟ ନଦେବାରୁ ଢ଼ାବା ସମ୍ମୁଖରେ ଢ଼ାବା ମାଲିକାଣୀଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖଡ଼ିଆଳ ଉପ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଵସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବାବେଳେ ନଗଦ ୯୦ ହଜାର ଟଙ୍କା, ୪ଟି ମୋବାଇଲ, ଦୁଇଟି ବାଇକକୁ ପୁଲିସ ଜବତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।